ଚେନ୍ନାଇ: ସନାତନ ଧର୍ମ ବିରୋଧୀ ଟିପ୍ପଣୀକୁ ନେଇ ଦେଶରେ ବିବାଦ ଥମିନାହିଁ, ପୁଣିଥରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ । ପୂର୍ବରୁ ସନାତନ ଧର୍ମର ମୂଳତ୍ପୋଟନ ପାଇଁ କହିଥିବା ବେଳେ ଏଥର ବିଜେପିକୁ ବିଦା କରିବାକୁ ଆହ୍ବାନ ଦେଇଛନ୍ତି । ଉଦୟନିଧି ବିଜେପିକୁ ବିଷଧର ସାପ ସହ ତୁଳନା କରିଛନ୍ତି । ଏଥିସହ ରାଜ୍ୟରେ ବିଜେପିର ସହଯୋଗୀ ଦଳ AIADMKକୁ ସାପକୁ ଆଶ୍ରୟ ଦେଉଥିବା ଆବର୍ଜନା ବୋଲି କହି କଟାକ୍ଷ କରିଛନ୍ତି ଏବଂ ଦୁଇ ଦଳକୁ ବିଦା କରିବାକୁ ଅପିଲ୍ କରିଛନ୍ତି ।
ରବିବାର ଦିନ ତାମିଲନାଡୁର ନେଭେଲିରେ ଡିଏକେ ବିଧାୟକ ସଭା ରାଜେନ୍ଦ୍ରନଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟର କ୍ରୀଡା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଏହି ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ''ଯଦି ଗୋଟିଏ ବିଷଧର ସାପ ତୁମ ଘରେ ପଶିଯାଏ, ତାହେଲେ ତାକୁ କେବଳ ବାହର କରି ଫିଙ୍ଗିଦେଲେ ଚଳିବନି । କାରଣ ଏହି ସାପ ହୁଏତ ତୁମ ଘର ପାଖ ବୁଦା ଅଞ୍ଚଳରେ ଲୁଚି ଯାଇପାରେ । ଯେ ପର୍ଯ୍ୟନ୍ତ ତମେ ସେହି ବୁଦାକୁ ସଫା ନକରିଛ ସେ ପର୍ଯ୍ୟନ୍ତ ସାପ ତୁମ ଘରକୁ ଫେରି ଆସୁଥିବ ।'' ନିଜର ମନ୍ତବ୍ୟରେ ଉଦୟନିଧି, ତାମିଲନାଡୁକୁ ଘର, ବିଜେପିକୁ ବିଷାକ୍ତ ସାପ ଓ AIADMKକୁ ବୁଦା ସହ ତୁଳନା କରିଛନ୍ତି । ତେଣୁ ବିଜେପିକୁ ବିଦା କରିବା ପାଇଁ ରାଜ୍ୟରୁ AIADMKକୁ ମଧ୍ୟ ତଡିବାକୁ ପଡିବ ବୋଲି ସେ କହିଛନ୍ତି ।
ବରିଷ୍ଠ ଡିଏମକେ ନେତା ତଥା ଲୋକସଭା ସାଂସଦ ଏ ରାଜା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାପ ସହ ତୁଳନା କରିବାର କିଛି ଦିନ ପରେ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ଏହି ବିବାଦୀୟ ବୟାନ ସାମ୍ନାକୁ ଆସିଛି । ଡିଏମକେ ସାଂସଦ କହିଥିଲେ ଯେ, ସମସ୍ତେ ମୋଦି ନାମକ ସାପକୁ ହରାଇବାକୁ ପ୍ରସ୍ତୁତ ଅଛନ୍ତି, ହେଲେ ସାପ କାମୁଡା ଔଷଧ କାହା ପାଖରେ ନାହିଁ । ସମସ୍ତେ ଲାଠି ନେଇ ସାପକୁ ମାରିବାକୁ ଯାଉଛନ୍ତି, କିନ୍ତୁ ପୁଣି ସାପ ଦଂଶିବାର ଭୟ କରୁଛନ୍ତି । ଏହାର ଉପଚାର କାହା ପାଖରେ ନାହିଁ । ଏଥିସହ ସେ ସନାତନ ଧର୍ମକୁ ଏଚଆଇଭି ଓ କୁଷ୍ଠ ସହ ମଧ୍ୟ ତୁଳନା କରିଥିଲେ ।