ମୁମ୍ବାଇ: ଆଜିଠୁ (ସୋମବାର) ମହାରାଷ୍ଟ୍ର ବିଧାନସଭାର 2 ଦିନିଆ ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ଅଧିବେଶନକୁ ନେଇ ମହାରାଷ୍ଟ୍ର ଠାରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତଙ୍କ ନଜର ରହିଛି । ଅଧିବେଶନ ଉଭୟ ସରକାରୀ ଓ ବିରୋଧୀ ଦଳ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି । ଏହି ସ୍ବଳ୍ପ ଅଧିବେଶନରେ ସରକାର ଅନେକ ଗୁରୁତ୍ବପୂର୍ଣ୍ଣ ବିଧେୟକ ଆଣିବାକୁ ଥିବା ବେଳେ ଅଧିବେଶନ ପୂର୍ବରୁ ବୟାନବାଜିକୁ ନେଇ ଏବେ ଆଶା ଆଶଙ୍କାରେ ମହାଅଘାଡୀ ସରକାର ।
ଗତକାଲି (ରବିବାର) ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟର ବିରୋଧୀ ଦଳନେତା ଦେବେନ୍ଦ୍ର ଫଡନାଭିସଙ୍କ ମନ୍ତବ୍ୟକୁ ନେଇ ଏବେ ରାଜନୀତି ବଢିବାରେ ଲାଗିଛି । ଠିକ ଏତିକି ବେଳେ ବିଧାନସଭାର ପରମ୍ପରା ଭାଙ୍ଗିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ପରମ୍ପରା ଅନୁସାରେ କୌଣସି ବିଧାନସଭା ଅଧିବେଶନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୈଶ୍ୟ ଭୋଜିର ଆୟୋଜନ କରିଥାନ୍ତି । ଏହା ଦ୍ବାରା ଅଧିବେଶନ ଉଭୟ ସରକାର- ବିରୋଧୀଙ୍କ ସହଯୋଗରେ ଶୃଙ୍ଖଳିତ ଭାବେ ପରିଚାଳନା ହେବା ନିଶ୍ଚିତ ହୋଇଥାଏ । କିନ୍ତୁ ଗତକାଲି (ରବିବାର) ସଂଧ୍ୟାରେ ହେବାକୁ ଥିବା ନୈଶ୍ୟ ଭୋଜିକୁ ବାତିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାତିଲର କାରଣ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିଲେ ମଧ୍ୟ ପରମ୍ପରା ଭଙ୍ଗ ହୋଇଛି ।
ଘଟଣାକୁ ନେଇ ମହାବିକାଶ ଅଘାଡୀରେ ଏବେ କମ୍ପନ । କାରଣ ନୈଶ୍ୟ ଭୋଜି ବାତିଲ କରି ମୁଖ୍ୟମନ୍ତ୍ରୀ ସରକାରରେ ଅବିଶ୍ବାସ ସୃଷ୍ଟି କରିଛନ୍ତି ବୋଲି ରାଜନୈତିକ ସମୀକ୍ଷକ ଆଲୋଚନା କଲେଣି । ଅନ୍ୟପଟେ ଏହି ସ୍ବଳ୍ପ ଅଧିବେଶନରେ ବିଧାନସଭା ବାଚସ୍ପତି ନିର୍ବାଚନ ହେବାର ଯଥେଷ୍ଟ ସମ୍ଭାବନା ଅଛି । କାରଣ କଂଗ୍ରେସ କୋଟାରୁ ବାଚସ୍ପତି ହୋଇଥିବା ନାନା ପଟେଲ ବାଚସ୍ପତି ପଦ ତ୍ୟାଗ କରି ଏବେ ରାଜ୍ୟ କଂଗ୍ରେସ ସଭାପତି ହୋଇଛନ୍ତି । ଫଳରେ ଏବେ ବାଚସ୍ପତି ପଦ ଖାଲି ପଡିଛି । ଏବେ ବାଚସ୍ପତି କିଏ ହେବେ ଓ କେଉଁ ଦଳରୁ ହେବେ ତାହା ଶିବସେନା-କଂଗ୍ରେସ-ଏନସିପି ସ୍ଥିର କରି ପାରୁନାହାଁନ୍ତି ।
ଠିକ ଏତିକି ବେଳେ ବିଜେପି ବିଧାୟକଙ୍କୁ ଶିବସେନା ସାଂସଦ ସଞ୍ଜୟ ରାଉତ ସାକ୍ଷାତ କରିବା, ବିଜେପି ବିଧାୟକ ଦଳନେତା ତଥା ପୂର୍ବତନ ମୂଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଶିବସେନାକୁ ନେଇ ଗଠନ ମୂଳକ ମନ୍ତବ୍ୟ ଦେବା ଅନେକ ସନ୍ଦେହ ବଢିବାରେ ଲାଗିଛି । ଯାହାକୁ ନେଇ ଏବେ ମହାରାଷ୍ଟ୍ରରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ରାଜନୀତି ହଲଚଲ ହୋଇଛି ।
@ANI