ହାଇଦ୍ରାବାଦ: ରାଜ୍ୟରୁ କୋଭିଡ ଲକଡାଉନ ହଟାଇବା ପରେ ଆନ୍ତଃରାଜ୍ୟ ବସ ଚଳାଚଳ ପାଇଁ ଗ୍ରୀନ ସିଗନାଲ ଦେଇଛନ୍ତି ତେଲେଙ୍ଗାନା ସରକାର । ଆନ୍ତଃରାଜ୍ୟ ବସସେବା ପୂର୍ବଦିନ ପରି ସ୍ବାଭାବିକ ଭାବେ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଆସନ୍ତାକାଲି ଠାରୁ ପଡୋଶୀ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକକୁ ଆରମ୍ଭ ହେବ ବସ ସର୍ଭିସ । ଆନ୍ଧ୍ରପ୍ରଦେଶ ଲକଡାଉନ୍ ନିୟମାବଳୀ ଅନୁଯାୟୀ ବସ ସେବା ଚଳାଇବାକୁ ତେଲେଙ୍ଗାନା ରାଜ୍ୟ ପରିବହନ ନିଗମ (TSRTC) ନିଷ୍ପତ୍ତି ନେଇଛି । ସକାଳ 6 ଟାରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଯାତାୟାତ କରୁଥିବା ରୁଟରେ ବସ ସେବା ଆରମ୍ଭ କରିବାକୁ ଯୋଜନା କରିଛି ।
ସେହିପରି ଅନ୍ୟ ଏକ ପଡୋଶୀ ରାଜ୍ୟ କର୍ଣ୍ଣାଟକକୁ ମଧ୍ୟ ପୂର୍ବ ଭଳି ବସ ଚଳାଚଳ କରିବ । କର୍ଣ୍ଣାଟକ ସରକାର ଜାରି କରିଥିବା ସମସ୍ତ କୋଭିଡ ଗାଇଡଲାଇନ ମୁତାବକ ସକାଳ 5 ଟାରୁ ସନ୍ଧ୍ୟା 7 ଟା ପର୍ଯ୍ୟନ୍ତ କର୍ଣ୍ଣାଟକର ବିଭିନ୍ନ ସ୍ଥାନକୁ ବସ ସେବା ଆରମ୍ଭ କରିବ ତେଲେଙ୍ଗାନା ରାଜ୍ୟ ପରିବହନ ନିଗମ । କିନ୍ତୁ ବେଙ୍ଗାଲୁରୁ ସହରରକୁ ବର୍ତ୍ତମାନ ବସ ସେବା ଆରମ୍ଭ ହେବ ନାହିଁ । ବେଙ୍ଗାଲୁରୁର ସାମ୍ପ୍ରତିକ କୋଭିଡ ସ୍ଥିତିକୁ ଦେଖି ବର୍ତ୍ତମାନ ବସ ସେବା ଆରମ୍ଭ କରିବାକୁ ଅନୁମତି ଦେଇନାହିଁ ତେଲେଙ୍ଗାନା । ସପ୍ତାହ ଶେଷ କର୍ଫ୍ୟୁ ଯୋଗୁଁ କର୍ଣ୍ଣାଟକରେ ଶୁକ୍ରବାର ସନ୍ଧ୍ୟା ଠାରୁ ସୋମବାର ସକାଳ ପର୍ଯ୍ୟନ୍ତ ସେବା ସ୍ଥଗିତ ରହିବ ବୋଲି ଘୋଷଣା କରିଛି ।
ସେହିପରି ଆସନ୍ତାକାଲି ଠାରୁ ଆନ୍ଧ୍ର ପ୍ରଦେଶ ପରିବହନ ନିଗମ (APSRTC)ମଧ୍ୟ ପଡୋଶୀ ତେଲେଙ୍ଗାନାକୁ ଆନ୍ତଃରାଜ୍ୟ ବସ ସେବା ଆରମ୍ଭ କରିବାକୁ ଯାଉଛି । ଏହି ବସ ସେବା ବେଳେ କୋଭିଡ କଟକଣାର ସମ୍ପୂର୍ଣ୍ଣ ଅନୁପାଳନ ଉପରେ ଧ୍ୟାନ ଦେବେ ଦୁଇ ରାଜ୍ୟର ପରବହନ ନିଗମ କର୍ତ୍ତୃପକ୍ଷ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ