ନୂଆଦିଲ୍ଲୀ: ଆସନ୍ତାକାଲି (ସୋମବାର) ଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ବଜେଟ ଅଧିବେଶନ । ତେବେ ଆଜି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସହ ବଜେଟ ଅଧିବେଶନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଆଜି (ରବିବାର) ସଂନ୍ଧ୍ୟାରେ ଏହି ପ୍ରସ୍ତୁତି ସମୀକ୍ଷା ବୈଠକ ଉପରାଷ୍ଟ୍ରପତିଙ୍କ ସରକାରୀ ବାସଭବନରେ ପ୍ରାୟ ୪୦ ମିନିଟ ଧରି ଅନୁଷ୍ଠିତ ହୋଇଛି । ନିକଟରେ କୋଭିଡ ପଜିଟିଭ ହୋଇ ସୁସ୍ଥ ହୋଇଥିବା ଉପରାଷ୍ଟ୍ରପତିଙ୍କ ଏହା ପ୍ରଥମ ସମୀକ୍ଷା ବୈଠକ ।
ଜାରି ରହିଥିବା କୋଭିଡର ତୃତୀୟ ଲହର ମଧ୍ୟରେ ଏହି ଗୁରୁତ୍ବପୂର୍ଣ୍ଣ ବଜେଟ ଅଧିବେଶନ ହେବାକୁ ଯାଉଛି । ଗୃହ ମଧ୍ୟରେ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ବ୍ୟବସ୍ଥା କରାଯାଇଛି ଏବଂ ଉଭୟ ଲୋକସଭା ଏବଂ ରାଜ୍ୟସଭା ପାଇଁ ସଂସଦର ସମୟ ସ୍ଥିର ହୋଇଛି । ରାଜ୍ୟସଭା ସକାଳ ୧୦ ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଥିବାବେଳେ ନିମ୍ନ ସଦନ ଲୋକସଭା ଅପରାହ୍ନ ୪ଟାରୁ ରାତି ୯ ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ ।
ସୋମବାର (ଆସନ୍ତାକାଲି) ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହକୁ ସମ୍ବୋଧିତ କରିବେ ଏବଂ ମଙ୍ଗଳବାର କେନ୍ଦ୍ର ବଜେଟ୍ ଉପସ୍ଥାପିତ ହେବ । ଆଜିର ବୈଠକରେ,ଭିଡ଼ ଏଡାଇବା ସହ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଉଭୟ ଗୃହର ସଦସ୍ୟମାନେ ଭିନ୍ନଭିନ୍ନ ସ୍ଥାନରେ ନାମ ଅନୁସାରେ ବସିବାର ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ଦେଇଥିଲେ ଲୋକସଭା ବାଚସ୍ପତି ଓମ ବିର୍ଲା । ତେବେ ଉକ୍ତ ପ୍ରସ୍ତାବକୁ ଉପରାଷ୍ଟ୍ରପତିଙ୍କ ପକ୍ଷରୁ ସ୍ବାଗତ ମଧ୍ୟ କରାଯାଇଥିଲା ।
ଉଭୟ ଗୃହର ସେକ୍ରେଟେରୀ ଜେନେରାଲଙ୍କୁ ତୁରନ୍ତ ଉଭୟ ଗୃହରେ ବିଭିନ୍ନ ଦଳର ସଦସ୍ୟଙ୍କ ତାଲିକା ଅନୁସାରେ ବସିବା ବ୍ୟବସ୍ଥା କରିବାକୁ କୁହାଯାଇଥିଲା । ପାର୍ଟିର ସଦସ୍ୟଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଉଭୟ ଗୃହର ଚାମ୍ବର ଏବଂ ଗ୍ୟାଲେରୀରେ ସିଟ୍ ଆବଣ୍ଟନ କରାଯିବା ନେଇ ମଧ୍ୟ୍ୟ ବ୍ୟବସ୍ଥା କରାଯାଇଛି ।
ଉପରାଷ୍ଟ୍ରପତି ଓ ବାଚସ୍ପତିଙ୍କୁ ଅଧିକାରୀମାନେ ମଧ୍ୟ ସୂଚନା ଦେଇଥିଲେ ଯେ ଅଧିବେଶନ ଆରମ୍ଭ ହେବାର ୪୮ଘଣ୍ଟା ପୂର୍ବରୁ ସମସ୍ତ ସାଂସଦଙ୍କୁ RT-PCR ଟେଷ୍ଟିଂ କରିବାକୁ ଅନୁରୋଧ କରାଯାଇଛି । ସୂତ୍ର ଆହୁରି ମଧ୍ୟ କହିଛନ୍ତି ଯେ ଯଦି କୌଣସି ସାଂସଦ କିମ୍ବା ସେମାନଙ୍କ ପରିବାରବର୍ଗ ସଂକ୍ରମିତ ଚିହ୍ନଟ ହୋଇଥାନ୍ତି, ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ ୭ ଦିନର ସଙ୍ଗରୋଧରେ ରହିବା ପରେ ସେମାନେ ଅଧିବେଶନରେ ଅଂଶଗ୍ରହଣ କରିପାରିବେ ।
ସଂସଦର ଅଧିବେଶନ ମଧ୍ୟରୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଚାର କରାଯାଉଥିବା ବଜେଟ ଅଧିବେଶନ ଆସନ୍ତାକାଲି (ଜାନୁୟାରୀ ୩୧) ରୁ ଆରମ୍ଭ ହୋଇ ଫେବୃଆରୀ ୧୧ ପର୍ଯ୍ୟନ୍ତ ଜାରି ରହିବ । ଅଧିବେଶନର ଦ୍ୱିତୀୟ ଭାଗ ମାର୍ଚ୍ଚ ୧୪ ତାରିଖରେ ପୁନଃଆରମ୍ଭ ହେବ ଏବଂ ଏପ୍ରିଲ୍ 8 ପର୍ଯ୍ୟନ୍ତ ଜାରି ରହିବ ।
ବ୍ୟୁରୋ ରିପୋର୍ଟ, ଇଚିଭି ଭାରତ