ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଓ ଆସାମରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ଆଜି । ପଶ୍ଚିମବଙ୍ଗର 5 ଟି ଜିଲ୍ଲାର 30ଟି ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ । ଅନ୍ୟପକ୍ଷେ ଆସାମର 47ଟି ଆସନରେ ଭୋଟ୍ ଗ୍ରହଣ କରାଯିବ । ପଶ୍ଚିମବଙ୍ଗରେ ସକାଳ 7ଟାରୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇ ସନ୍ଧ୍ୟା 6ଟା 30 ମିନିଟ ଯାଏଁ ଚାଲିବ । ଏହାସହ ଆସାମରେ ମଧ୍ୟ ସକାଳ 7ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ ।
ପଶ୍ଚିମବଙ୍ଗ ବିଷୟରେ କହିବାକୁ ଗଲେ ଆଜି ପ୍ରଥମ ପର୍ଯ୍ୟାୟରେ ବ୍ୟାଙ୍କୁରା, ପୁରଲିଆ, ଝାଡଗ୍ରାମ, ପଶ୍ଚିମ ଏବଂ ପୂର୍ବ ମିଦନାପୁର ଜିଲ୍ଲାର 30 ଟି ଆସନରେ ଭୋଟ୍ ଗ୍ରହଣ କରାଯିବ। ପଶ୍ଚିମବଙ୍ଗରେ ମୋଟ୍ 294 ଟି ଆସନରେ ଭୋଟ୍ ଗ୍ରହଣ କରାଯିବ । 8ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ । ସେପଟେ ଆସାମର ମୋଟ୍ 126ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ଆଜି 47ଟି ଆସନରେ ଭୋଟ ଗ୍ରହଣ ହେବ, ଏହି ଆସନ ଗୁଡିକ ଉପର ଆସାମ ଏବଂ ବ୍ରହ୍ମପୁତ୍ରର ଉତ୍ତର ପାର୍ଶ୍ୱରେ 12ଟି ଜିଲ୍ଲାରେ ରହିଛି ।
ପ୍ରକାଶଥାଉକି, ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ରାଜ୍ୟରେ ହିଂସାର ଅନେକ ମାମଲା ସାମ୍ନାକୁ ଆସିଛି । ବାଙ୍କୁରା ଟିଏମସି କାର୍ଯ୍ୟାଳୟରେ ବୋମା ବିସ୍ଫୋରଣ ହୋଇଥିଲା, ଏଥିରେ ଅନେକ ଲୋକ ଆହାତ ହୋଇଥିଲେ । ଅନ୍ୟପଟେ ବୈରକପୁରରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମାଡ ମାରିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ