କୋଲକାତା:ପଶ୍ଟିମବଙ୍ଗର ଶ୍ରମମନ୍ତ୍ରୀଙ୍କ ଉପରେ ବୋମା ମାଡ ଘଟଣାରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା କହିଛନ୍ତି ଏହା ଏକ ବଡ ଷଡଯନ୍ତ୍ର । ରାଜ୍ୟ ସରକାର ଏହାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ ନିର୍ଦ୍ଦେଶ ଦେଇ ସାରିଛନ୍ତି । ତଦନ୍ତ ପରେ ଆମେ ଆଶା କରୁଛୁ ସତ୍ୟ ବାହାରକୁ ଆସିବ | ସେହିପରି ଆହତ ମନ୍ତ୍ରୀଙ୍କୁ ସେ ହସ୍ପିଟାଲରେ ଭେଟିବା ସହ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ ସହ ମଧ୍ୟ ଆଲୋଚନା କରିଛନ୍ତି ମମତା । ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ପରେ ମମତା କହିଛନ୍ତି ଯେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି ତାଙ୍କର ନାଡିର ରକ୍ତ ଚାପ ହାର 50 କୁ ଖସି ଆସିଥିବା ଡାକ୍ତର ସୂଚନା ଦେଇଥିବା କହିଛନ୍ତି ମମତା ।
ସେହିପରି ଉକ୍ତ ଘଟଣାରେ ଗୁରୁତରଙ୍କୁ ପଶ୍ଟିମବଙ୍ଗ ସରକାର 5 ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତ ବ୍ୟକ୍ତିଙ୍କୁ 1 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି । ଏହି ଘଟଣାର ତଦନ୍ତ ବାବଦରେ ସେ କହିଛନ୍ତି ଏହାର ତଦନ୍ତ ଭାର CID, STF & CIFକୁ ହସ୍ତାନ୍ତର କରାଯାଇ ସରିଛି । ଓ ଉକ୍ତ ତଦନ୍ତକାରୀ ସଂସ୍ଥା ମାନେ ମଧ୍ୟ ସେମାନଙ୍କ କାମ ଆରମ୍ଭ କରିସାରିଛନ୍ତି । ତେବେ ଖୁବଶୀଘ୍ର ଏହି ଷଡଯନ୍ତ୍ରର ଖୁଲାସା ହେବା ନେଇ ସେ ଆଶାବାଦୀ ଥିବା ମଧ୍ୟ କହିଛନ୍ତି ।
ଘଟଣା ଅନୁସାରେ ପଶ୍ଚିମବଙ୍ଗର ଶ୍ରମ ମନ୍ତ୍ରୀ ଜାକିର ହୁସେନଙ୍କ ମୁର୍ସିଦାବାଦର ନିମଟିଟା ଷ୍ଟେସନରେ ଟ୍ରେନ୍ ଧରିବାକୁ ଯାଉଥିବା ବେଳେ ଏକ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ । ଗତକାଲି (ବୁଧବାର) ରାତି ପ୍ରାୟ 8 ଟା30 ମିନିଟ ସମୟରେ ପ୍ଲାଟଫର୍ମ ନମ୍ବର 2ରେ ଏହି ଘଟଣା ଘଟିଛି ବୋଲି ଜିଲ୍ଲା ପୋଲିସ କହିଥିଲା । ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ପ୍ରଥମେ ଜାଙ୍ଗିପୁର ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ନିଆଯାଇଥିଲା ପରେ ଡାକ୍ତରମାନେ ତାଙ୍କୁ କୋଲକାତା ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସୁଦ୍ଧା ମଧ୍ୟ ସଂକଟାପନ୍ନ ଥିବା ଡାକ୍ତର କହିଛନ୍ତି । ଏହି ବିସ୍ଫୋରଣ ଘଟଣାରେ ମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ 14 ଜଣ ଆହତ ହୋଇ ଚିକିତ୍ସାଧିନ ଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ