ନୂଆଦିଲ୍ଲୀ: ସଂସଦରେ ମୌସୁମୀ ଅଧିବେଶନ ପୂର୍ବରୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଡାକିଲେ ସର୍ବଦଳୀୟ ବୈଠକ । ଜୁଲାଇ 17ରେ ରାଜ୍ୟସଭାର ସମସ୍ତ ଦଳୀୟ ନେତାଙ୍କ ବୈଠକ ଡାକିଛନ୍ତି । ବୈଠକ ଉପରାଷ୍ଟ୍ରପତିଙ୍କ ବାସଭବନରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।
ସେପଟେ ଗତକାଲି କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ରାଜ୍ୟସଭାର ନେତା ଭାବେ ନିଯୁକ୍ତି ଦେଇଛି ବିଜେପି । ସେହିଦିନ ଲୋକସଭା ବାରସ୍ପତି ଓମ ବିର୍ଲା ବି ଡାକିଛନ୍ତି ସର୍ବଦଳୀୟ ବୈଠକ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ । ଏହା ବାଦ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସମେତ ସମସ୍ତ ଦଳର ପ୍ରତିନିଧି ଯୋଗ ଦେବେ ।
ଆସନ୍ତା ଜୁଲାଇ 19ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନ ଅଗଷ୍ଟ 13 ପର୍ଯ୍ୟନ୍ତ ଚାଲିବ । ଯେଉଁଥିରେ ସରକାର ଅନେକ ଗୁରୁତ୍ବପୂର୍ଣ୍ଣ ବିଲ ଆଣିବେ । ସେପଟେ ବିରୋଧୀ ମଧ୍ୟ ଦେଶର ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ମିଳିତ ଆକ୍ରମଣ କରିବେ । ସରକାର ବିରୋଧୀଙ୍କୁ ଜବାବ ଦେବା ସହ ପ୍ରସଙ୍ଗ ଭିତ୍ତିକ ଆଲୋଚନା ପାଇଁ ସର୍ବଦଳୀୟ ବୈଠକରେ ପ୍ରସ୍ତାବ ରଖିବେ ।
ଅଧିବେଶନ ବେଶ ଗୁରୁତ୍ବପୂର୍ଣ୍ଣ ଥିବାରୁ ସଂସଦର ସୁପରିଚାଳନା ପାଇଁ ବାଚସ୍ପତି ବିରୋଧୀଙ୍କ ଆବଶ୍ୟକ ସହଯୋଗ ଲୋଡିବେ । ଯେଉଁଥି ପାଇଁ ସର୍ବଦଳୀୟ ବୈଠକ ଆସନ୍ତା 18ରେ ଡାକିଛନ୍ତି ଲୋକସଭା ବାରସ୍ପତି ଓମ ବିର୍ଲା ।
@ANI