ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଆଜମଗଡରେ ଛାତିଥରା ଘଟଣା । ଲୁଟ କରିବାକୁ ବୃଦ୍ଧ ଦମ୍ପତିଙ୍କୁ ବୀଭତ୍ସ ହତ୍ୟା । ହାତ ପାଦ କାଟି ହତ୍ୟା କରିବା ପରେ ଘରୁ ଟଙ୍କା, ସୁନା ଓ ରୂପା ଲୁଟି ନେଇ ଚମ୍ପଟ ମାରିଲେ ଲୁଟେରା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି କାୟାମୁଦ୍ଦିନପାଟ୍ଟୀ ପାର୍ସା ଗ୍ରାମର ବୃଦ୍ଧ ବିଶ୍ୱନାଥ ଏବଂ ତାଙ୍କ ପତ୍ନୀ ସାନ୍ତାରି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଗତ ରବିବାର ବିଳମ୍ବିତ ରାତିରେ ଘଟିଥିଲା ଏହି ହତ୍ୟାକାଣ୍ଡ । କିଛି ଦୁର୍ବୃତ୍ତ ଧାରୁଆ ଅସ୍ତ୍ର ଧରି ଘର ମଧ୍ୟକୁ ପ୍ରବେଶ କରିଥିଲେ । ଏହାପରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରି ଲୁଟପାଟ କରି ଫେରାର ହୋଇଯାଇଥିଲେ । ସକାଳ ସମୟରେ ଦମ୍ପତିଙ୍କ ମୃତଦେହ ବାହାରେ ପଡିଥିବା ଦେଖି ଗ୍ରାମବାସୀ ତୁରନ୍ତ ପୋଲିସକୁ ଘଟଣା ସମ୍ପର୍କରେ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ବର୍ତ୍ତମାନ ସୁଦ୍ଧା ଦୁର୍ବୃତ୍ତଙ୍କ ପତ୍ତା ମିଳିପାରିନି ।
ମୃତକଙ୍କ ସାନ ପୁଅ ରାମ ଲଖନ ସୋନକର କହିଛନ୍ତି ଯେ, 12 ବର୍ଷ ପୂର୍ବେ ବାପା ନିଜାମାବାଦ ପାର୍ସା ଠାରେ 3 ଏକର ଜମି କିଣିଥିଲେ । ସେଠାରେ ବାପା ଓ ମାଆ ଗୋଟିଏ ଘର କରି ରହୁଥିଲେ । ପରିବାର ସଦସ୍ୟମାନେ ସପ୍ତାହରେ 2ରୁ 3 ଥର ଆସି ସେମାନଙ୍କୁ ସାକ୍ଷାତ କରୁଥିଲେ । ଶନିବାର ଦିନ ମୁଁ ଜମିରେ ପାଣି ମଡାଇବାକୁ ଆସିଥିଲି । ସୋମବାର ଦିନ ବାପା ଓ ମାଆଙ୍କୁ ଦେଖା କରିବାକୁ ଆସିଥିବା ବେଳେ ତାଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଥିବା ଜାଣିବାକୁ ପାଇଥିଲି ।
ଦୁର୍ବୃତ୍ତମାନେ ମୋ ବାପାମାଆଙ୍କୁ ହତ୍ୟା କରି ଲୁଟ କରିଛନ୍ତି । ମାଆଙ୍କ ପାଦ କାଟି ରୂପା ପାଉଁଜି ନେଇ ଯାଇଛନ୍ତି । ବାପାଙ୍କ ହାତ ମଧ୍ୟ କାଟି ଦେଇଛନ୍ତି । ବାପା ବେକରେ ଏକ ସୁନା ଚେନ ପିନ୍ଧିଥିଲେ ଓ ମାଆ କାନରେ ସୁନା କାନଫୁଲ ପିନ୍ଧିଥିଲେ । ଏସବୁ ନେବା ସହ ଘରେ ଥିବା ନଗଦ ଟଙ୍କା ମଧ୍ୟ ଦୁର୍ବୃତ୍ତମାନେ ଧରି ଚମ୍ପଟ ମାରିଥିବା କହିଛନ୍ତି ମୃତକଙ୍କ ପୁଅ ।
ଏହା ମଧ୍ୟ ପଢନ୍ତୁ-ନୃଶଂସତାର ସୀମା ପାର, ଯୁବକଙ୍କ ଗଳା କାଟି ରକ୍ତ ପିଇଲା ଅଭିଯୁକ୍ତ
ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଦମ୍ପତିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଗୋଡ ଓ ହାତରେ ମଧ୍ୟ ଆଘାତ ଲାଗିଛି । ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ହସ୍ପିଟାଲକୁ ପଠାଯାଇଛି । ତେବେ ଦୁର୍ବୃତ୍ତମାନେ ଲୁଟ କରିଥିବା କୁହାଯାଉଥିବା ବେଳେ ପାରିବାରିକ ବିବାଦରୁ ଏପରି ହୋଇଥାଇ ପାରେ ବୋଲି ପୋଲିସ ସନ୍ଦେହ କରୁଛି । ତଦନ୍ତ ପରେ ହତ୍ୟାକାଣ୍ଡରେ ଜଡିତ ଥିବା ଅଭିଯୁକ୍ତଙ୍କୁ ଗିରଫ କରାଯିବ ।