ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁଯାଉଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଲକ୍ଷ୍ନୌରୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ସରଗରମ ହେଉଛି ରାଜନୀତି । ନିକଟରେ ପଶ୍ଚିମବଙ୍ଗ ଦଖଲ କରିବାରେ ବିଫଳ ରହିଥିବା ଭାରତୀୟ ଜନତା ପାର୍ଟି ଏବେ କ୍ଷମତାରେ ଥିବା ଉତ୍ତରପ୍ରଦେଶକୁ କରିବାକୁ ଚାହୁଁନି ହାତଛଡା । ଏନେଇ ୟୁପି ନିର୍ବାଚନର ଅନେକ ଦିନ ପୂର୍ବରୁ ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ଅଣ୍ଟା ଭିଡିଛି ବିଜେପି ।
ଦିଲ୍ଲୀ ଗସ୍ତରେ ଅଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି ଯୋଗୀ । ଦୁଇ ନେତାଙ୍କ ମଧ୍ୟରେ ପାଖାପାଖି ଦେଢଘଣ୍ଟା ପର୍ଯ୍ୟନ୍ତ ବୈଠକ ହୋଇଛି । ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ଯୋଗୀ ।
ମୋଦିଙ୍କ ସହ ସାକ୍ଷାତ ପରେ ଯୋଗୀ ମଧ୍ୟାହ୍ନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ମଧ୍ୟ ଭେଟିବେ । ଏହି ସମୟରେ ୟୁପିରେ କ୍ୟାବିନେଟ ବିସ୍ତାର ଉପରେ ଚର୍ଚ୍ଚା ହୋଇପାରେ ।
ଏପଟେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ବଢୁଥିବା ରାଜନୈତିକ ହଲଚଲ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ପିଏମ ମୋଦି ଓ ନଡ୍ଡାଙ୍କ ମଧ୍ୟରେ ବୈଠକ ମଧ୍ୟ ବେଶ ମହତ୍ବପୂର୍ଣ୍ଣ କୁହାଯାଇପାରେ । କାରଣ ଏହି ଦୁଇ ନେତାଙ୍କୁ ଶନିବାର ଭେଟିବେ ଯୋଗୀ ଆଦିତ୍ୟନାଥ ।
ଏହା ପୂର୍ବରୁ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବିଜେପିର ଏକ ବଡ ବୈଠକ ହୋଇଥିଲା । ଏହି ବୈଠକ ପରେ ଭିନ୍ନ ଭିନ୍ନ କଥା ସାମ୍ନାକୁ ଆସିଥିଲା । ଦିଲ୍ଲୀରେ ଗୋଟିଏ ପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକ କରୁଥିବାବେଳେ ଏପଟେ ଲକ୍ଷ୍ନୌରେ ୟୁପି ବିଜେପି ପ୍ରଭାରୀ ରାଧାମୋହନ ସିଂହ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଓ ବିଧାନସଭା ବାଚସ୍ପତି ହୃଦୟ ନାରାୟଣ ଦିକ୍ଷିତଙ୍କ ସହ ସାକ୍ଷାତ କରିଥିଲେ । ଏହି ସାକ୍ଷାତକାର ପରେ ୟୁପି ମନ୍ତ୍ରୀମଣ୍ଡଳ ବିସ୍ତାର ଅନୁମାନ ବଢିଥିଲା । ହେଲେ ପରେ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା ।
ବର୍ତ୍ତମାନ ସିଏମ ଯୋଗୀ ଆଦିତ୍ୟନାଥଙ୍କ ଦିଲ୍ଲୀ ଗସ୍ତ ପରେ ସେ ପିଏମ ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟି ସରକାର ଓ ସଂଗଠନରେ ଅଦଳବଦଳ ଉପରେ ଚର୍ଚ୍ଚା କରିପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ଆଉ ଆଗକୁ ଉତ୍ତରପ୍ରଦେଶ ଉତ୍ତରପ୍ରଦେଶ ନିର୍ବାଚନୀ ଯଜ୍ଞର ପ୍ରସ୍ତୁତି ପାଇଁ ଦଳ କି ପ୍ରକାର ଆୟୋଜନ କରୁଛି ତାହା ଆଗାମୀ ଦିନରେ ଜଣାପଡିବ ।