ମୁମ୍ବାଇ: ଜାମିନରେ ଆସିଲେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କୁ ଚାପୁଡା ମାରିବା ମନ୍ତବ୍ୟ ଦେଇ ଗତକାଲି(ମଙ୍ଗଳବାର) ଗିରଫ ହୋଇଥିଲେ ମନ୍ତ୍ରୀ । ବାବାସାହେବ ଶୈଖ ପାରିଲର ମାଜିଷ୍ଟ୍ରେଟ କୋର୍ଟ ରାଣେଙ୍କୁ ଜାମିନ ଦେବା ସାଙ୍ଗକୁ ୧୫ ହଜାର ଟଙ୍କା ଜୋରିମାନା ପକାଇଛନ୍ତି । ଏଥିସହ ଆସନ୍ତା ସପ୍ତାହ ଅଗଷ୍ଟ ୩୦ ରୁ ସେପ୍ଟେମ୍ବର ୬ ମଧ୍ୟରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁଯାୟୀ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡା ମାରିବାକୁ କହି ବିବାଦରେ ଛନ୍ଦି ହୋଇଥିଲେ । ସେ ବିଜେପିର ଜନ ଆଶୀର୍ବାଦ ଯାତ୍ରା କରୁଥିବା ସମୟରେ ମହାରାଷ୍ଟ୍ରର ରାୟଗଡ ଜିଲ୍ଲା ମହାଡରେ କହିଥିଲେ ଯେ, 'ସ୍ବାଧୀନତା ଦିବସ ଦିନ ଭାଷଣ ଦେବା ସମୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହା କେତେତମ ସ୍ବାଧୀନତା ଦିବସ ଜାଣି ନ ଥିଲେ । ଭାଷଣ ମଝିରେ ସେ ତାଙ୍କ ସହଯୋଗୀଙ୍କୁ ଏକଥା ପଚାରିଥିଲେ । ମୁଖ୍ୟମନ୍ତ୍ରୀ ହୋଇ ଏକଥା ଭୁଲିଯିବା ଦୁର୍ଭାଗ୍ୟର ବିଷୟ । ଯଦି ସେ ମୋ ପାଖରେ ଥାନ୍ତେ ତେବେ ମୁଁ ତାଙ୍କୁ ଶକ୍ତ ଚାପୁଡା ଟିଏ ମାରିଥାନ୍ତି ।'
ଏହାକୁ ନେଇ ନାସିକ ଠାରୁ ମୁମ୍ବାଇ ପର୍ଯ୍ୟନ୍ତ ଜୋରଦାର୍ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିଭିନ୍ନ ସ୍ଥାନରେ ୩୬ଟି ମାମଲା ରୁଜୁ ହୋଇଥିଲା । ଏପରିକି ମୁମ୍ବାଇ ବାସଭବନ ନିକଟରେ ବିଜେପି ଓ ଶିବସେନା କର୍ମୀଙ୍କ ମଧ୍ୟରେ ପ୍ରବଳ ମାରପିଟ୍ ପରେ ପୋଲିସ ଲାଠିଚାର୍ଜ କରିଥିବା ନଜର ଆସିଥିଲା । ଏହାପରେ ରତ୍ନଗିରି ପୋଲିସ ରାଣେଙ୍କୁ ଗତକାଲି ଅପରାହ୍ନରେ ଗିରଫ କରି ରାୟଗଡ ପୋଲିସ ହେପାଜତରେ ଛାଡିଥିଲା । ରାୟଗଡ ପୋଲିସ ତାଙ୍କୁ ସନ୍ଧ୍ୟାରେ ମାହାଦ ଏମଆଇଡିସି ଥାନାକୁ ଆଣିଥିଲା । ଏଠାରେ ଡାକ୍ତରୀ ପରୀକ୍ଷା ପରେ ବାବାସାହେବ ଶୈଖ ପାରିଲର ମାଜିଷ୍ଟ୍ରେଟ କୋର୍ଟକୁ ନିଆଯାଇଥିଲା ।
ରାଣେଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଉଜ୍ଜଲ ନିକମ ଓ ଭାହୁ ସାଲୁଙ୍କେ ଯୁକ୍ତି ଉପସ୍ଥାପନ କରିଥିଲେ । ଶୁଣାଣି ସମୟରେ ପୋଲିସ ରାଣେଙ୍କ ବେଲ୍ ଆବେଦନକୁ ବିରୋଧ କରି ତାଙ୍କୁ ୭ ଦିନିଆ ରିମାଣ୍ଡରେ ମାଗିଥିଲା । ତେବେ କୋର୍ଟ ଉଭୟ ପକ୍ଷଙ୍କ ଶୁଣାଣି କରି ରାତି ୧୧ ରେ ରାଣେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଅନ୍ୟପଟେ ବିଗତ ୨୦ ବର୍ଷ ପରେ ଜଣେ କେନ୍ଦ୍ର ମନ୍ତ୍ରୀଙ୍କୁ ଗିରଫ କରାଯାଇଥିବା ଚର୍ଚ୍ଚା ହେଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ