ହାଇଦ୍ରାବାଦ: ଆଜିର ଶିଶୁ ଆସନ୍ତାକାଲିର ନାଗିରକ । ଯୁବପୀଢୀଙ୍କୁ ଦେଶର ଭବିଷ୍ୟତ କୁହାଯାଏ । ଏଣୁ ପିଲାମାନଙ୍କ ସାମଗ୍ରିକ ବିକାଶ ପାଇଁ ୟୁନିସେଫ ପ୍ରତିଷ୍ଠା କରାଯାଇଛି । ଶିଶୁଙ୍କ ସ୍ବାସ୍ଥ୍ୟ, ପୋଷଣ ଓ ଶିକ୍ଷା ଭଳି ମୌଳିକ କଲ୍ୟାଣରେ ଉନ୍ନତି ପାଇଁ ସାରା ବିଶ୍ବରେ ବର୍ତ୍ତମାନ ୟୁନିସେଫ କାର୍ଯ୍ୟ କରୁଛି । ମିଳିତ ଜାତିସଂଘର ସାଧାରଣ ସଭା ଦ୍ବାରା 1946 ମସିହା ଡିସେମ୍ବର 11 ତାରିଖରେ ୟୁନିସେଫ ପ୍ରତିଷ୍ଠା କରାଯାଇଥିଲା । ପୋଲାଣ୍ଡ ବୈଜ୍ଞାନିକ ଲୁଡଓ୍ବିକ ଡ ରାଚମାନ ଏହାକୁ ଗଠନ କରିଥିଲେ । ଏହାର ପୁରା ନାମ ଥିଲା 'ୟୁନାଇଟେଡ ନେସନ ଚିଲ୍ଡେନ୍ସ ଫଣ୍ଡ' । ଆଜି ୟୁନିସେଫକୁ 74 ବର୍ଷ ପୁରିଛି ।
ଦ୍ବିତୀୟ ବିଶ୍ବଯୁଦ୍ଧ କାଳରେ ମୁଖ୍ୟତଃ ଶିଶୁମାନେ ବିଶେଷ ରୂପେ ପ୍ରଭାବିତ ହୋଇଥିଲେ । ସେମାନଙ୍କ ସ୍ବାସ୍ଥ୍ୟ, ଶିକ୍ଷା ଏବଂ ବୌଦ୍ଧିକ ବିକାଶ କ୍ଷେତ୍ରରେ ଅବନତି ଘଟିଥିଲା । ଏଣୁ ଏହି ବିଶ୍ବଯୁଦ୍ଧରେ ପ୍ରଭାବିତ ପିଲାମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ 1946 ମସିହାରେ ୟୁନିସେଫ ପ୍ରତିଷ୍ଠା କରାଯାଇଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ୟୁରୋପ, ଚୀନ ଏବଂ ମିଡିଲ ଇଷ୍ଟ ଯୁଦ୍ଧ ଦ୍ବାରା ଅସୁସ୍ଥ ପିଲାମାନଙ୍କୁ ସାହାର୍ଯ୍ୟ କରିବା ।
ୟୁନିସେଫ ମୂଳତଃ ମିଳିତ ଜାତିସଙ୍ଘର 'ଅନ୍ତର୍ଜାତୀୟ ଶିଶୁ ଜରୁରୀକାଳୀନ ପାଣ୍ଠି' ଭାବେ ନାମିତ ହୋଇଥିଲା । ମାତ୍ର 1953 ମସିହାରେ ଏଥିରୁ 'ଅନ୍ତର୍ଜାତୀୟ' ଏବଂ 'ଜରୁରୀକାଳୀନ' ଆଦି ଦୁଇଟି ଶବ୍ଦ ହଟାଇ ଦିଆଗଲା । ହେଲେ ଏହାର ଆକ୍ଷରିକ ନାମ ସମାନ ରହିଛି । ବର୍ତ୍ତମାନ 190 ଟି ଦେଶ ୟୁନିସେଫର ସଦସ୍ୟ ଅଟନ୍ତି । ବିଶ୍ବର ବିଭିନ୍ନ ସ୍ବାସ୍ଥ୍ୟ ସଙ୍ଗଠନ ବିଶେଷକରି 'ହୁ'(ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ) ର ସହଯୋଗରେ ବର୍ତ୍ତମାନ ବିଶ୍ବବ୍ୟାପୀ ଶିଶୁଙ୍କ ସ୍ବାସ୍ଥ୍ୟ, ଶିକ୍ଷା ଓ କଲ୍ୟାଣ ପାଇଁ ୟୁନିସେଫ କାର୍ଯ୍ୟ କରୁଛି ।
1953 ମସିହାରେ ୟୁନିସେଫ ଜାତିସଙ୍ଘର ସ୍ଥାୟୀ ସଦସ୍ୟ ପାଲଟିଥିଲା । ଭାରତରେ 1949 ରେ ଏହା କାର୍ଯ୍ୟ କରିବା ଆରମ୍ଭ କରିଥିଲା ଏବଂ ଏହାର ତିନି ବର୍ଷ ପରେ ଦିଲ୍ଲୀରେ ଏକ କାର୍ଯ୍ୟାଳୟ ପ୍ରତିଷ୍ଠା କରିଥିଲା । ସମ୍ପ୍ରତ୍ତି ଏହି ସଙ୍ଗଠନ ଦେଶର 16 ଟି ରାଜ୍ୟର ପିଲାମାନଙ୍କ ଅଧିକାର ପାଇଁ ଲଢେଇ କରୁଛି ।
1965 ରେ ୟୁନିସେଫକୁ ଶିଶୁଙ୍କ କଲ୍ୟାଣ ଦିଗରେ କାର୍ଯ୍ୟ କରିବା ନେଇ ଶାନ୍ତି କ୍ଷେତ୍ରରେ 'ନୋବେଲ' ପୁରସ୍କାର ପ୍ରଦାନ କରାଯାଇଥିଲା । ଭାରତରେ ମଧ୍ୟ ୟୁନିସେଫକୁ 'ଇନ୍ଦିରା ଗାନ୍ଧୀ ଶାନ୍ତି' ପୁରସ୍କାରେ ସମ୍ମାନିତ କରାଯାଇଥିଲା । ୟୁନିସେଫର ହେଡକ୍ବାର୍ଟର ନିଉୟର୍କରେ ଅବସ୍ଥିତ । ବର୍ତ୍ତମାନ ୟୁନିସେଫର ମୁଖ୍ୟ ହେଉଛନ୍ତି ହାନରିଟା ଏଚ ଫୋର ।
ୟୁନିସେଫର ଗୁରୁତ୍ବ :
. ୟୁନିସେଫ ବର୍ତ୍ତମାନ 190 ଟି ଦେଶ ତଥା କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟ କରୁଛି । ପିଲାମାନଙ୍କର ଜୀବନ ବଞ୍ଚାଇବା, ସେମାନଙ୍କର ଅଧିକାର ରକ୍ଷା କରିବା ଏବଂ ବାଲ୍ୟକାଳରୁ ଯୁବାବସ୍ଥା ପର୍ଯ୍ୟନ୍ତ ସେମାନଙ୍କ ସାମର୍ଥ୍ୟ ପୂରଣ କରିବାରେ ଏହା ସାହାଯ୍ୟ କରିଥାଏ |
. ଶିଶୁ ଅଧିକାର ଉପରେ ମିଳିତ ଜାତିସଙ୍ଘର ସମ୍ମିଳନୀ ହେଉଛି ୟୁନିସେଫର ମୁଖ୍ୟ ଆଧାର । ଏହି ସମ୍ମିଳନୀରେ 54 ଟି ଆର୍ଟିକିଲ ରହିଛି, ଯାହା ଏକ ଶିଶୁ ଜୀବନର ସମସ୍ତ ଦିଗକୁ ଅନ୍ତର୍ଭୁକ୍ତ କରିଥାଏ । ଏହା
ନାଗରିକ, ରାଜନୈତିକ, ଅର୍ଥନୈତିକ, ସାମାଜିକ ତଥା ସାଂସ୍କୃତିକ ଅଧିକାରକୁ ସୁନିଶ୍ଟିତ କରାଇଥାଏ ।
. ଏହି ସଙ୍ଗଠନ କୌଶୋର ବିକାଶ, ଲିଙ୍ଗଗତ ସମାନତା, ଶୁଶୁ ସୁରକ୍ଷା, ଭିନ୍ନକ୍ଷମ ଶିଶୁ, ଜଳବାୟୁ ପରିବର୍ତ୍ତନ ଏବଂ ମୌଳିକ ସୁବିଧାରୁ ବଞ୍ଚିତ ପିଲାମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା କ୍ଷେତ୍ରରେ କାର୍ଯ୍ୟ କରିଥାଏ ।
. ୟୁନିସେଫର ମୂଳ ଲକ୍ଷ୍ୟ ହେଉଛି ସବୁ ପିଲାଙ୍କୁ ସୁସ୍ଥ, ଆନନ୍ଦ ଓ ନିରାପଦରେ ବଞ୍ଚିବାର ସୁଯୋଗ ଦେବା ।
. ୟୁନିସେଫର 2018 ରିପୋର୍ଟ ଅନୁଯାୟୀ, ଏହା 27 ନିୟୁତ ଶିଶୁଙ୍କ ସ୍ବାସ୍ଥ୍ୟ ସୁବିଧା, ପାଖାପାଖି 65.5 ନିୟୁତ ଶିଶୁଙ୍କ ପାଇଁ ପେଣ୍ଟାଭାଲେଣ୍ଟ ଟୀକା, 12 ନିୟୁତ ପିଲାଙ୍କ ପାଇଁ ଶିକ୍ଷା ଏବଂ ହାରାହାରି 4 ନିୟୁତ ପୁଷ୍ଟିହୀନ ଶିଶୁଙ୍କ ଚିକିତ୍ସା ପାଇଁ ସାହାର୍ଯ୍ୟ କରୁଛି ।
ଏହି ସଙ୍ଗଠନ 2019 ମସିହା ସୁଦ୍ଧା 5 ବର୍ଷରୁ କମ ବୟସ୍କର 307 ନିୟୁତ ପିଲାଙ୍କ କ୍ଷେତ୍ରରେ ପୁଷ୍ଟିହୀନତା ରୋକିବା ସହ 4 ମିଲିୟନ ଶିଶୁ ଏବଂ ଯୁବକଙ୍କ କ୍ଷେତ୍ରରେ ଦକ୍ଷତା ବିକାଶ, 18.3 ମିଲିୟନ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ପରିମଳ ସେବା ଯୋଗାଇବାରେ ସଫଳ ହୋଇପାରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ