ଡେରାଡୁନ: ଉତ୍ତରାଖଣ୍ଡ ହିମ ପ୍ରଳୟରେ ବର୍ତ୍ତାମାନ ସୁଦ୍ଧା 62 ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏବେ ମଧ୍ୟ 142 ଜଣ ନିଖୋଜଙ୍କୁ ଠାବ କରାଯାଇପାରିନାହିଁ । ଉଦ୍ଧାର ମୃତଦେହ ମଧ୍ୟରୁ 32 ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ସୁଦ୍ଧା ମଧ୍ୟ 28 ଜଣଙ୍କ ପରିଚୟ ମିଳି ପାରିନଥିବା ସୂଚନା ଦେଇଛି ଉତ୍ତରାଖଣ୍ଡ ବିପର୍ଯ୍ୟୟ ପ୍ରବନ୍ଧନ ପ୍ରାଧିକରଣ (UDMA) ।
ଏନେଇ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ମଧ୍ୟ 142 ଜଣ ନିଖୋଜ ଅଛନ୍ତି । ତେବେ ନିଖୋଜଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ମଧ୍ୟ ଅଦ୍ୟାବଧି ଜାରି ରହିଛି । ଭାରତୀୟ ସେନା, ଆଇଟିବିପି ଓ ଏନଡିଆରଏଫ ମିଳିତ ଭାବେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । କିଛି ମୃତଦେହ ଠାବ ହୋଇଥିବା ବେଳେ ଆଉ କିଛି ଶରୀରର ଖଣ୍ଡ ବିଖଣ୍ଡିତ ଅଂଶ ବିଶେଷ ମଧ୍ୟ ଠାବ ହୋଇଛି । ସେମାନଙ୍କ ପରିଚୟ ମିଳିବା ସମ୍ଭବ ହୋଇପାରିନାହିଁ ।
ଉତ୍ତରାଖଣ୍ଡର ଚମୋଲୀ ଅଞ୍ଚଳରେ 7 ତାରିଖ ଦିନ ହିମସ୍ଖଳନ ପରେ ଜଳପ୍ରଳୟ ଆସିଥିଲା । ଏଥିରେ ଅନେକ ନିଖୋଜ ହୋଇଯାଇଥିଲେ । ନିଖୋଜଙ୍କ ମଧ୍ୟରେ ଅଧିକ ତପୋବନ ଅଞ୍ଚଳରେ ନିର୍ମାଣଧିନ ପାଓ୍ବାର ପ୍ରକଳ୍ପରେ କାର୍ଯ୍ୟରତ ଶ୍ରମିକ ଥିବା ଜଣାପଡିଛି ।
ବିପର୍ଯ୍ୟୟ ପରେ ଟନେଲ ଓ କିଛି ସ୍ଥାନରେ ଫସିଥିବା ବ୍ୟକ୍ତିଙ୍କୁ ତୁରନ୍ତ ଉଦ୍ଧାର କରିବାରେ ସଫଳ ହୋଇଥିଲେ ଆଇଟିବିପି ଯବାନ । ପରେ ତଥ୍ୟ ଆଧାରରେ ପ୍ରାୟ 180 ରୁ 200 ଜଣ ନିଖୋଜ ଥିବା ଜଣାପଡିବା ପରେ ସର୍ଚ୍ଚ ଅପରେସନକୁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯାଇଥିଲା । ଏବେ ସୁଦ୍ଧା କିଛି ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ନିଖୋଜଙ୍କୁ ଠାବ କରିବାପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ