ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଦିନକୁ ଦିନ ବୃଦ୍ଧି ପାଉଛି ଆତଙ୍କବାଦୀ କାର୍ଯ୍ୟକଳାପ । ରବିବାର ଜମ୍ମୁ କାଶ୍ମୀରର ଅନନ୍ତନାଗରେ NIA ପକ୍ଷରୁ ଚଢାଉ କରାଯାଇଛି । ଆତଙ୍କବାଦୀ ପାଣ୍ଠି ଯୋଗାଣ ମାମଲାରେ ଏହି ଚଢାଉ ଜାରି ରହିଛି । ଜୁଲାଇ ୧୦ରେ ମଧ୍ୟ ଏନଆଇଏ ଏହି ଘଟଣାରେ ଜମ୍ମୁ କାଶ୍ମୀରରୁ 6 ଜଣଙ୍କୁ ଗିରଫ କରିଥିଲା । ଆତଙ୍କବାଦୀ ଲିଙ୍କ ଥିବାରୁ ଜାମ୍ମୁ କାଶ୍ମୀରର ୧୧ ସରକାରୀ କର୍ମଚାରୀଙ୍କୁ ବରଖାସ୍ତ କରାଯାଇଥିଲା । ଏହାର ଗୋଟିଏ ଦିନ ପରେ କେନ୍ଦ୍ରଶାସିତ ଅଞ୍ଚଳର ବିଭିନ୍ନ ସ୍ଥାନରେ ଏନଆଇଏ ପକ୍ଷରୁ ରେଡ କରାଯାଇଥିଲେ । ବରଖାସ୍ତ ହୋଇଥିବା ଲୋକଙ୍କ ମଧ୍ୟରେ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ ସଂସ୍ଥାର ମୁଖ୍ୟ ସୟଦ ସଲାହୁଦ୍ଦିନଙ୍କ ଦୁଇ ପୁଅ ରହିଛନ୍ତି ।
ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଓ ଷଡଯନ୍ତ୍ର କରିବା ପାଇଁ ପାକିସ୍ତାନରୁ ପାଣ୍ଠି ଗ୍ରହଣ କରୁଥିବା ନେଇ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଦିଲ୍ଲୀ କୋର୍ଟ । ପ୍ରଥମେ ହିଜବ-ଉଲ-ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା ।
ଏନେଇ ସ୍ପେଶାଲ ଜର୍ଜ ପ୍ରବୀଣ କୁମାର ନିର୍ଦ୍ଦେଶ ଦେଇ କହିଥିଲେ କି, ଆତଙ୍କବାଦୀ ନିଜ କାର୍ଯ୍ୟକଳାପ ବିସ୍ତାର କରିବା ପାଇଁ ଜମ୍ମୁ କାଶ୍ମୀର ଆଫେଟିଜ ରିଲିଫ୍ ଟ୍ରଷ୍ଟ (JKART) ଗଠନ କରିଛନ୍ତି । ଏହି ସଙ୍ଗଠନର ମୁଖ୍ୟ ଉଦ୍ଦେଶ୍ୟ ଟେରର ଫଣ୍ଡିଂ କରିବା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ