ନୂଆଦିଲ୍ଲୀ: ଗୁଜୁରାଟ ବହୁଚର୍ଚ୍ଚିତ ଗୋଧ୍ରା ଟ୍ରେନ୍ ପୋଡ଼ି ଘଟଣା ଏକ ଜଘନ୍ୟ କାଣ୍ଡ । ଏହା କୌଣସି ଏକକ ଅପରାଧ ଶ୍ରେଣୀଭୂକ୍ତ ମାମଲା ହୋଇପାରିବ ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ । ଏହା ସହ କୋର୍ଟ ଏହି ଘଟଣାରେ ସମ୍ପୃକ୍ତ 3 ଅଭିଯୁକ୍ତଙ୍କ ଜାମିନ୍ ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି । ଏହି 3 ଅଭିଯୁକ୍ତ ଉକ୍ତ ଦିନ ସାବରମତି ଏକପ୍ରେସରେ ପଥରମାଡ କରିବା, ଯାତ୍ରୀଙ୍କୁ ଆକ୍ରମଣ କରିବା, ସେମାନଙ୍କ ଜନିଷପତ୍ର, ଟଙ୍କା ଓ ଗହଣା ଲୁଟ କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ ।
2002 ଫେବୃଆରୀ 27 ତାରିଖରେ ଏହି ଟ୍ରେନ ପୋଡି କାଣ୍ଡ ଘଟିଥିଲା । ଏହା ହିଁ ଗୋଧ୍ରା ଦଙ୍ଗା ସୂତ୍ରପାତର ମୁଖ୍ୟ କାରଣ ଥିଲା । ଏହା ପରେ ସମଗ୍ର ଗୁଜୁରାଟରେ ଦଙ୍ଗା ଦେଖାଯାଇଥିଲା । ତେବେ ଏହି ଘଟଣାରେ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଫରଓ୍ବାର୍ଡ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ନ୍ୟାୟିକ ପ୍ରକ୍ରିୟା ମଧ୍ୟରେ ଅନେକଙ୍କ ମୃତ୍ୟୁ ମଧ୍ୟ ହୋଇସାରିଲାଣି ।
ଆଜି ଏହି ଅଭିଯୁକ୍ତଙ୍କ ବେଲ ଆବେଦନର ଶୁଣାଣି ପ୍ରଧାନ ବିଚାରପତି ଜଷ୍ଟିସ ଡି. ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠରେ ହୋଇଥିଲା । ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ସଞ୍ଜୟ ହେଗଡେ ତର୍କ ରଖିଥିଲେ । ଏହି 3 ଅଭିଯୁକ୍ତଙ୍କ ମଧ୍ୟରୁ 2ଜଣଙ୍କ ବିରୋଧରେ ଟ୍ରେନ୍କୁ ପଥରମାଡ଼ କରିବା ଓ ତୃତୀୟ ଅଭିଯୁକ୍ତ ବିରୋଧରେ ଯାତ୍ରୀଙ୍କୁ ଆକ୍ରମଣ କରି ସେମାନଙ୍କର ସାମଗ୍ରୀ ଲୁଟ୍ କରିବା ଅଭିଯୋଗ ରହିଛି । ହେଲେ ଅଭିଯୁକ୍ତଠାରୁ ପୋଲିସ କୌଣସି ସୁନା ଅଳଙ୍କାର ଜବତ କରି ପାରିନାହିଁ । ସେହିପରି ସେମାନେ ଦୀର୍ଘ ପ୍ରାୟ 18 ବର୍ଷ ହେବ ଜେଲ୍ରେ ରହିଛନ୍ତି । ସେମାନଙ୍କୁ ଜାମିନ ପ୍ରଦାନ କରାଯିବା ଉଚିତ ବୋଲି ଆବେଦନକାରୀ ଓକିଲ ଦର୍ଶାଇଥିଲେ ।
ଗୁଜୁରାଟ ସରକାରଙ୍କ ପକ୍ଷରୁ ସଲିସେଟର ଜେନେରାଲ ତୁଷାର ମେହେଟ୍ଟା ଓ ବରିଷ୍ଠ ଆଇନଜୀବୀ ସ୍ବାତି ଘିଲଦିଓ୍ବାଲ ପକ୍ଷ ରଖି ଜାମିନ ପ୍ରଦାନକୁ ବିରୋଧ କରିଥିଲେ । ଏହା ଏକକ ଅପରାଧିକ ମାମଲା ନୁହେଁ ବରଂ ସେମାନଙ୍କ ଆକ୍ରମଣରେ ଅନେକ ଯାତ୍ରୀ ଗୁରୁତର ହୋଇଥିଲେ ବୋଲି ସରକାରୀ ଓକିଲ କହିଥିଲେ । ତେବେ ଖଣ୍ଡପୀଠ ମଧ୍ୟ ଏହି ଘଠଣାକୁ ଅତି ସାଙ୍ଘାତିକ ବୋଲି କହିଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ୍ ଚନ୍ଦ୍ରଚୂଡ଼ ଏହାକୁ ଏକକ ଅପରାଧ ବଦଳରେ ଜଘନ୍ୟ କାଣ୍ଡ ଭାବେ ବିବେଚନା କରିବା ସହ ଅଭିଯୁକ୍ତଙ୍କ ବେଲ ଆବେଦନକୁ ଖାରଜ କରିଦେଇଥିଲେ ।
ଏହା ପୂର୍ବରୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା 8 ଜଣଙ୍କ ବେଲ ଆବେଦନକୁ ସର୍ବୋଚ୍ଚ କୋର୍ଟ ଗ୍ରହଣ କରିଥିଲେ । ଏହି ଦୋଷୀମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇ ସାରିଛି । ସେମାନେ 17 ରୁ 18 ବର୍ଷ ଧରି ଜେଲରେ ସଜ୍ଜା କାଟି ସାରିଛନ୍ତି । ଏହି ତର୍କରେ ସେମାନଙ୍କ ବେଲ୍ ଆବେଦନକୁ ଶୁଣାଣି ଯୋଗ୍ୟ ବୋଲି ସର୍ବୋଚ୍ଚ କୋର୍ଟ ଗ୍ରହଣ କରିଥିଲେ । ଏହି ମାମଲାରେ ଅନ୍ୟ 4 ଦୋଷୀଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ମୃତ୍ୟୁ ଦଣ୍ଡ ମିଳିସାରିଛି ।
ଏହି ଟ୍ରେନ୍ ପୋଡ଼ି କାଣ୍ଡରେ ମହିଳା ଓ ଶିଶୁଙ୍କୁ ମିଶାଇ ମୋଟ 59 ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଅଧିକାଂଶ ଅଯୋଧ୍ୟାରୁ ଫେରୁଥିବା କରସେବକ ଥିଲେ । ଏହାପରେ ସମଗ୍ର ଗୁଜୁରାଟରେ ଦଙ୍ଗା ଦେଖା ଯାଇଥିଲା । ଏଥିରେ ପ୍ରାୟ 2 ହଜାର ଲୋକଙ୍କ ପ୍ରାଣହାନୀ ହୋଇଥିଲା । ଦଙ୍ଗାରେ ମୃତକଙ୍କ ମଧ୍ୟରେ ଅଧିକାଂଶ ମୁସଲିମ ସମ୍ପ୍ରଦାୟର ଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ