ଭୁବନେଶ୍ବର: ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଅପରାହ୍ନରେ ଟିଏମସି ସୁପ୍ରିମୋ ଭୁବନେଶ୍ବରରେ ପହଞ୍ଚିବେ । ଆସନ୍ତାକାଲି(ବୁଧବାର) ସେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ । ଶ୍ରୀମନ୍ଦିର ପରିଦର୍ଶନ ପରେ ୨୩ ତାରିଖ ଦିନ ମମତା ବାନାର୍ଜୀ ଭୁବନେଶ୍ବର ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ । ତିନି ଦିନିଆ ଗସ୍ତ ସାରି ସେହିଦିନ ସନ୍ଧ୍ୟାରେ ସେ ପଶ୍ଚମବଙ୍ଗ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।
ସୂଚନା ଅନୁସାରେ, ପୁରୀରେ ପଶ୍ଚିମବଙ୍ଗ ସରକାରଙ୍କ ଏକ ଗେଷ୍ଟ ହାଉସ୍ ତିଆରି ହେବ । ଏହାର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁରୀ ଆସୁଥିବା ସୂଚନା ମିଳିଛି । ଏନେଇ ତାଙ୍କର କୌଳିକ ପଣ୍ଡା ସୂଚନା ଦେଇଛନ୍ତି । କିନ୍ତୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ କୌଣସି ପ୍ରକାର ବିଦ୍ଧିବଧ ସୂଚନା ଦିଆଯାଇ ନାହିଁ । ତେବେ ଯାହା ସୂଚନା ମିଳିଛି, ବୁଧବାର ଅପରାହ୍ନ ୪ଟା ବେଳେ ମମତା ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିବେ । ସେଠାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିବେ । ପରେ ସେ ମାଆ ବିମଳା ଓ ଲକ୍ଷ୍ମୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ ।
ଏହାମଧ୍ୟ ପଢନ୍ତୁ: Delhi Liquor Policy Case: କବିତାଙ୍କୁ ୧୦ ଘଣ୍ଟା ଜେରା, ଆଜି ପୁଣି ହାଜର ହେବାକୁ ନିର୍ଦ୍ଦେଶ
ଏହା ପରଦିନ ୨୩ ତାରିଖରେ ଭୁବନେଶ୍ବର ଯାଇ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର କରିବେ । ନବୀନ ନିବାସରେ ଆସନ୍ତା ସାଧାରଣ ନିର୍ବାଚନ ଏବଂ ସାମ୍ପ୍ରାତିକ ରାଜନୈତିକ ସ୍ଥିତି ସମ୍ପର୍କରେ ଆଲୋଚନା ହେବ ବୋଲି ସୂତ୍ରରୁ ଜଣାପଡିଛି । ଏହାପରେ ସେ ପୁଣି ପଶ୍ଚିମବଙ୍ଗ ଫେରିଯିବେ । ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଓ ସବୁବେଳେ ସେ ଶ୍ରୀଜୀଉଙ୍କୁ ସ୍ମରଣ କରି ସବୁ କାର୍ଯ୍ୟ କରନ୍ତି ବୋଲି ମହାପ୍ରଭୁଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର କହିଛନ୍ତି । ଗତ ନିର୍ବାଚନରେ ସେ ମମତା ବାନର୍ଜୀଙ୍କ ଘରକୁ ଯାଇ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିଲେ । କାଳିଆ ଠାକୁରଙ୍କ ଆଶୀର୍ବାଦରେ ସେ ନିର୍ବାଚନରେ ବିପୁଳ ବିଜୟ ହାସଲ କରି ମୁଖ୍ୟମନ୍ତ୍ରୀ ହୋଇଥିଲେ ବୋଲି ବଡଗ୍ରାହୀ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର