ଅମରାବତି: ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗ୍ରାମବାସୀ ପିଟି ପିଟି ହତ୍ୟା କରିଛନ୍ତି । ଅଭିଯୁକ୍ତର ଆକ୍ରମଣରେ ସମ୍ପୃକ୍ତ ନାବାଳିକାଜଣଙ୍କ ମଧ୍ୟ ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି । ଏପରି ଏକ ଅଭାବନୀୟ ଘଟଣା ଆନ୍ଧ୍ର ପ୍ରଦେଶର ଆନ୍ନାମୈୟା ଜିଲ୍ଲାର ଗୁରାମକୋଣ୍ଡା ଅଞ୍ଚଳରେ ଦେଖିବାକୁ ମିଳିଛି । ଉଭୟ ପୀଡିତା ଓ ଅଭିଯୁକ୍ତ ଗୋଟିଏ ଗ୍ରାମର ବାସିନ୍ଦା ହୋଇଥିବା ଜଣାପଡିଛି । ସୂଚନା ପାଇ ପୋଲିସ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁସାରେ, ସ୍କୁଲରେ ପଢୁଥିବା ସ୍ଥାନୀୟ ଜଣେ 13 ବର୍ଷୀୟା ନାବାଳିକାକୁ ଉକ୍ତ ଗ୍ରାମର ଜଣେ 43 ବର୍ଷୀୟ ବ୍ୟକ୍ତି ଦୁଷ୍କର୍ମ କରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ସମ୍ପୃକ୍ତ ପୀଡିତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଘଟଣା ସମ୍ପର୍କରେ ଖବର ପ୍ରଘଟ ହେବା ମାତ୍ରେ, ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲେ । ଅଭିଯୁକ୍ତ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ତାକୁ କାବୁ କରିବା ସହ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏଥିରେ ଅଭିଯୁକ୍ତ ଗୁରୁତର ହୋଇଥିଲା ଓ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ପୀଡିତା ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସାଧୀନ ରହିଛି ।
ସୂଚନା ପାଇ ପୋଲିସ ହସ୍ପିଟାଲରେ ପହଞ୍ଚି ତଥାକଥିତ ଅଭିଯୁକ୍ତର ମୃତଦେହ ଜବତ କରିଛି । ଗ୍ରାମରେ ମଧ୍ୟ ପୋଲିସ ଟିମ ପହଞ୍ଚିଛି । ଘଟଣାରେ ଏକ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ତଦନ୍ତର ଫଳାଫଳ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୋଲିସ କହିଛି । ସଂଘବଦ୍ଧ ଆକ୍ରମଣରେ ସମ୍ପୃକ୍ତ ଥିବା ଗ୍ରାମର ଅନେକ ବ୍ୟକ୍ତି ଏବେ ଫେରାର ହୋଇଯାଇଛନ୍ତି ।
ଅନ୍ୟପଟେ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତର ପୂର୍ବରୁ ମଧ୍ୟ ଅପରାଧିକ ମାମଲା ମଧ୍ୟ ରହିଛି । ନିଜ ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ସେ 7 ବର୍ଷ ଜେଲରେ ମଧ୍ୟ ରହିଥିଲା । ଗତ 2ବର୍ଷ ତଳେ ସେ ଜେଲରୁ ମୁକୁଳିଥିଲା । ଗ୍ରାମରେ ବାରମ୍ବାର ବିଶୃଙ୍ଖଳା ଓ ଆତଙ୍କ ଖେଳାଉଥିଲା । ମାରଣାସ୍ତ୍ର ଦେଖାଇ ଚୋରି ଓ ଲୁଟାପାଟ କରୁଥିବାର ଅଭିଯୋଗ ମଧ୍ୟ ଅଭିଯୁକ୍ତର ନାମରେ ରହିଛି । ପୋଲିସ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ବୟାନ ରେକର୍ଡ କରିବା ସହ ଆଇନକୁ ହାତକୁ ନେଇଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ