ଶ୍ରୀନଗର: ଜମ୍ମୁ କାଶ୍ମୀରରେ ପୋଲିସ ଓ ସିଆରପିଏଫ ପାଟ୍ରୋଲିଂ ପାର୍ଟି ଉପରେ ଗ୍ରେନେଡ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ପୁଲୱାମାର ମୁଖ୍ୟ ଛକରେ ହୋଇଛି ଏହି ଆତଙ୍କବାଦୀ ଆକ୍ରମଣ । ଜମ୍ମୁ କାଶ୍ମୀରକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକ ପୂର୍ବର ଦିନକ ପୂର୍ବରୁ ସୁରକ୍ଷାକର୍ମୀଙ୍କ ଉପରେ ଏହା ଗୋଟିଏ ଦିନରେ ତୃତୀୟ ଥର ଆତଙ୍କୀ ଆକ୍ରମଣ ।
ଏପଟେ ସୋପିଆନରେ ସୁରକ୍ଷାକର୍ମୀ ଓ ଆତଙ୍କୀ ମଧ୍ୟରେ ହୋଇଛି ଗୁଳିବିନିମୟ । ଦକ୍ଷିଣ କାଶ୍ମୀର ସୋପିଆନର ସିରମଲରେ ବୁଧବାର ହୋଇଥିବା ଏହି ଏନକାଉଣ୍ଟରରେ ଜଣେ ଆତଙ୍କୀ ନିପାତ ହୋଇଥିବା ଜଣାପଡିଛି ।
ଜୁନ 24, ଗୁରୁବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ବସିବାକୁ ଯାଉଛି ସର୍ବଦଳୀୟ ବୈଠକ । ଜମ୍ମୁ କାଶ୍ମୀରକୁ ନେଇ ଏହି ବୈଠକରେ ହେବ ଚର୍ଚ୍ଚା । ତେବେ ବୈଠକ ପୂର୍ବରୁ ବିଚଳିତ ହୋଇପଡିଛନ୍ତି ଆତଙ୍କବାଦୀ ।
ଘାଟିରେ ସାମ୍ମାସାମ୍ନି ମୁହଁତୋଡ ଜବାବ ପରେ ଏବେ ପିଠି ପଛରୁ କ୍ରମାଗତ ଆକ୍ରମଣ କରୁଛନ୍ତି ଆତଙ୍କୀ । ରବିବାର ସୋପରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିଲା ଗୁଳିବିନିମୟ । ସୁରକକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ନିପାତ ହୋଇଥିଲେ 3 ଆତଙ୍କବାଦୀ ।
ଏହାପରେ ମଙ୍ଗଳବାର ଘାଟିରେ ବଡ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଶ୍ରୀନଗର କାନିପୋରାରେ ଆତଙ୍କବାଦୀ ଆଖିବୁଜା ଗୁଳି ଚଳାଇଥିଲେ । ଏଥିରେ ଜଣେ ପୋଲିସକର୍ମୀ ଶହୀଦ ହୋଇଯାଇଥିଲେ ।