ଏହା ଏମିତି ଏକ ପ୍ରେମ କାହାଣୀ, ଯାହା ବାସ୍ତବରେ ଏକ ତିକ୍ତ ଅନୁଭୂତିର ରୂପ ନେଲା ! ଆମେ ସମସ୍ତେ ହ୍ବାଟ୍ସଆପ୍ ପାଲରେ ପଡ଼ିଗଲୁ । ତାହା ବି ଏମିତି ଏକ ସମୟରେ, ଯେତେବେଳେ ଟେକ୍ସଟ ମେସେଜ୍ ବା ଏସ୍ଏମ୍ଏସ୍ ପଠାଇବା ମାଗଣା ନଥିଲା ଏବଂ ଆଜିକାଲି ଭଳି ଶସ୍ତାରେ ଡାଟା ପ୍ୟାକ୍ ମିଳୁ ନଥିଲା । ବ୍ୟକ୍ତିଗତ ମେସେଜ୍ ତୁଳନାରେ ବାଣିଜ୍ୟିକ ବିଜ୍ଞାପନ ମେସେଜ୍ରେ ମେସେଜ୍ ବକ୍ସ ଭରିଯାଉଥିଲା । ସେହି ସମୟରେ ଏମିତି ଏକ ମାଗଣା ମେସେଞ୍ଜର ଆପ୍ ଆସିଲା, ଯାହାକି ‘ଆପଣଙ୍କ ବ୍ୟକ୍ତିଗତ ତଥ୍ୟକୁ ସମ୍ମାନ ଦିଏ ବୋଲି ଦାବି କଲା ଏବଂ ଚାହୁଁ ଚାହୁଁ ଆମ ଦେହମନର ସତ୍ତାକୁ ଆବୋରି ବସିଲା । ହ୍ବାଟ୍ସଆପ୍ ଆରମ୍ଭ କରିବା ଦିନଠାରୁ ଆମ ମନରେ ଏମିତି ସବୁ ଧାରଣା ବସା ବାନ୍ଧିଲା ଯେ, ଏଥିରେ ଆମର ଏକାନ୍ତ ବ୍ୟକ୍ତିଗତ ତଥ୍ୟ ସଂପର୍କିତ କେତେକ ନୀତିନିୟମ ଅନୁସୃତ ହେଉଛି ଏବଂ ତେଣୁ ଏହା ଆମ ପାଇଁ ସର୍ବୋତ୍ତମ ମନେ ହେଲା । ସୁତରାଂ, ଟେକ୍ସଟ ମେସେଜ୍ ସର୍ଭିସ୍ ଛାଡ଼ି ହ୍ବାଟ୍ସଆପ୍କୁ ଆପଣେଇ ନେବା ଲାଗି ଏହା ହିଁ ଆମକୁ ଅନୁପ୍ରେରିତ କରିଥିଲା ।
ଦୁର୍ଭାଗ୍ୟର କଥା ଯେ, ଏହାର ଗୋଟିଏ ଦଶନ୍ଧି ପରେ ହ୍ବାଟ୍ସଆପ୍ର ନୂତନ ନୀତିରେ ଏହି ବ୍ୟବସ୍ଥା ଆଉ ନାହିଁ ଏବଂ ଏହି କାରଣରୁ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ବା ଡାଟା ପ୍ରାଇଭେସି ସଂପର୍କରେ ଘୋର ଉଦ୍ବେଗ ପ୍ରକାଶ ପାଇଛି । ଏହା ସାଙ୍ଗକୁ ହ୍ବାଟ୍ସଆପ୍ ଆମକୁ କହୁଛି ଯେ, “ଆପଣ ଯଦି ହ୍ବାଟ୍ସଆପ୍ ବ୍ୟବହାର ଅବ୍ୟାହତ ରଖିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଏହି ନୂତନ ନୀତି ସମୂହକୁ ଗ୍ରହଣ କରିବାକୁ ପଡ଼ିବ ।” ଏହାର ବାସ୍ତବଧର୍ମୀ ଅର୍ଥ ହେଉଛି ଯେ, ଯଦି ବ୍ୟବହାରକାରୀମାନେ ହ୍ବାଟ୍ସଆପ୍ ଉପଯୋଗ ଜାରି ରଖିବାକୁ ଚାହିଁବେ ଏବଂ ନୂତନ ନୀତିକୁ ଗ୍ରହଣ କରିନେବେ, ସେମାନଙ୍କ ସଂପର୍କିତ ବ୍ୟକ୍ତିଗତ ତଥ୍ୟ ‘ଫେସ୍ବୁକ୍ କମ୍ପାନୀ ସମୂହ’ ପାଖକୁ ଚାଲିଯିବ । ଅନ୍ୟଥା, 2021 ଫେବ୍ରୁଆରୀ 8 ତାରିଖ ସୁଦ୍ଧା ସେମାନଙ୍କର ଆକାଉଣ୍ଟ ଡିଲିଟ୍ ହୋଇଯିବ । ଆପାତତଃ, ଏଥିରେ ବ୍ୟବହାରକାରୀଙ୍କୁ ହିଁ କିଛି ନା କିଛି ହରାଇବାକୁ ପଡ଼ିବ ବୋଲି ମନେହୁଏ ।
ହ୍ବାଟ୍ସଆପ୍ର ନୂତନ ପଲିସି ଅପ୍ଡେଟ୍ ସଂପର୍କରେ ଆମେ କାହିଁକି ଚିନ୍ତିତ ହେବା ଉଚିତ ?
ସୁପ୍ରିମ କୋର୍ଟ ଓକିଲ ଏବଂ ‘ସାଇବର ସାଥୀ’ର ସଂସ୍ଥାପକ ଏନ୍.ଏସ. ନାପ୍ପିନାଇ ଯଥାର୍ଥରେ କହନ୍ତି ଯେ, “କେବଳ ହ୍ବାଟ୍ସଆପ୍ ନୁହେଁ, ବରଂ ଯେ କୌଣସି ପ୍ଲାଟ୍ଫର୍ମ ହେଉ ନା କାହିଁକି, ସୋସିଆଲ୍ ନେଟ୍ୱର୍କ ହେଉ କିମ୍ବା ଏକ ମେସେଞ୍ଜର ଆପ୍, ବ୍ୟବହାରକାରୀ ଏହାର ସେବା ପାଇବା ଲାଗି ଏହାର ନୀତି ସହିତ ଥରେ ସମ୍ମତ ହେବା ପରେ, ଏହାର ନୀତି ସଂପର୍କିତ ବିବରଣୀରେ କୌଣସି ପ୍ରକାର ପରିବର୍ତ୍ତନ ବ୍ୟବହାରକାରୀଙ୍କ ପାଇଁ ହାନିକାରକ ହେବ ଏବଂ ଏହା ବିବେକାନୁମୋଦିତ ନୁହେଁ କି ଅନୁମତିଯୋଗ୍ୟ ନୁହେଁ ।”
2014 ମସିହାକୁ ଫେରିଯିବା । ଫେସ୍ବୁକ୍ ଇନ୍କର୍ପୋରେଟେଡ୍ ହ୍ବାଟ୍ସଆପ୍କୁ 19 ବିଲିଅନ୍ (ଶହ କୋଟି) ଡଲାରରେ ଅଧିଗ୍ରହଣ କଲା । ଟେକ୍ନୋଲୋଜି ଜଗତର ଇତିହାସରେ ଏହି ଅଧିଗ୍ରହଣ ସର୍ବାଧିକ ମୂଲ୍ୟ ସମ୍ବଳିତ ବୋଲି ବିବେଚିତ ହୁଏ । ସେତେବେଳେ ହ୍ବାଟ୍ସଆପ୍ ବ୍ୟବହାରକାରୀଙ୍କ ସଂଖ୍ୟା ଥିଲା ପ୍ରାୟ 45 କୋଟି । ଏବଂ କେବଳ ଏହି ସଂଖ୍ୟାକୁ ବାଦ୍ ଦେଲେ ହ୍ବାଟ୍ସଆପ୍ କୌଣସି ପ୍ରକାର ରାଜସ୍ବ ଉପାର୍ଜନ କରୁ ନଥିବା ସମୟରେ ଏହାକୁ ଏତେ ମୂଲ୍ୟରେ କିଣିବା ଘଟଣାକୁ କେନ୍ଦ୍ର କରି ଅନେକ ଭ୍ରୂକୁଞ୍ଚନ ସୃଷ୍ଟି ହୋଇଥିଲା । ତେବେ ଏହାକୁ ଫେସ୍ବୁକ୍ର ‘ଡାଟା ମନୋପଲି’ ବା ସଂଗୃହୀତ ତଥ୍ୟର ଏକଚାଟିଆ କାରବାର ଅଭିମୁଖେ ଏକ ପଦକ୍ଷେପ ବୋଲି ବିଶେଷଜ୍ଞମାନେ ଗ୍ରହଣ କରିନେଲେ । ସଂପ୍ରତି ଫେସ୍ବୁକ୍ ପାଖରେ ସବୁଠାରୁ ଅଧିକ ଡାଉନ୍ଲୋଡ୍ ହେଉଥିବା ଚାରିଟି ଆପ୍ - ଫେସ୍ବୁକ୍, ଫେସ୍ବୁକ୍ ମେସେଞ୍ଜର, ଇନ୍ଷ୍ଟାଗ୍ରାମ ଏବଂ ହ୍ବାଟ୍ସଆପ୍-ର ମାଲିକାନା ରହିଛି ଏବଂ ଫେସ୍ବୁକ୍ର ପ୍ରରୋଚନାରେ ହ୍ବାଟ୍ସ୍ଆପ୍ର ଏହି ନୂତନ ନୀତି ପ୍ରଣୀତ ହୋଇଛି ବୋଲି କୁହାଯାଉଛି ।
ଡାଟା ହିଁ ନୂତନ ଇନ୍ଧନ
ଆଜିର ଏହି ଏକବିଂଶ ଶତାବ୍ଦୀରେ ଏବଂ ଡିଜିଟାଲ ରୂପାନ୍ତରଣ ଯୁଗରେ, ବାସ୍ତବରେ ଇନ୍ଧନକୁ ସ୍ଥାନଚ୍ୟୁତ କରି ଡାଟା ହିଁ ସବୁଠାରୁ ମୂଲ୍ୟବାନ ସାମଗ୍ରୀ ରୂପରେ ଉଭା ହୋଇଛି । ଏବଂ ଏହା ସହିତ ଡାଟା ପାଇଁ ଏବେ ଏକ ନୂତନ ଲୋକପ୍ରିୟ ଉକ୍ତି ପ୍ରଚଳିତ ହୋଇଛି ଯେ, ଡାଟା ହିଁ ନୂତନ ତୈଳ ବା ଇନ୍ଧନ । ଅଧିକରୁ ଅଧିକ ଡାଟା ଆହରଣ ପାଇଁ ଗୁଗ୍ଲ, ଫେସ୍ବୁକ୍, ଆମାଜନ୍ ଭଳି ବିଶ୍ବର ବଡ଼ ବଡ଼ କମ୍ପାନୀ ମଧ୍ୟରେ ଲାଗି ରହିଥିବା ପ୍ରତିଯୋଗିତାରୁ ଏହା ପ୍ରମାଣିତ ହୁଏ । ତେବେ ପାରମ୍ପରିକ ଏକଚାଟିଆ କାରବାର କ୍ଷେତ୍ରରେ ଦରବୃଦ୍ଧି ଭଳି ଡାଟା ମନୋପଲି କ୍ଷେତ୍ରରେ ତାହା ହୋଇନାହିଁ ଏବଂ ଗ୍ରାହକଙ୍କ ପାଇଁ କୌଣସି ଦରବୃଦ୍ଧି ଘଟିନାହିଁ । ଏଭଳି ଘଟିବାର ବଡ଼ କାରଣ ହେଉଛି ଯେ, ଏବେ ଅଧିକାଂଶ କ୍ଷେତ୍ରରେ ଡିଜିଟାଲ ସେବା ମାଗଣାରେ ପ୍ରଦାନ କରାଯାଉଛି । ଏହା ଫଳରେ ଡିଜିଟାଲ ସେବା ପ୍ରଦାନକାରୀ ସଂସ୍ଥାର ବ୍ୟାବସାୟିକ ନୀତି ସଂପର୍କରେ ସାଧାରଣ ବ୍ୟବହାରକାରୀମାନେ ଚିନ୍ତା କରନ୍ତି ନାହିଁ କି ଏଥିରେ ମୁଣ୍ଡ ଖେଳାନ୍ତି ନାହିଁ । ଏବଂ ଏହାର ପରିଣାମରେ ହିଁ ବ୍ୟବହାରକାରୀମାନଙ୍କର ବ୍ୟକ୍ତିଗତ ତଥ୍ୟର ଗୋପନୀୟତା ଏବଂ ସୁରକ୍ଷା ବା ଡାଟା ପ୍ରାଇଭେସି ଓ ଡାଟା ସିକ୍ୟୁରିଟି ପ୍ରତି ଗୁରୁତ୍ବ ଆରୋପ କରାଯାଏ ନାହିଁ । ଡାଟା ମନୋପଲି ପାଇଁ ଯେଉଁ ଲଢ଼େଇ ଚାଲେ ସେଥିରେ କେବଳ ବ୍ୟବହାରକାରୀ ଓ ସେମାନଙ୍କର ବ୍ୟକ୍ତିଗତ ତଥ୍ୟାବଳୀ ହିଁ ପ୍ରଭାବିତ ହୁଅନ୍ତି ।
ଡାଟା ପ୍ରାଇଭେସି
ଜଣେ ବ୍ୟବହାରକାରୀ ଇଣ୍ଟରନେଟ୍ରେ ତାଙ୍କ ସଂପର୍କିତ ବ୍ୟକ୍ତିଗତ ତଥ୍ୟକୁ କେତେବେଳେ, କେମିତି ଏବଂ କେତେ ପରିମାଣରେ ପ୍ରଦାନ କରିପାରିବେ ବା ଅନ୍ୟମାନଙ୍କୁ ଜଣାଇପାରିବେ ତାହା ଡାଟା ପ୍ରାଇଭେସି ଦ୍ବାରା ନିର୍ଦ୍ଧାରିତ ହୁଏ । ଏହି ବ୍ୟକ୍ତିଗତ ତଥ୍ୟାବଳୀରେ ଜଣଙ୍କର ନାଁ, ସେ କେଉଁଠାରେ ରହୁଛନ୍ତି, ତାଙ୍କ ସହ ସଂପର୍କ ସ୍ଥାପନ ଲାଗି ତଥ୍ୟ, କିମ୍ବା ଅନ୍ଲାଇନ ବା ରିଅଲ୍-ୱାର୍ଲଡ୍ରେ ତାଙ୍କ ଆଚରଣ ଭଳି ତଥ୍ୟ ରହିପାରେ ।
ହ୍ବାଟ୍ସଆପ୍ର ପଲିସି ଅପ୍ଡେଟ୍ ଏବଂ ଡାଟା ପ୍ରାଇଭେସି
ଇଣ୍ଟରନେଟ୍ ସୁରକ୍ଷା ବିଶେଷଜ୍ଞ ଏବଂ ‘ଇନ୍ନେଫୁ ଲାବ୍ସ’ ସଂସ୍ଥାର ସହ-ସଂସ୍ଥାପକ ତରୁଣ ୱିଗ୍ କହନ୍ତି, ଯେତେବେଳେ ହ୍ବାଟ୍ସଆପ୍ରେ ଏକ ଆକାଉଣ୍ଟ ସୃଷ୍ଟି ହୁଏ, ଏହା ଫୋନ୍ର ମଡେଲ, ଅପରେଟିଂ ସଫ୍ଟୱେୟାର, ବ୍ୟାଟେରୀ ଷ୍ଟାଟସ୍, ସିଗ୍ନାଲ ଷ୍ଟ୍ରେଂଥ୍, ଟାଇମ୍ ଜୋନ୍, ଆଇପି ଆଡ୍ରେସ୍, ହ୍ବାଟ୍ସ୍ଆପ୍ ବ୍ୟବହାର ସଂପର୍କିତ ତଥ୍ୟ ସହିତ ଯଦି କୌଣସି ନେଣଦେଣ ହୋଇଥିବ, ତେବେ ଦେୟ ଓ କାରବାରର ବିସ୍ତୃତ ବିବରଣୀ, ଷ୍ଟାଟସ୍ ଅପ୍ଡେଟ୍ସ, ଗ୍ରୁପ୍ ବିବରଣୀ, ପ୍ରୋଫାଇଲ୍ ପିକ୍ଚର ଏବଂ ସର୍ବଶେଷ ଅପ୍ଡେଟ୍ ସଂପର୍କିତ ତଥ୍ୟ ହାସଲ କରିଥାଏ । ଏସବୁ ସହିତ ହ୍ବାଟ୍ସଆପ୍ରେ ଯେଉଁ ସବୁ ମିଡିଆ ଫାଇଲ୍ ଆଦାନପ୍ରଦାନ ହୁଏ ସେସବୁ ବି ଏହାର ସର୍ଭରରେ ସଂରକ୍ଷିତ ହୋଇ ରହେ । ତଥାପି, ହ୍ବାଟ୍ସଆପ୍ ଚାଟ୍ ସବୁ ‘ଏଣ୍ଡ୍-ଟୁ-ଏଣ୍ଡ୍ ଏନ୍କ୍ରିପ୍ଟେଡ୍’ ଏବଂ ଏଥିରେ କରାଯାଉଥିବା କଲ୍ର କୌଣସି ଲଗ୍ ରହେନାହିଁ । ହେଲେ ମିଡିଆ ଫାଇଲ୍ର ‘ଏଣ୍ଡ୍-ଟୁ-ଏଣ୍ଡ୍ ଏନ୍କ୍ରିପ୍ସନ’ ସଂପର୍କରେ କମ୍ପାନୀ କିଛି କହେନାହିଁ । ଆଜିକାଲି ପ୍ରାୟ ସମସ୍ତଙ୍କର ହ୍ବାଟ୍ସଆପ୍, ଫେସ୍ବୁକ ଏବଂ ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ରହିଛି । ଏହି ସବୁ ମିଡିଆ ଫାଇଲ୍ ସହିତ ହ୍ବାଟ୍ସଆପ୍ ଦ୍ବାରା ସଂଗୃହୀତ ଡାଟା ଫେସ୍ବୁକ୍ର ହସ୍ତଗତ ହେଲେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରକ୍ରିୟାରେ ଏହାର ବିଶ୍ଲେଷଣ କରାଯିବ ଏବଂ ମୌଳିକ ତଥ୍ୟକୁ ଅଧିକ ଅର୍ଥପୂର୍ଣ୍ଣ ଏବଂ ଉପଯୋଗୀ ତଥ୍ୟରେ ପରିଣତ କରାଯିବ । ଯେମିତି କି ସ୍ବାସ୍ଥ୍ୟ ସଂପର୍କିତ ତଥ୍ୟ, ବୃତ୍ତିଗତ ଏବଂ ନିଯୁକ୍ତି ସଂପର୍କିତ ତଥ୍ୟ, କମ୍ଫ୍ୟୁଟରରେ ଇଣ୍ଟରନେଟ୍ ବ୍ୟବହାର, ଆର୍ଥିକ ଏବଂ ରହୁଥିବା ସ୍ଥାନ ସଂପର୍କିତ ତଥ୍ୟ ଇତ୍ୟାଦି । କିନ୍ତୁ, ହ୍ବାଟ୍ସଆପ୍, ଫେସ୍ବୁକ୍ ଏବଂ ଇନ୍ଷ୍ଟାଗ୍ରାମ କିମ୍ବା ଫେସ୍ବୁକର ଅନ୍ୟ କମ୍ପାନି ମଧ୍ୟରେ ବ୍ୟବହାରକାରୀଙ୍କ ସଂପର୍କିତ ତଥ୍ୟ ଆଦାନପ୍ରଦାନ କରାଗଲେ ଏହାଦ୍ବାରା ସର୍ବସାଧାରଣ ମଞ୍ଚରେ ଅନେକ ବ୍ୟକ୍ତିଗତ ତଥ୍ୟ ପ୍ରକାଶ ପାଇବ ଏବଂ ଏହା ବିପଜ୍ଜନକ ହୋଇପାରେ ।
ଡାଟା ବ୍ରିଚ୍ କେତେ ବିପଦପୂର୍ଣ୍ଣ
ଭାରତ ଭଳି ଏକ ଦେଶରେ ହ୍ବାଟ୍ସଆପ୍ ନିତିଦିନିଆ ଜୀବନର ଜରୁରୀ ଉପାଦାନ ରୂପେ ବିବେଚିତ ହେଉଥିବା ବେଳେ ହ୍ବାଟ୍ସଆପ୍ର ଏହି ନୂତନ ପଲିସି ଅପ୍ଡେଟ୍କୁ କେନ୍ଦ୍ର କରି ବ୍ୟବହାରକାରୀଙ୍କ ମଧ୍ୟରେ ଏକପ୍ରକାର ଉନ୍ମାଦ ସୃଷ୍ଟି ହୋଇଛି । ଇଣ୍ଟରନେଟ୍ ସୁରକ୍ଷା ଗବେଷକ ରାଜଶେଖର ରାଝାରିଆ କହନ୍ତି, “ଆସନ୍ତୁ, ଆମେ ସମସ୍ତେ ଗ୍ରହଣ କରିନେବା ଯେ ଡିଜିଟାଲ ଯୁଗରେ ଡାଟା ପ୍ରାଇଭେସି ଏକ ଅବାନ୍ତର କଥା । ଅନେକ ୱେବ୍ସାଇଟ୍ ଏବଂ ଆପ୍ ଆମ ସଂପର୍କରେ ତଥ୍ୟ ନେଇ ହିଁ ଆମକୁ ସେବା ପ୍ରଦାନ କରନ୍ତି । ହେଲେ, ବେଳେବେଳେ ଏହି ଆପ୍ଗୁଡ଼ିକ ଆବଶ୍ୟକତାଠାରୁ ଅଧିକ ଡାଟା ସଂଗ୍ରହ କରନ୍ତି ଏବଂ ଆଉ ବେଳେବେଳେ ଏହି ଡାଟା ପ୍ରାଇଭେସିକୁ ସୁରକ୍ଷିତ ରଖିବା ପାଇଁ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥାଏ । ଏସବୁ ଫଳରେ ବ୍ୟକ୍ତିଗତ ତଥ୍ୟ ପଦାରେ ପଡ଼ିବା ଭଳି ସ୍ଥିତି ସୃଷ୍ଟି ହୁଏ ।” ଭାରତରେ, ସ୍କୁଲ କାର୍ଯ୍ୟକ୍ରମର ସଂଯୋଜନାରୁ ଆରମ୍ଭ କରି ବାସିନ୍ଦା ସଂଘର କଲ୍ୟାଣମୂଳକ କାର୍ଯ୍ୟକ୍ରମ ସଂପର୍କିତ କଥାବାର୍ତ୍ତା ହ୍ବାଟ୍ସଆପ୍ ଗ୍ରୁପ୍ ଜରିଆରେ ହୋଇଥାଏ । ଏହା ଫଳରେ, ନାବାଳକମାନଙ୍କର ରହଣି ସ୍ଥାନ, ସ୍କୁଲ, ସେମାନଙ୍କ ଫଟୋ ଇତ୍ୟାଦି ବ୍ୟକ୍ତିଗତ ତଥ୍ୟ ଫେସ୍ବୁକ୍ ଜାଣିପାରିବ ଏବଂ ଏହା ଅନ୍ୟ କୌଣସି ତୃତୀୟ ପକ୍ଷ ହାତରେ ପଡ଼ିଲେ ପିଲାମାନଙ୍କ ପାଇଁ ଅତ୍ୟଧିକ ବିପଦ ସୃଷ୍ଟିର ଆଶଙ୍କା ରହିଛି । ବିଶ୍ବ ଅର୍ଥନୈତିକ ଫୋରମ୍ (ଡବ୍ଲୁଇଏଫ୍)ର ଗ୍ଲୋବାଲ୍ ରିସ୍କ୍ସ ରିପୋର୍ଟ-2019ରେ ପ୍ରକାଶିତ ତଥ୍ୟ ଅନୁସାରେ ଭାରତରେ ଆଧାର କାର୍ଡର ଡିଜିଟାଇଜେସନ୍ ସମୟରେ ଦେଶର ଅନ୍ୟତମ ବୃହତ୍ତମ ଡାଟା ବ୍ରିଚ୍ ବା ତଥ୍ୟ ଉଲ୍ଲଂଘନ ଘଟିଥିଲା ।
କିଭଳି ବ୍ୟକ୍ତିଗତ ତଥ୍ୟର ଦୁରୁପଯୋଗ ହୋଇପାରିବ
ଅନେକ ଉପାୟରେ ବ୍ୟକ୍ତିଗତ ତଥ୍ୟର ଦୁରୁପଯୋଗ କରାଯାଇପାରିବ । ଅପରାଧୀମାନେ ବ୍ୟକ୍ତିଗତ ତଥ୍ୟ ଉପଯୋଗ କରି ବ୍ୟବହାରକାରୀଙ୍କୁ ଠକି ପାରିବେ କିମ୍ବା ହଇରାଣ କରିପାରିବେ । ଆଜିକାଲି ଅନ୍ଲାଇନ୍ ବ୍ଲାକ୍ମେଲିଂ ଏବଂ ଯୌନାଚାର ଆଢୁଆଳରେ ଜୋରଜବରଦସ୍ତ ଅର୍ଥ ଆଦାୟ ମାମଲାର ସଂଖ୍ୟା ବହୁତ ବେଶୀ । ଏଥିରୁ ଅଧିକାଂଶ ଫେସ୍ବୁକ୍ ମାଧ୍ୟମରେ ହୋଇଛି । ଉଦାହରଣ ସ୍ବରୂପ, ଇନ୍ଷ୍ଟାଗ୍ରାମ୍ର ‘ବୟଜ୍ ଲକର ରୁମ୍’ ଗ୍ରୁପ୍ ପ୍ରସଙ୍ଗରୁ ଆମେ ଜାଣିଛୁ ଯେ ସୋସିଆଲ ମିଡିଆରେ ବ୍ୟକ୍ତିଗତ ତଥ୍ୟର ଦୁରୁପଯୋଗ କିଭଳି ହୋଇପାରେ । ଘଟଣା ସଂପର୍କରେ ଅନଭିଜ୍ଞ ବ୍ୟକ୍ତିଙ୍କ ପାଇଁ କହି ରଖୁ ଯେ, ‘ବୟଜ୍ ଲକର୍ ରୁମ୍’ ଇନ୍ଷ୍ଟାଗ୍ରାମର ଏକ ସ୍କାଣ୍ଡାଲ, ଯେଉଁଥିରେ ଦିଲ୍ଲୀର କିଶୋର ବୟସର ପିଲାମାନଙ୍କର ଏକ ଚାଟ୍ ରୁମ ଥିଲା ଏବଂ ଗତ ବର୍ଷ ଲକ୍ଡାଉନ୍ ସମୟରେ ଏହି ଘଟଣା ସାରା ଦେଶରେ ଚହଳ ପକାଇଥିଲା । 2020 ମେ 3 ତାରିଖ ଦିନ ଏହା ସେତେବେଳେ ପଦାକୁ ଆସିଲା, ଯେତେବେଳେ ଚାଟ୍ ରୁମ୍ର ଜଣେ ସଦସ୍ୟ ଗ୍ରୁପ୍ରେ ହେଉଥିବା ଚାଟ୍ର ବିଷୟବସ୍ତୁ ପ୍ରକାଶ କରିଦେଲା । ଏଥିରେ ପ୍ରାୟ 15 ଜଣ ଝିଅଙ୍କର ଅଶ୍ଳୀଳ ଚିତ୍ର ଥିଲା ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ କିଶୋର ବୟସର ଥିଲେ ।
କେତେକ ସଂସ୍ଥା ବ୍ୟବହାରକାରୀଙ୍କ ସମ୍ମତି ନନେଇ ସେମାନଙ୍କ ବ୍ୟକ୍ତିଗତ ତଥ୍ୟକୁ ବିଜ୍ଞାପନ ସଂସ୍ଥା ଏବଂ ଅନ୍ୟ ବାହାର ପକ୍ଷଙ୍କୁ ବିକ୍ରି କରିଦେଇପାରନ୍ତି । ଏହା ଫଳରେ ବ୍ୟବହାରକାରୀଙ୍କ ପାଖକୁ ଅନେକ ଅନାବଶ୍ୟକ ବ୍ୟାବସାୟିକ ବିଜ୍ଞାପନ ଆସିପାରେ ଏବଂ ତାଙ୍କର ଅନ୍ଲାଇନ୍ ପରିସର ଅବ୍ୟବସ୍ଥିତ ହୋଇଯାଇପାରେ । ଜଣେ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଉପରେ ଯେତେବେଳେ ଅନ୍ୟ କେହି ନଜର ରଖେ ଏବଂ ତଦାରଖ କରେ, ସେତେବେଳେ ହୁଏତ ତାଙ୍କର ନିଜକୁ ସ୍ବଚ୍ଛନ୍ଦରେ ପରିପ୍ରକାଶ କରିବାର ସାମର୍ଥ୍ୟ ସୀମିତ ହୋଇଯାଇପାରେ
କେମିତି ଡାଟା ପ୍ରାଇଭେସି ପ୍ରତି ବିପଦ ସୃଷ୍ଟି କରିପାରେ ହ୍ବାଟ୍ସଆପ୍ ବିଜନେସ୍ ଆକାଉଣ୍ଟ
2018ରେ ଆରମ୍ଭ ହୋଇଥିଲା ହ୍ବାଟ୍ସଆପ୍ ବିଜନେସ୍ । ଏହାର ଦୁଇଟି ବଡ଼ ମାର୍କେଟ, ଭାରତ ଓ ବ୍ରାଜିଲରେ ଏହା ନେଣଦେଣ ବଜାରରେ ବି ପ୍ରବେଶ କରିଥିଲା । ଏହି ବିଜ୍ନେସ ଆକାଉଣ୍ଟର ଅର୍ଥ ହେଲା ଆପଣଙ୍କ ବ୍ୟକ୍ତିଗତ ତଥ୍ୟାବଳୀ, ଆକାଉଣ୍ଟ ସହିତ ସଂଯୁକ୍ତ ଅନେକ ଲୋକଙ୍କୁ ମିଳିପାରେ ଏବଂ ପରେ ଏହି ତଥ୍ୟାବଳୀ ଯେ କୌଣସି ସେବା ପ୍ରଦାନକାରୀ ତୃତୀୟ ପକ୍ଷ ପାଖକୁ ବି ଯାଇପାରେ । ଏହାର ଅର୍ଥ ହେଉଛି ଯେ ଏଥିରେ ଯୋଡ଼ି ହେଉଥିବା ଲୋକଙ୍କ ସଂଖ୍ୟା ବହୁଗୁଣ ବୃଦ୍ଧି ପାଇବା ସହିତ ଶେଷରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ପଦାରେ ପଡ଼ିଯାଇପାରେ ।
ଡାଟା ସୁରକ୍ଷା ଆଇନ
ୟୁରୋପୀୟ ସଂଘର ନାଗରିକମାନଙ୍କ ପାଇଁ ଡାଟା ପ୍ରାଇଭେସି ଅଧିକାରକୁ ସୁନିଶ୍ଚିତ କରିବା ସକାଶେ ୟୁରୋପୀୟ ସଂଘ ଜେନେରାଲ ଡାଟା ପ୍ରୋଟେକ୍ସନ ରେଗୁଲେସନ (GDPR) ପ୍ରଣୟନ କରିଛି । ଏଥିରେ କୌଣସି ପ୍ରକାର ଉଲ୍ଲଂଘନ କ୍ଷେତ୍ରରେ ସଂପୃକ୍ତ କମ୍ପାନୀକୁ ଆୟର 4 ପ୍ରତିଶତ ପର୍ଯ୍ୟନ୍ତ ଜୋରିମାନା କରାଯାଇପାରେ । ଭାରତରେ ଡାଟାର ସୁରକ୍ଷା ପାଇଁ ନିର୍ଦ୍ଧାରିତ ଏକକ ଆଇନ ନାହିଁ । ମୌଖିକ କିମ୍ବା ଲିଖିତ କିମ୍ବା ଇଲେକ୍ଟ୍ରୋନିକ୍ ଆକାରରେ ଆଦାନପ୍ରଦାନ କରାଯାଉଥିବା କୌଣସି ପ୍ରକାର ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ପାଇଁ ଆଇନ ନାହିଁ । ହେଲେ ଇନ୍ଫରମେସନ ଆଣ୍ଡ ଟେକ୍ନୋଲୋଜି ଆକ୍ଟ (2000)ରେ 43ଏ ଏବଂ 72ଏ ଧାରାକୁ ଅନ୍ତର୍ଭୁକ୍ତ କରାଯିବା ସହିତ ଅନୁଚିତ ଢଙ୍ଗରେ ପ୍ରକାଶିତ ବ୍ୟକ୍ତିଗତ ତଥ୍ୟ ପାଇଁ କ୍ଷତିପୂରଣ ପାଇବାର ଅଧିକାରକୁ ଏଥିରେ ସାମିଲ କରାଯାଇଛି ।
ହ୍ବାଟ୍ସଆପ୍ର ସର୍ବୋତ୍ତମ ବିକଳ୍ପ
ଲାଇନ୍, ଟେଲିଗ୍ରାମ, ଭାଇବର, ଟ୍ବିଟର ଡାଇରେକ୍ଟ ମେସେଜ୍ ଭଳି ଅନେକ ମେସେଜ୍ ଆପ୍ ରହିଛି । କିନ୍ତୁ ସିଗ୍ନାଲ ପ୍ରାଇଭେଟ୍ ମେସେଞ୍ଜରରେ ହ୍ବାଟ୍ସଆପ୍ର ସବୁ ବୈଶିଷ୍ଟ୍ୟ ରହିଛି ଏବଂ ଏହା ସତ୍ତ୍ବେ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା କ୍ଷେତ୍ରରେ ଏହା ଅନ୍ୟ ଆପ୍ ତୁଳନାରେ ଆଗରେ ରହିଛି । ହ୍ବାଟ୍ସଆପ୍ର ସର୍ବୋତ୍ତମ ବିକଳ୍ପ ରୂପରେ ଉଭା ହୋଇଛି ସିଗ୍ନାଲ ପ୍ରାଇଭେଟ୍ ମେସେଞ୍ଜର ଆପ୍ । 2021 ଜାନୁଆରୀରେ ସର୍ବାଧିକ ସଂଖ୍ୟକ ଡାଉନ୍ଲୋଡ୍ ସହିତ ସିଗ୍ନାଲ ଅନ୍ୟ ସମସ୍ତ ଆପ୍କୁ ପଛରେ ପକାଇ ଦେଇଛି । ଏହି ସମୟରେ 33 ଲକ୍ଷ ସିଗ୍ନାଲ ଆପ୍ ଡାଉନ୍ଲୋଡ୍ ହୋଇଥିବା ବେଳେ 17 ଲକ୍ଷ ହ୍ବାଟ୍ସଆପ୍, 21 ଲକ୍ଷ
ଫେସ୍ବୁକେ ଏବଂ 23 ଲକ୍ଷ ଇନ୍ଷ୍ଟାଗ୍ରାମ ଡାଉନ୍ଲୋଡ୍ କରାଯାଇଛି । ଏକ ଓପନ୍ ସୋର୍ସ କୋଡ୍ ଏବଂ ଏଣ୍ଡ-ଟୁ-ଏଣ୍ଡ ଏନ୍କ୍ରିପ୍ସନ ବ୍ୟବସ୍ଥା ଆଧାରିତ ସିଗ୍ନାଲ, ଆମର ସବୁ ଚାଟ୍ ଏବଂ ଏହି ପ୍ଲାଟ୍ଫର୍ମରେ ଆମେ ଦେଉଥିବା ସମସ୍ତ ବିଷୟବସ୍ତୁକୁ ଗୋପନୀୟ ରଖେ । ଏକ ଅଣଲାଭକାରୀ ସଂସ୍ଥା, ସିଗ୍ନାଲ ଫାଉଣ୍ଡେସନ୍ ଦ୍ବାରା ପରିଚାଳିତ ଏହି ଆପ୍ ଅବାଧ ଅଭିବ୍ୟକ୍ତିକୁ ସୁରକ୍ଷା ପ୍ରଦାନ କରେ ଏବଂ ସୁରକ୍ଷିତ ଅନ୍ତର୍ଜାତୀୟ ଯୋଗାଯୋଗ ବ୍ୟବସ୍ଥା ପ୍ରଦାନ କରେ ବୋଲି ସାଇବର ବିଶେଷଜ୍ଞ ଡକ୍ଟର ପ୍ରଶାନ୍ତ ମାଲି କହନ୍ତି । ଅପରପକ୍ଷରେ ଲାଭ ଅର୍ଜନ ଉଦ୍ଦେଶ୍ୟରେ ପରିଚାଳିତ ଟେଲିଗ୍ରାମ ଆପ୍ରେ ସୁରକ୍ଷା ଦିଗ ପ୍ରତି ଗୁରୁତର ଅବହେଳା ପ୍ରଦର୍ଶିତ ହୋଇଛି ଏବଂ ସେଥିପାଇଁ ଅନେକ ଦେଶରେ ଏହାର ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି । ଭାରତରେ ବି ଇଣ୍ଟରନେଟ୍ ସେବା ପ୍ରଦାନ କରୁଥିବା ଅନେକ ସଂସ୍ଥା ବା ଆଇଏସ୍ପି ଏହାକୁ ବ୍ଲକ୍ କରିଛନ୍ତି ।
ଆଗକୁ କ’ଣ ରହିଛି
ଭାରତରେ ବ୍ୟବହାରକାରୀଙ୍କ ଡାଟାର ସୁରକ୍ଷା ନିମନ୍ତେ ଏକ ଉପଯୁକ୍ତ ସଶକ୍ତ ଆଇନ ପ୍ରବର୍ତ୍ତିତ ନ ହେଲା ପର୍ଯ୍ୟନ୍ତ ଆମେମାନେ ନିମ୍ନଲିଖିତ ବିଷୟ ଉପରେ ଧ୍ୟାନ ଦେବା ଉଚିତ: କୌଣସି ଆପ୍ ଇନ୍ଷ୍ଟଲ କରିବା ସମୟରେ କେଉଁ କେଉଁ ବିଷୟରେ ଏହି ଆପ୍ ଆପଣଙ୍କ ଅନୁମତି ଆବଶ୍ୟକ କରୁଛି ସେ ସଂପର୍କରେ ଯତ୍ନବାନ ହେବା ଉଚିତ । ଅନେକ ସମୟରେ ଆମେ OTP (ୱାନ୍ ଟାଇମ୍ ପାସ୍ୱାର୍ଡ)କୁ ଥରେ ପଢ଼ିବା ପରେ ଏହାକୁ ସ୍ବୟଂକ୍ରିୟ ଭାବରେ ପଢ଼ିବା ଲାଗି ଆପ୍କୁ ଅନୁମତି ଦେଇଦେଉ ଏବଂ ଏହାକୁ କ୍ୟାନ୍ସଲ କରିବାକୁ ଭୁଲି ଯାଉ । ଆମେ ନିୟମିତ ବ୍ୟବଧାନରେ ଆମର ଫୋନ୍ ସେଟିଂକୁ ଯାଇ ଅବ୍ୟବହୃତ ଆପ୍ଗୁଡ଼ିକୁ ହଟାଇବା ଉଚିତ ଏବଂ ପରମିସନ୍ ସେଟିଂରେ ପରିବର୍ତ୍ତନ କରି ଏହାକୁ କେବଳ କଣ୍ଟାକ୍ଟ ଓ ଷ୍ଟୋରେଜ୍ରେ ସୀମିତ ରଖିବା ଉଚିତ । କ୍ୟାମେରା ରହିଥିବା ଆପ୍ଗୁଡ଼ିକର ବ୍ୟବହାର କ୍ଷେତ୍ରରେ ଆମେ ନିର୍ଦ୍ଦିଷ୍ଟ କୌଣସି ଆପ୍ ଉପରେ ଦୀର୍ଘ ସମୟ ଧରି ନିର୍ଭର କରିବା ଉଚିତ ନୁହେଁ । ଫେବ୍ରୁଆରୀ 8 ତାରିଖ ପରେ ହ୍ବାଟ୍ସଆପ୍ରେ ରହିବେ କି ନାହିଁ ତାହା ଆପଣଙ୍କ ପସନ୍ଦ ଉପରେ ନିର୍ଭର କରେ । କିନ୍ତୁ, ଆପଣ ଯଦି ହ୍ବାଟ୍ସଆପ୍ରେ ରହିବାକୁ ସ୍ଥିର କରୁଛନ୍ତି, ତେବେ ଏହି ପ୍ଲାଟ୍ଫର୍ମରେ ଆର୍ଥିକ କାରବାରର ଲଗ୍ଇନ୍ ଡିଟେଲ୍ସ, ପାସ୍ୱାର୍ଡ ଏବଂ ଅନ୍ୟ ସମ୍ବେଦନଶୀଳ ତଥ୍ୟ ପ୍ରଦାନ କରନ୍ତୁ ନାହିଁ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି ।