ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଚାଷୀ ଆନ୍ଦୋଳନ ସମର୍ଥନରେ ପର୍ଯ୍ୟାବରଣ କର୍ମକର୍ତ୍ତା ଗ୍ରେଟା ଥନବର୍ଗଙ୍କ ଟ୍ବିଟ ବିରୋଧରେ ଦାଏର ଏତଲାର ସତ୍ୟତା ସାମ୍ନାକୁ ଆଣିଛି ଦିଲ୍ଲୀ ପୋଲିସ । ସାମ୍ବାଦିକ ସମ୍ମିଳନୀରେ ଗ୍ରେଟାଙ୍କ ବିରୋଧରେ ଏଫଆଇଆରକୁ ନେଇ ବଡ ବୟାନ ଦେଇଛନ୍ତି ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର କମିଶନର ପ୍ରବୀର ରଞ୍ଜନ ।
ସିପି ପ୍ରବୀର ରଞ୍ଜନ ନିଜ ବୟାନରେ କହିଛନ୍ତି, ଆମେ ଏତଲାରେ କାହାରି ନାଁ ଉଲ୍ଲେଖ କରିନାହୁଁ । ଏହା କେବଳ ଟୁଲକିଟ୍ ତିଆରି କରିଥିବା ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତର ବିଷୟ । ଦିଲ୍ଲୀ ପୋଲିସ ଏହି ମାମଲାରେ ଯାଞ୍ଚ କରିବ ।
ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି ଯେ ଏତଲାରେ ଭାରତ ସରକାରଙ୍କ ବିରୋଧରେ ଅସହମତି ପ୍ରଚାର କରିବାକୁ ନେଇ ଆଇପିସି ଧାରା 124 A । ଏହା ଦେଶ ଦ୍ରୋହର ବିଷୟ । ସେହିପରି ସାମାଜିକ, ସାଂସ୍କୃତିକ, ଧାର୍ମିକ ଆଧାରରେ ବିଭିନ୍ନ ସମୁଦାୟଙ୍କ ମଧ୍ୟରେ ଘୃଣା ସୃଷ୍ଟି କରାଇବା ଦିଗରେ ଅପରାଧିକ ଷଡଯନ୍ତ୍ର ପାଇଁ ଧାରା 153 ଏବଂ 120 B ଆଧାରରେ ଏତଲା ଦାଏର କରାଯାଇଛି ।
ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର କମିଶନର ପ୍ରବୀର ରଞ୍ଜନ କହିଛନ୍ତି ଯେ ଦିଲ୍ଲୀର ତିନୋଟି ସୀମାରେ ଚାଷୀ ଆନ୍ଦୋଳନ ଚାଲିଛି । ଦିଲ୍ଲୀ ପୋଲିସ ସୋସିଆଲ ମିଡିଆ ଉପରେ ନଜର ରଖିଛି । ପ୍ରାୟ 300 ସୋସିଆଲ ମିଡିଆ ହ୍ୟାଣ୍ଡେଲ ମିଳିଛି, ଯାହା ହିଂସା ଏବଂ କୁତ୍ସିତ ବିଷୟବସ୍ତୁ ବିସ୍ତାର କରିବାରେ ବ୍ୟବହୃତ ହେଉଛି । 26 ଜାନୁଆରୀର ହିଂସା ପୂର୍ବରୁ ଯୋଜନା କରାଯାଇଥିଲା ବୋଲି କହିଛି ଦିଲ୍ଲୀ ପୋଲିସ ।