ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ସଂଘର୍ଷପୂର୍ଣ୍ଣ ସ୍ଥିତି ବର୍ତ୍ତମାନ ଅତି ଗମ୍ଭୀର ସ୍ତରକୁ ପରିବର୍ତ୍ତିତ ହୋଇଛି । ସ୍ଥିତି ଏପରି ହେଲାଣି କୌଣସି ମୂହୂର୍ତ୍ତରେ ଋଷ ଆକ୍ରମଣ କରିବାର ଆଶଙ୍କା ଲାଗି ରହିଛି । ୟୁକ୍ରେନ ସୀମାରୁ ମାତ୍ର ପ୍ରାୟ ୨୦ କିମି ଦୂରରେ ଋଷ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ସମରସଜ୍ଜା କରିସାରିଥିବା ବେଳେ କେବଳ ରାଷ୍ଟ୍ରପତି ପୁଟିନଙ୍କ ଅନୁମତିରୁ ଅପେକ୍ଷା କରିଥିବା କୁହାଯାଉଛି ।
ଏପରି ସ୍ଥଳେ ୟୁକ୍ରେନ ମଧ୍ୟ ସମ୍ଭାବ୍ୟ ଆକ୍ରମଣ ନେଇ ଦେଶରେ ଜରୁରୀ ସ୍ଥିତି ଘୋଷଣା କରିଛି । କୌଣସି ଆକ୍ରମଣକୁ ପ୍ରତିହତ କରିବା ପାଇଁ ୟୁକ୍ରେନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ ହୋଇସାରିଥିବା ସହ ବିଶ୍ବର ପ୍ରମୁଖ ଶକ୍ତିଙ୍କ ଜରିଆରେ ସଙ୍କଟ ଟାଳିବା ପାଇଁ ଆପ୍ରାଣ ପ୍ରଚେଷ୍ଟା ମଧ୍ୟ କରୁଛି ୟୁକ୍ରେନ ।
ୟୁକ୍ରେନ ସୀମାରେ ଋଷ ସେନାର ସମରସଜ୍ଜା ସମ୍ପର୍କରେ ସାଟେଲାଇଟରେ ଉଦବେଗଜନକ ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ଋଷସେନା ପକ୍ଷରୁ କ୍ୟାମ୍ପ ପ୍ରସ୍ତୁତ କରାଯାଇ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ସହ ସୈନ୍ୟଙ୍କୁ ପ୍ରସ୍ତୁତ ରଖାଯାଇଛି । ସେହିପରି ଆକ୍ରମଣରେ ଆହତ ହେବାକୁ ଥିବା ସୈନ୍ୟଙ୍କ ଚିକିତ୍ସା ପାଇଁ ଅସ୍ଥାୟୀ ଭାବେ ହସ୍ପିଟାଲ ନିର୍ମାଣ କରିଛି ଋଷ । ଚଳିତ ବର୍ଷ ପ୍ରାରମ୍ଭରୁ, ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିବା ସହ ଋଷ ଧିରେ ଧିରେ ନିଜ ସେନା ୟୁକ୍ରେନ ସୀମା ଆଡକୁ ବଢାଇବାରେ ଲାଗିଥିଲା । ଗତ କିଛି ଦିନ ତଳେ ଋଷ ସେନାର ପ୍ରାୟ 30,000 ସୈନ୍ୟ ଯୁଦ୍ଧାଭ୍ୟାସ ମଧ୍ୟ କରିଥିଲେ ।
ଅନ୍ୟପଟେ ଶକ୍ତିଶାଳୀ ଋଷ ସାମ୍ନାରେ ବେସ ଅସହାୟ ହୋଇ ପଡିଥିବା ୟୁକ୍ରେନ ବର୍ତ୍ତମାନ ଆମେରିକା ସମତେ କିଛି ପଶ୍ଚିମ ରାଷ୍ଟ୍ରର ନିରନ୍ତର ସହଯୋଗରେ ରହିଛି । ଏପରି ସ୍ଥଳେ ଋଷକୁ ଆକ୍ରମଣରୁ ନିବୃତ୍ତ କରିବାରୁ କୌଣସି କୂଟନୈତିକ ଉପାୟ ଫଳପ୍ରଦ ଦେଉନଥିବା ବେଳେ ଆର୍ଥିକ ତଥା ବାଣିଜ୍ୟିକ କଟକଣା ଲଗାଇବାକୁ ଉଦ୍ୟମ କରିଛନ୍ତି କିଛି ପଶ୍ଚିମ ରାଷ୍ଟ୍ର ।
ରାଷ୍ଟ୍ରପତି ଜୋ ବିଡେନ ଗତକାଲି (ମଙ୍ଗଳବାର) କହିଛନ୍ତି ଋଷ ବିରୋଧରେ ଦୁଇଟି ବୃହତ ଆର୍ଥିକ କଟକଣା ଲାଗୁ କରିବ ଆମେରିକା । ସେହିପରି ଆମେରିକା ବ୍ୟତୀତ ନ୍ୟୁଜିଲ୍ୟାଣ୍ଡ, ଜର୍ମାନୀ ଏବଂ ବ୍ରିଟେନ ସମେତ ଅନ୍ୟାନ୍ୟ ଦେଶ ମଧ୍ୟ ଆର୍ଥିକ କାରବାର ନେଇ କଟକଣା ଜାରି କରିବା ସହ ଋଷ ଆକ୍ରମଣରୁ କ୍ଷାନ୍ତ ନହେଲେ ଅନ୍ୟ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛନ୍ତି ।
ଗତକାଲି ଋଷ ରାଷ୍ଟ୍ରପତି ପୁଟିନ, ୟୁକ୍ରେନର ବିଦ୍ରାହୀ ଅଞ୍ଚଳକୁ ୟୁକ୍ରେନ ଠାରୁ ପୃଥକ ତଥା ସ୍ବତନ୍ତ୍ର ରାଷ୍ଟ୍ର ମାନ୍ୟତା ନେଇ ଘୋଷଣା କରିିଥିଲେ । ପରେ ସେଠାକୁ ସୈନ୍ୟ ପ୍ରେରଣ ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଥିଲା । ଋଷର ଏହି ନିଷ୍ପତ୍ତି ଅନ୍ତର୍ଜାତୀୟ ନିୟମର ଖୋଲା ଉଲଙ୍ଘନ ବୋଲି ଆମେରିକା ସମେତ ଅନ୍ୟ କିଛି ଗଣତାନ୍ତ୍ରିକ ରାଷ୍ଟ୍ର କହିଛନ୍ତି । ସେହିପରି ଏସିଆର ଅନ୍ୟଶକ୍ତି ମହାଶକ୍ତି ଚୀନ ମଧ୍ୟ ଏହି ଘଟଣାରେ ଋଷର ଆଭିମୁଖ୍ୟକୁ ସମର୍ଥନ କରିବା ସହ ଏପରି ଉତ୍ତେଜନା ସୃଷ୍ଟି ପାଇଁ ଆମେରିକାକୁ ଦାୟୀ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ