ନୂଆଦିଲ୍ଲୀ: ଆଜି ସ୍ଥଳସେନା ଉପମୁଖ୍ୟ ପଦରୁ ଅବସର ଗ୍ରହଣ କରିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ୍ ଚଣ୍ଡି ପ୍ରସାଦ ମହାନ୍ତି । ସେନା ଉପମୁଖ୍ୟଙ୍କ ଅବସର ନେଇ ସରକାରୀ ବିବୃତ୍ତିରେ ସୂଚନା ଦିଆଯାଇଛି । ଗତ ବର୍ଷ ଫେବୃଆରୀ 1 ତାରିଖରେ ଜେନେରାଲ ସିପି ମହାନ୍ତି ସ୍ଥଳସେନା ଉପମୁଖ୍ୟ ଭାବେ ଦାୟିତ୍ବ ସମ୍ଭାଳିଥିଲେ । ଉପମୁଖ୍ୟ ଭାବେ ଦାୟିତ୍ବ ପାଇବା ପୂର୍ବରୁ ସେନାର ଦକ୍ଷିଣ କମାଣ୍ଡର ନେତୃତ୍ବ ନେଉଥିଲେ ।
ଜେନେରାଲ ସିପି ମହାନ୍ତି ଡେରାଡୁନସ୍ଥିତ ଭାରତୀୟ ମିଲିଟାରି ଏକାଡେମୀରୁ ଉତ୍ତୀର୍ଣ୍ଣ ହେବା ପରେ 1982 ମସିହା ଜୁନ 12 ତାରିଖରେ ରାଜପୁତ ରେଜିମେଣ୍ଟରେ ନିଜ ସେନା କ୍ୟାରିୟର ଆରମ୍ଭ କରିଥିଲେ । ସେ ତାଙ୍କ କ୍ୟାରିୟରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ମିଶନରେ ନିଜର ସାମରିକ ନେତୃତ୍ବ ଦକ୍ଷତାର ପରିଚୟ ଦେଇଛନ୍ତି । ପ୍ରଥମେ ଭାରତ-ଚୀନ ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତୀୟ ସେନାର ନତୃତ୍ବ ନେବା ସହ ଜାତିସଂଘ ଦ୍ବାରା କଙ୍ଗୋରେ କରାଯାଇଥିବା ଶାନ୍ତି ପ୍ରତିଷ୍ଠା ମିଶନରେ ମଧ୍ୟ ସେ ଭାରତୀୟ ସେନାର ନେତୃତ୍ବ ନେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ