ଗୌହାଟୀ: ଆସାମରେ ବନ୍ୟା ପରେ ଭୁସ୍ଖଳନ । ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ହଜାର ଲୋକ ପ୍ରଭାବିତ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି । ପ୍ରବଳ ବର୍ଷା କାରଣରୁ ଶନିବାର ଡିମା ହାସାଓ ଜିଲ୍ଲାର ହାଫଲଙ୍ଗରେ ଏହି ଭୁସ୍ଖଳନ ହୋଇଥିଲା । ତେବେ ବର୍ଷା ଯୋଗୁଁ ଗତ ୨ଦିନ ହେଲା ଆସାମରେ ଅନେକ ନଦୀରେ ଜଳସ୍ତର ବଢିଛି, ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଚଳିତ ବର୍ଷର ଏହା ପ୍ରଥମ ବନ୍ୟା ପରିସ୍ଥିତି ।
ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ବନ୍ୟା ରିପୋର୍ଟ ପ୍ରକାଶ କରାଯାଇଛି । ରିପୋର୍ଟ ଅନୁଯାୟୀ ମେ' ୧୪ ପର୍ଯ୍ୟନ୍ତ ୬ଟି ଜିଲ୍ଲାର ୭୪ଟି ଗ୍ରାମର ୨୪ ହଜାର ୬୮୧ଜଣ ଲୋକ ଏହି ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ୧୭୩୨.୭୨ ଫସଲ ଜମି ନଷ୍ଟ ହୋଇଛି । କେବଳ କାଚର ଜିଲ୍ଲାରେ ୨୧ ହଜାରରୁ ଉର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଛନ୍ତି । ଗତକାଲି ସୁରକ୍ଷାକର୍ମୀ, ପାରା-ମିଲିଟାରୀ ଫୋର୍ସ, SDRF, ଅଗ୍ନିଶମ ଦ୍ବାରା ବନ୍ୟା ପ୍ରଭାବିତ ଅଞ୍ଚଳରୁ ୨,୧୫୦ ଲୋକଙ୍କୁ ଉଦ୍ଧାର କରିଛନ୍ତି । ନାଗାଓଁ, ଲକ୍ଷ୍ମୀପୁର, ହୋଜାଇରେ ଅନେକ ରାସ୍ତା, ବ୍ରିଜ୍ ଏବଂ ଜଳସେଚନ କେନାଲ ନଷ୍ଟ ହୋଇଯାଇଛି ।