କୋଭିଡ-19 ମହାମାରୀ ଯୋଗୁଁ ସ୍କୁଲଗୁଡ଼ିକ ଅଚାନକ ବନ୍ଦ ହୋଇଯିବା କାରଣରୁ କେବଳ ଯେ ପାଠପଢ଼ା ପ୍ରଭାବିତ ହୋଇଛି ତା ନୁହେଁ, ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମ ମଧ୍ୟ ପ୍ରଭାବିତ ହୋଇଛି। ଜାତୀୟ ମଧ୍ୟାହ୍ନ ଭୋଜନ ଯୋଜନା(ଏମଡିଏମ ଭାବେ ପରିଚିତ) ହେଉଛି ବିଶ୍ବର ସର୍ବବୃହତ୍ ସ୍କୁଲ୍ ଖାଦ୍ୟ ଯୋଗାଣ ଯୋଜନା। ସରକାରୀ ସ୍କୁଲରେ ପାଠ ପଢୁଥିବା 11 କୋଟି 59 ଲକ୍ଷ ପିଲାଙ୍କୁ ନିଶ୍ଚିତ ପୁଷ୍ଟିକର ଖାଦ୍ୟ ଯୋଗାଇବା ଏବଂ ସ୍କୁଲରେ ଉପସ୍ଥାନ ସଂଖ୍ୟା ବଢାଇବା ହେଉଛି ଏହି ଯୋଜନାର ଉଦ୍ଦେଶ୍ୟ। ଖଦ୍ୟଶସ୍ୟ ଜରିଆରେ ହେଉ ବା ସିଧାସଳଖ ପରିବାରଗୁଡ଼ିକୁ ଖାଦ୍ୟ ସୁରକ୍ଷା ଭତ୍ତା (ଏଫଏସଏ) ଯୋଗାଇ ଦେବାରେ ରାଜ୍ୟଗୁଡ଼ିକ ବିଶେଷ ଆଗଭର ହୋଇଛନ୍ତି, ହେଲେ ନିକଟରେ କରାଯାଇଥିବା ଅନୁଧ୍ୟାନ ଅନୁଯାୟୀ ପୁଷ୍ଟିକର ଖାଦ୍ୟ ଯୋଗାଇବା ସକାଶେ ସରକାରୀ ସ୍ତରରେ ଯେତିକି ପାଣ୍ଠିର ବ୍ୟବସ୍ଥା କରାଯାଉଛି ତାହା ଯଥେଷ୍ଟ ନୁହେଁ। ଏହି ଯୋଜନାର କାର୍ଯ୍ୟକାରୀତା ଏବଂ ଏଥିପାଇଁ ଆବଶ୍ୟକ ପାଣ୍ଠି ଯୋଗାଇବାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବ୍ୟବସ୍ଥାରେ କିଛିଟା ଜଟିଳତା ରହୁଥିବାରୁ ଏ ନେଇ ଅନେକ ସମସ୍ୟା ଦେଖାଦେଉଛି। ଏଭଳି ସମସ୍ୟା ମହାମାରୀ ପୂର୍ବରୁ ମଧ୍ୟ ରହିଥିଲା, ଆଉ ଏବେ ଏହା ଅନେକ ଗୁଣରେ ବଢିଯାଇଛି। ଏସବୁ ସମସ୍ୟାର ସମାଧାନ ଯଦି ଯଥାଶୀଘ୍ର ନହୁଏ ତେବେ ଆମକୁ ଗୋଟିଏ ପରେ ଗୋଟିଏ ସଂକଟର ସମ୍ମୁଖୀନ ହେବାକୁ ପଡ଼ିବ। ଜାଣନ୍ତୁ, କାହିଁକି ଏପରି ଘଟୁଛି।
2020 ମାର୍ଚ୍ଚ ମାସ ଆରମ୍ଭରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଆଶଙ୍କା ପ୍ରକାଶପୂର୍ବକ କହିଥିଲେ ଯେ, ସ୍କୁଲସବୁ ବନ୍ଦ ହୋଇଗଲେ ଏମଡିଏମ୍ ନେଇ ଅନିଶ୍ଚିତତା ସୃଷ୍ଟି ହୋଇପାରେ ଏବଂ ଏହାକୁ ଦୃଷ୍ଟିରେ ରଖି ପିଲାଙ୍କ ସମେତ ଦୁର୍ବଳ ଶ୍ରେଣୀର ଲୋକଙ୍କ ଖାଦ୍ୟ ସୁରକ୍ଷା ନେଇ ଆଗୁଆ ନିଶ୍ଚିତ ରହିବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦେଶ ଦେଇଥିଲେ। ପୁଷ୍ଟିହୀନତା ନେଇ ଦେଶରେ ଏକ ବଡ଼ ସଂକଟ ଆଶଙ୍କା କରି ଏହାକୁ ଦୂର କରିବା ସକାଶେ ସୁପ୍ରିମକୋର୍ଟ ଏପରି ମତ ରଖିଥିଲେ। ଏହା ପରେ ପରେ ଶିକ୍ଷା ମନ୍ତ୍ରଣାଳୟ ପିଲାଙ୍କ ପାଇଁ ଘରେ ଘରେ ରନ୍ଧା ମଧ୍ୟାହ୍ନ ଭୋଜନ ପହଞ୍ଚାଇ ଦେବା କିମ୍ବା ଖାଦ୍ୟ ସୁରକ୍ଷା ବାବଦରେ ଭତ୍ତା ପ୍ରଦାନ କରିବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ରାଜ୍ୟ ସରକାରଗୁଡ଼ିକ ଏହାକୁ ମାନି ଏନେଇ ବିଭିନ୍ନ ଯୋଜନା ଘୋଷଣା କରିଥିଲେ। ବିହାର ଭଳି କିଛି ରାଜ୍ୟ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଯୋଜନା ଜରିଆରେ ବ୍ୟାଙ୍କ ଖାତାରେ ଅର୍ଥ ଜମାର ବ୍ୟବସ୍ଥା କରିଥିଲେ, ରାଜସ୍ଥାନ ଓ ତେଲଙ୍ଗାନା ପରି କିଛି ରାଜ୍ୟରେ ଖାଦ୍ୟଶସ୍ୟ କିମ୍ବା ଖାଦ୍ୟଶସ୍ୟ, ଜାଲି, ଖାଇବା ତେଲ ସବୁ ମିଶାଇ ମୋଟ ରୋଷେଇ ଖର୍ଚ୍ଚ ପ୍ରଦାନ ବ୍ୟବସ୍ଥା କରିଥିଲେ। ଏପରିକି କେରଳ ଆଦି ରାଜ୍ୟରେ ମୂଳ ଖାଦ୍ୟ ସହିତ କ୍ଷୀର, ଅଣ୍ଡା ଆଦି ବି ଦେବାର ବ୍ୟବସ୍ଥା କରିଛନ୍ତି। କୋରୋନା ସଂକଟ ବେଳେ ଖରାଦିନେ ବି ପିଲାଙ୍କୁ ଏମଡିଏମ ଯୋଗାଇ ଦେବା ସକାଶେ ରାଜ୍ୟ ସରକାରଗୁଡ଼ିକ ଅଧିକ ଅର୍ଥ ମଂଜୁର କରିବାକୁ କେନ୍ଦ୍ରକୁ ଅନୁରୋଧ ଜଣାଇଥିଲେ। କାରଣ ମହାମାରୀ ପୂର୍ବରୁ ସାଧାରଣତଃ ଖରାଦିନ ଛୁଟି ବେଳେ ସ୍କୁଲରେ ମଧ୍ୟାହ୍ନ ଭୋଜନ ଯୋଗାଣ ବନ୍ଦ ରଖାଯାଇଥାଏ।
ସରକାରଙ୍କ ବିଭିନ୍ନ ପଦକ୍ଷେପ ଗ୍ରହଣ ସତ୍ତ୍ବେ ଅନେକ ପିଲା ମଧ୍ୟାହ୍ନ ଭୋଜନଯୋଜନାରୁ ବଞ୍ଚିତ ହୋଇ ରହୁଥିବା ନିକଟରେ ହୋଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି ରାଜ୍ୟ ସରକାର ଗୁଡ଼ିକ ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ ହୋଇ ପାରୁନାହିଁ। ଏ ନେଇ ଅକ୍ସଫାମ ଦ୍ବାରା ଚାରିଟି ରାଜ୍ୟ ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ଉତ୍ତର ପ୍ରଦେଶରେ ହୋଇଥିବା ଏକ ସର୍ଭେ ଅନୁଯାୟୀ ସରକାରୀ ସ୍କୁଲରେ ପଢୁଥିବା ମୋଟ ପିଲାଙ୍କ ମଧ୍ୟରୁ ଏକ-ତୃତୀୟାଂଶ ବା 35 ପ୍ରତିଶତ ପିଲା ଏମଡିଏମ୍ ପାଉନଥିବା ଜଣାଯାଇଛି। ମେ-ଜୁନ୍ ମାସରେ 1158 ପିତାମାତାଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ମଧ୍ୟାହ୍ନ ଭୋଜନ ମିଳିନଥିବା ହାର ଉତ୍ତର ପ୍ରଦେଶରେ ସର୍ବାଧିକ 92 ପ୍ରତିଶତ। ପୂର୍ବରୁ ପଂଜୀକୃତ ହୋଇଥିବା ସଂଖ୍ୟା ତୁଳନାରେ ବହୁତ କମ୍ ସଂଖ୍ୟାରେ ପିଲା ଏମଡିଏମ ପାଉଥିବା ଅନ୍ୟ କେତେକ ଅନୁଧ୍ୟାନ ରିପୋର୍ଟରୁ ମଧ୍ୟ ଜଣାଯାଇଛି।
କାହିଁକି ଏପରି ଘଟୁଛି ?
ଏହାର ସମ୍ଭାବ୍ୟ କାରଣ ଜାଣିବାକୁ ହେଲେ ଏହି ଯୋଜନା ଆଗରେ କ’ଣ ସବୁ ପ୍ରତିବନ୍ଧକ ରହିଛି ତାହା ଦେଖିବାକୁ ପଡ଼ିବ। ଏଥିପାଇଁ ଥିବା ବଜେଟ୍ ଓ ପାଣ୍ଠି ଯୋଗାଣ ବ୍ୟବସ୍ଥାର ସମୀକ୍ଷା ଏବଂ ଏଥିରୁ ସୁବିଧା ପାଉଥିବା ଉପଭୋକ୍ତାଙ୍କ ସମ୍ପର୍କରେ ଆସୁଥିବା ତଥ୍ୟ ଉପରେ ଅଧିକ ଅନୁଶୀଳନ କରିବା ମଧ୍ୟ ଜରୁରୀ। ଏମଡିଏମ୍ ବା ମଧ୍ୟାହ୍ନ ଭୋଜନ ଯୋଜନା ହେଉଛି କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ଏକ କାର୍ଯ୍ୟକ୍ରମ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅର୍ଥରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଏ। ଏମଡିଏମ୍ ଯୋଜନା ଅଧିନରେ କେନ୍ଦ୍ର ସରକାର ବିଭିନ୍ନ କାର୍ଯ୍ୟକଳାପ ପାଇଁ 60 ପ୍ରତିଶତ ପାଣ୍ଠି ଯୋଗାଇ ଦେଇଥାଏ। ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରନ୍ଧା ଖର୍ଚ୍ଚ, ରୋଷେୟା ତଥା ସହାୟକଙ୍କ ପାଉଣା ଏବଂ ଭିତ୍ତିଭୂମି (ରୋଷେଇ ଉପକରଣ ଆଦି) କେନ୍ଦ୍ରୀୟ ଅର୍ଥରୁ ଭରଣା କରାଯାଏ। ଏଥିପାଇଁ ଖାଦ୍ୟଶସ୍ୟର ସମ୍ପୂର୍ଣ୍ଣ ମୂଲ୍ୟ ମଧ୍ୟ କେନ୍ଦ୍ର ସରକାର ବହନ କରିଥାନ୍ତି।
2020-21 ଆର୍ଥିକ ବର୍ଷ ଆରମ୍ଭରେ କେନ୍ଦ୍ର ସରକାର ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ 11 ହଜାର କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ, ଯାହାକି ପରବର୍ତ୍ତୀ ସମୟରେ 12 ହଜାର 600 କୋଟି ଟଙ୍କାକୁ ବଢାଯାଇଥିଲା। ଖରାଦିନରେ ଏମଡିଏମ୍ଯୋ ଗାଇ ଦେବା ପାଇଁ କେନ୍ଦ୍ର ସରକାର ଅଧିକ 1600 କୋଟି ଟଙ୍କା ଯୋଗାଇ ଦେଇଥିଲେ। ତେବେ ରାଜ୍ୟ ସରକାରଗୁଡ଼ିକ ଯୋଜନା ବାବଦରେ କେନ୍ଦ୍ରଠାରୁ ଯେତିକି ଅର୍ଥ ପାଇବା କଥା ତାହାଠାରୁ କମ୍ ପାଇଛନ୍ତି ଏବଂ ଏପରିକି ଯାହା ବି ମିଳିଛି ସେଥିରେ ମଧ୍ୟ ବିଳମ୍ବ ଘଟିଛି। 2020 ଏପ୍ରିଲରୁ ଜୁନ୍ ପ୍ରଥମ ତିନି ମାସ ପାଇଁ ପ୍ରକୃତ ଆବଶ୍ୟକ ରନ୍ଧା ଖର୍ଚ୍ଚ ଏବଂ ଏହି ସମୟ ପାଇଁ କେନ୍ଦ୍ର ଦେଇଥିବା ପାଣ୍ଠିକୁ ନେଇ ଆମେ ତୁଳନା କରିଥିଲୁ। ଜଣକ ପିଛା ପଡୁଥିବା ରନ୍ଧା ଖର୍ଚ୍ଚ ଏବଂ ମୋଟ ଦିନର ହିସାବକୁ ନେଇ ମୋଟ ରନ୍ଧା ଖର୍ଚ୍ଚର ହିସାବ ବାହାର କରାଯାଇଛି। ଏହି ଆକଳନରୁ ଜଣାଯାଇଛି ଯେ, ରନ୍ଧା ଖର୍ଚ୍ଚ
ବାବଦରେ ଆବଶ୍ୟକ ପାଣ୍ଠି ତୁଳନାରେ ମିଳିଥିବା କେନ୍ଦ୍ରୀୟ ପାଣ୍ଠି ବହୁତ କମ୍। ଏଠାରେ ରାଜସ୍ଥାନର ଦୃଷ୍ଟାନ୍ତ ନିଆଯାଇପାରେ। ରାଜ୍ୟରେ ପ୍ରଥମ ତିନିମାସ ପାଇଁ ଯୋଜନା ବାବଦରେ 173 କୋଟି ଟଙ୍କା ଅଟକଳ କରାଯାଇଥିବା ବେଳେ କେନ୍ଦ୍ର ସରକାର ମାତ୍ର 90 କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ସେହିପରି ଆନ୍ଧ୍ର ପ୍ରଦେଶ, ଦିଲ୍ଲୀ ଏବଂଉତ୍ତର ପ୍ରଦେଶରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକ ପାଣ୍ଠିର 60 ପ୍ରତିଶତ କମ୍ ଅର୍ଥ ଦିଆଯାଇଛି। ଏପରିକି ଖରାଦିନିଆ ମାସଗୁଡ଼ିକ ପାଇଁ ଅତିରିକ୍ତ ବ୍ୟୟ ବରାଦ ହୋଇଥିଲେ ହେଁ ରାଜ୍ୟଗୁଡ଼ିକୁ ତାହା ଦିଆଯାଇନାହିଁ। ଉଦାହରଣ ସ୍ବରୂପ ଉତ୍ତରାଖଣ୍ଡ ପାଇଁ ମୋଟ ଅନୁମୋଦିତ ଏଫଏସଏ 12 କୋଟି 54 ଲକ୍ଷ ଟଙ୍କା ମଧ୍ୟରୁ ମାତ୍ର ଏହାର 43 ପ୍ରତିଶତ ଅର୍ଥାତ 5 କୋଟି 39 ଲକ୍ଷ ଟଙ୍କା କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି। କର୍ଣ୍ଣାଟକ ଏବଂ ତାମିଲନାଡୁରେ ଏହି ହାର ଯଥାକ୍ରମେ 73 ଓ 79 ପ୍ରତିଶତ। ବାସ୍ତବିକ, 2020 ଅକ୍ଟୋବର 29 ତାରିଖ ସୁଦ୍ଧା ମାତ୍ର 20ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଖରାଦିନ ଛୁଟି ସମୟରେ ମଧ୍ୟାହ୍ନ ଭୋଜନ ଯୋଗାଇଦେବା ପାଇଁ କେନ୍ଦ୍ରରୁ କିଛି ପାଣ୍ଠି ପାଇଛନ୍ତି।
ଯେଉଁସବୁ ରାଜ୍ୟ ବି ଅତିରିକ୍ତ ପାଣ୍ଠି ପାଇଛନ୍ତି, ସେମାନଙ୍କୁ କେନ୍ଦ୍ର ସରକାରଙ୍କଦ୍ବାରା ଏହା ବିଳମ୍ବରେ ଆର୍ଥିକ ବର୍ଷର ଦ୍ବିତୀୟ କ୍ବାର୍ଟର ଶେଷ କିମ୍ବା ତୃତୀୟ କ୍ବାର୍ଟର ଆରମ୍ଭ ହେବା ବେଳକୁ ମିଳିଛି। ଯେ କୌଣସି ସରକାରୀ ଯୋଜନା କାର୍ଯ୍ୟକାରୀ ହେବା ପାଇଁ ପାଣ୍ଠି ହେଉଛି ସବୁଠାରୁ ଅତ୍ୟନ୍ତ ଜରୁରୀ। ଏମଡିଏମ୍ଯୋ ଜନା କ୍ଷେତ୍ରରେ ଏହା ପ୍ରମାଣିତ ହୋଇଯାଇଛି। କୋଭିଡ-19 ମହାମାରୀ ସମୟରେ ଯେତେବେଳେ ଏହାର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ଥିଲା, ସେତେବେଳେ ହିଁ ଏହି ଯୋଜନା କାର୍ଯ୍ୟକାରୀ କରିବାରେ ଶିଥିଳତା ଦେଖା ଦେଇଥିଲା। ପାଣ୍ଠିକୁ ନେଇ ରହିଥିବା ସମସ୍ୟାକୁ ଛାଡ଼ି ଯୋଜନାରେ ଆଉ ଏକ ସମସ୍ୟା ମଧ୍ୟ ରହିଛି। ସବୁ ଛାତ୍ରଙ୍କୁ ଯୋଜନାରେ ସାମିଲ କରିବା ନେଇ ଥିବା ଲକ୍ଷ୍ୟ ମଧ୍ୟ ପୂରଣ ହୋଇପାରିନାହିଁ । ରାଜ୍ୟଗୁଡ଼ିକ ପ୍ରଥମେ ଯେଉଁ ଆକଳନ କରୁଛନ୍ତି, ବାସ୍ତବରେ କାର୍ଯ୍ୟକାରୀ ହେଉଥିବା ସଂଖ୍ୟା ମଧ୍ୟରେ ଅନେକ ତଫାତ୍ ରହୁଛି। ଯୋଜନାର ରୂପରେଖ ଅନୁଯାୟୀ ରାଜ୍ୟ ଗୁଡ଼ିକ ପ୍ରଥମେ ସେମାନଙ୍କର ଆକଳନ କେନ୍ଦ୍ରକୁ ପ୍ରଦାନ କରନ୍ତି।
ପୂର୍ବ ବର୍ଷର ରେକର୍ଡକୁ ଆଧାର କରି କେତେ ସଂଖ୍ୟାରେ ପିଲା ଏମଡିଏମରେ ସାମିଲ ହେବେ ତାହାର ଏକ ତାଲିକା ରାଜ୍ୟ ସରକାର ଦିଅନ୍ତି। ଏହି ଆକଳନକୁ ସମୀକ୍ଷା କରି କେନ୍ଦ୍ର ସରକାର ଏହାକୁ ଅନୁମୋଦିତ କରିଥାନ୍ତି। ତେବେ ଦେଖିବାକୁ ମିଳୁଛି ଅନେକ ରାଜ୍ୟରେ ଯେତିକି ସଂଖ୍ୟାରେ ପିଲାଙ୍କୁ ଏଫଏସଏ ଯୋଗାଇ ଦିଆଯାଉଛି ତାହା ସେମାନଙ୍କ ପୂର୍ବ ଆକଳନ ସଂଖ୍ୟାଠାରୁ କମ୍ ରହୁଛି। ଖରାଦିନ ସ୍କୁଲ ଛୁଟି ବେଳେ ପିଲାଙ୍କୁ ଏଫଏସଏ ପ୍ରଦାନ କ୍ଷେତ୍ରରେ ମଧ୍ୟ ଏପରି ସଂଖ୍ୟାଗତ ତଫାତ୍ ରହୁଛି। ଏପରି ତଫାତ୍ ହାର ବିହାର, ମହାରାଷ୍ଟ୍ର, ତାମିଲନାଡୁ ଏବଂ ହରିୟାଣାରେ ସର୍ବାଧିକ ରହୁଛି।
ମହାମାରୀ ଯୋଗୁଁ ଲୋକେ କାମଧନ୍ଦା ହରାଇବା ଏବଂ ଆୟ କମିଯିବା କାରଣରୁ ସେମାନଙ୍କ ପରିବାର ପାଇଁ ଆବଶ୍ୟକ ପୁଷ୍ଟିକର ଖାଦ୍ୟ ପାଇବା ବଡ଼ ସମସ୍ୟା ଥିଲା। ଏହି କାରଣରୁ ରାଜ୍ୟ ସରକାର ଆର୍ଥିକ ବର୍ଷ ଆରମ୍ଭରେ ଏମଡିଏମ୍ ନେଇ ଯେତିକି ଆକଳନ କରିଥିଲେ ତାହାଠାରୁ ଅଧିକ ପିଲା ଏହି ସମୟରେ ମଧ୍ୟାହ୍ନ ଭୋଜନ ଯୋଜନାରେ ସାମିଲ ହେବେ ବୋଲି ସମ୍ଭାବନା ଥିଲା। ଅର୍ଥାତ ରାଜ୍ୟ ଗୁଡ଼ିକର ପୂର୍ବ ଆକଳନ ତୁଳନାରେ ଅଧିକ ସଂଖ୍ୟାରେ ପିଲା ଏମଡିଏମରେ ସାମିଲ ହେବା ଆଶା କରାଯାଉଥିଲା। କିନ୍ତୁ ଏସବୁ କଥା ଯୋଜନାର ସଠିକ୍ ଆକଳନ ନେଇ ଏବେ ପ୍ରଶ୍ନ ଉଠୁଛି। ଉଦାହରଣ
ସ୍ବରୂପ 2018-19ରେ ଏମଡିଏମ୍ ୱେବସାଇଟରେ ପଂଜୀକୃତ ସଂଖ୍ୟା ଶିକ୍ଷା ମନ୍ତ୍ରାଳୟ ଦ୍ବାରା ବ୍ୟବହୁତ ସରକାରୀ ସ୍କୁଲ ଡାଟାବେସ୍ ୟୁନାଇଟେଡ ଇନଫର୍ମେସନ ସିଷ୍ଟମସ (ୟୁଡିଆଇଏସଇ)ରେ ଦର୍ଶାଯାଇଥିବା ସଂଖ୍ୟାଠାରୁ ଅଧିକ ଥିବା ଜଣାପଡିଛି। ଯୋଜନା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ବ୍ୟବହୃତ ଦୁଇଟି ଡାଟାବେସ୍ରି ପୋର୍ଟରେ ତଫାତ ରହୁଛି। ଦୁଇଟି ରିପୋର୍ଟ ମଧ୍ୟରେ ବିହାରରେ 18 ଲକ୍ଷ ଓ ପଶ୍ଚିମବଙ୍ଗରେ 14 ଲକ୍ଷ ତଫାତ୍ ରହୁଛି। ଏହା ନିଃସନ୍ଦେହ ଯେ, ମହାମାରୀ ଯୋଗୁଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆର୍ଥିକ ବୋଝ ବଢିଛି। ଫଳରେ ସରକାରୀ ସ୍ତରରେ ଖର୍ଚ୍ଚ ନିୟନ୍ତ୍ରଣ କରାଯାଉଛି। କିନ୍ତୁ ଏହାଦ୍ବାରା ଯୋଜନା, ବଜେଟ ଅଟକଳ ଏବଂ ପାଣ୍ଠି ଯୋଗାଣ ବ୍ୟବସ୍ଥା ଅଧିକ ଜଟିଳ ହେବାରେ ଲାଗିଛି। ଏପରି ହେବା ଦ୍ବାରା ଯୋଜନା ବିଫଳ ହୋଇପାରେ ଏବଂ ଏହାଦ୍ବାରା ଦେଶରେ କୁପୋଷଣ ସଂକଟ ବଢିପାରେ, ଯାହାକି ସୁପ୍ରିମ କୋର୍ଟ ଆଗୁଆ ସାବଧାନ କରି ଦେଇଛନ୍ତି ।
ଅବନୀ କାପୁର, ନିର୍ଦ୍ଦେଶକ, ଆକାଉଣ୍ଟେବିଲିଟି ଇନିସିଏଟିଭ୍ ଏଣ୍ଡ ଫେଲୋ, ସିପିଆର ଶରଦ ପାଣ୍ଡେ, ରିସର୍ଚ୍ଚ ଆସୋସିଏଟ୍, ଆକାଉଣ୍ଟେବିଲିଟି ଇନିସିଏଟିଭ୍, ସିପିଆର