ଭୋପାଳ: ଥମୁନି ଚିତା ମୃତ୍ୟୁ । ପୁଣି ମଧ୍ୟପ୍ରଦେଶ କୁନୋରୁ ଆସିଛି ଦୁଃଖଦ ଖବର । କୁନୋ ଜାତୀୟ ଉଦ୍ୟାନରେ ନାମିବ୍ୟା ମାଈ ଚିତା ଜ୍ବାଲା ଜନ୍ମ ଦେଇଥିବା ୪ ଶାବକଙ୍କ ମଧ୍ୟରୁ ଜଣେ ଦୁଇ ମାସର ଶାବକର ମୃତ୍ୟୁ ହୋଇଛି । ଯାହାଫଳରେ ଚିତା ଶାବକ ସଂଖ୍ୟା ୪ରୁ ୩କୁ କମିଯାଇଛି । ଏନେଇ ମଙ୍ଗଳବାର କୁନୋ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ କେଉଁ କାରଣରୁ ଛୁଆ ଚିତାଟିର ମୃତ୍ୟୁ ହୋଇଛି ତାହା ଜଣାପଡି ନଥିବା ବେଳେ ବର୍ତ୍ତମାନ ବନ ବିଭାଗର ଟିମ୍ ମୃତ୍ୟୁର କାରଣ ଅନୁଧ୍ୟାନ କରୁଛନ୍ତି ।
ନାମିବ୍ୟାରୁ କୁନୋ ଜାତୀୟ ଉଦ୍ୟାନ ଆସିଥିବା ମାଈ ଚିତା ଜ୍ବାଲା ଚଳିତ ବର୍ଷ ମାର୍ଚ୍ଚରେ ଚାରୋଟି ଶାବକ ଜନ୍ମ ଦେଇଥିଲା । ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଥିଲା । କିନ୍ତୁ ତା' ମଧ୍ୟରୁ ଗୋଟିଏ ଶାବକର ମୃତ୍ୟୁ ହୋଇଯାଇଛି । ପୂର୍ବରୁ କୁନୋରେ ୩ ଜଣ ଆଫ୍ରିକୀୟ ଚିତାଙ୍କ ମୃତ୍ୟୁ ଘଟିସାରିଛି । ଗତ ୩ ମାସ ଭିତରେ ଚିତା ମୃତ୍ୟୁର ଏହା ଚତୁର୍ଥ ଘଟଣା । ଏବେ କୁନୋରେ ଚିତା ଶାବକ ସଂଖ୍ୟା ତିନି ରହିଛି । ଯାହାକୁ ନେଇ ଏବେ କୁନୋ ପରିଚାଳନା ବିଭାଗ ଓ ପ୍ରଶାସନ ଉପରେ ଆଙ୍ଗୁଳି ଉଠିଛି ।
ଗତ ମାର୍ଚ୍ଚରେ ଦକ୍ଷିଣ ଆଫ୍ରିକା ନାମିବ୍ୟାରୁ ଅଣାଯାଇଥିବା ଚିତା ଶଶାର ମୃତ୍ୟୁ ହୋଇଥିଲା । ଏପ୍ରିଲରେ ଆଉ ଗୋଟିଏ ଚିତା ଉଦୟ ଆଖି ବୁଜିଥିଲା । ଗତ ମେ' ୯ ତାରିଖରେ ତୃତୀୟ ଚିତା ଦକ୍ଷାର ମଧ୍ୟ ମୃତ୍ୟୁ ହୋଇଯାଇଥିଲା । ୩ ମାସ ଭିତରେ ଚିତା ମୃତ୍ୟୁର ଏହା ଚତୁର୍ଥ ଘଟଣା ହୋଇଥିବାବେଳେ ଏନେଇ ଉଦବେଗ ପ୍ରକାଶ ପାଇଛି ।
ପ୍ରକାଶଥାଉ କି, ପ୍ରୋଜେକ୍ଟ ଚିତା ଅଧିନରେ ଦୁଇଟି ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକାରୁ ଭାରତକୁ ୨୦ଟି ଚିତା ଅଣାଯାଇଥିଲା । ଗତବର୍ଷ ସେପ୍ଟେମ୍ବରରେ ନାମିବ୍ୟାରୁ ୮ ଚିତାବାଘ ଭାରତ ଆସିଥିଲେ । ନିଜ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିତାମାନଙ୍କୁ ମଧ୍ୟପ୍ରଦେଶ ସ୍ଥିତ କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ । ଏହାପରେ ଗତ ଫେବୃୟାରୀରେ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୨ ଚିତା କୁନୋ ଆସିଥିଲେ ।
ଏହାମଧ୍ୟ ପଢନ୍ତୁ: ମୁସଲିମ ମହିଳାଙ୍କ ସହ ସପିଂ କରିବାକୁ ଯାଇଥିଲେ ହିନ୍ଦୁ ଯୁବକ, ଜାଣନ୍ତୁ କଣ ହେଲା
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ