ଚଣ୍ଡିଗଡ: ମୋହାଲି ସ୍ଥିତ ଚଣ୍ଡିଗଡ ବିଶ୍ବବିଦ୍ୟାଳୟ(Chandigarh University)ରେ ଅତ୍ୟନ୍ତ ଅଭାବନୀୟ ଘଟଣା ପ୍ରକାଶ ପାଇଛି । ଏହି ବିଶ୍ବବିଦ୍ୟାଳୟର ୬୦ ଜଣ ଛାତ୍ରୀଙ୍କ MMS ଭାଇରାଲ ହୋଇଛି । ଏଠାରେ ପଢୁଥିବା ଜଣେ ଛାତ୍ରୀ ଅନ୍ୟ ଛାତ୍ରୀଙ୍କମାନଙ୍କ ଗାଧୋଇବା ସମୟର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହାସହିତ ସମ୍ପୃକ୍ତ ଛାତ୍ରୀ ଭିଡିଓଗୁଡିକୁ ନିଜର ଜଣେ ପୁରୁଷ ବନ୍ଧୁଙ୍କ ନିକଟକୁ ପଠାଇଛନ୍ତି । ନିଜର ଆପତ୍ତିଜନକ ଭିଡିଓ ଭାଇରାଲ ହେବା ପରେ କଲେଜର ୬୦ ଛାତ୍ରୀଙ୍କୁ ମଧ୍ୟରେ ୮ ଜଣ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏହି ଘଟଣାକୁ ନେଇ ଶନିବାର ରାତିରେ ବିଶ୍ବବିଦ୍ୟାଳୟ ପରିସରରେ ପ୍ରବଳ ହଙ୍ଗାମା ହୋଇଛି ।
ଶତାଧିକ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଛନ୍ତି । ବିଶ୍ବବିଦ୍ୟାଳୟ ପରିସରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛି । ସେପଟେ କିଛି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବାର ଖବର ମିଳିଥିବା ବେଳେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ଖଣ୍ଡନ କରିଛନ୍ତି । ବିକ୍ଷୋଭ ପ୍ରଦର୍ଶନ ସମୟରେ ଛାତ୍ରୀ ଅଚେତ ହୋଇଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି । ବର୍ତ୍ତମାନ ସେହି ଛାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।
ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ହରଜୋତ ସିଂହ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ୍ କରିଛନ୍ତି । ମନ୍ତ୍ରୀ କହିଛନ୍ତି, ''ଅଭିଯୁକ୍ତ ଖସି ଯାଇପାରିବ ନାହିଁ । ଏହା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା । ଏହା ଆମ ଭଉଣୀମାନଙ୍କ ସମ୍ମାନ ସହ ଜଡିତ ବିଷୟ । ତେଣୁ ଆମକୁ ସତର୍କତା ସହ କାର୍ଯ୍ୟ କରିବାକୁ ହେବ ବୋଲି ମନ୍ତ୍ରୀ କହିଛନ୍ତି ।''
ଏହାମଧ୍ୟ ପଢନ୍ତୁ: ବିବାହର 15 ଦିନରେ ପ୍ରେମିକ ସହ ମିଶି ସ୍ତ୍ରୀ ପୋଛିଲା ନିଜ ମଥା ସିନ୍ଦୂର
ସମ୍ପୂର୍ଣ୍ଣ ଘଟଣାକ୍ରମ ଅନୁଯାୟୀ, ବିଶ୍ବବିଦ୍ୟାଳୟ ଜଣେ ଛାତ୍ରୀ ହଷ୍ଟେଲର ୬୦ ଜଣ ଛାତ୍ରୀଙ୍କ ଗାଧୁଆ ସମୟର ଭିଡିଓ ଉତ୍ତୋଳନ କରିଥିଲେ । ଏହାକୁ ସେ ଶିମଲା ରହୁଥିବା ଜଣେ ଯୁବକଙ୍କ ନିକଟରୁ ପଠାଇଥିଲେ । ସେହି ଯୁବକ ଭିଡିଓ ଗୁଡିକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହି ଲଜ୍ଜା ସହ୍ୟ କରିନପାରି ୮ ଜଣ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଶନିବାର ମଧ୍ୟରାତ୍ରି ପ୍ରାୟ ସାଢେ ୨ଟା ସମୟରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଛାତ୍ରଛାତ୍ରୀ କଲେଜ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଭଙ୍ଗାରୁଜା କରିଥିଲେ । ତେବେ ଭିଡିଓ କରିଥିବା ଅଭିଯୁକ୍ତ ଛାତ୍ରୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । ଏହି ମାମଲାରେ ତଦନ୍ତ ଆରମ୍ଭ ହୋଇଛି ।