ନୂଆଦିଲ୍ଲୀ: ଟ୍ରକରେ ହ୍ବାଇଟ ହାଉସ ପାଚେରୀକୁ ଧକ୍କା ଦେଲେ ପ୍ରବାସୀ ଭାରତୀୟ ଯୁବକ । ଗିରଫ ହେବା ପରେ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ । ଏହି ଯୁବକଜଣଙ୍କ ରାଷ୍ଟ୍ରପତି ବାଇଡୋନଙ୍କୁ ହତ୍ୟା କରିବା ପାଇଁ ଯୋଜନାରେ ଥିଲା । ଏପରିକି ଗତ 6 ମାସ ହେବ ସେ ଏହି ଯୋଜନା କରିଥିଲା । ସେ ପୂର୍ବରୁ ଏକାଧିକ ଥର ବିଭିନ୍ନ ଉପାୟରେ ଉଦ୍ୟମ ମଧ୍ୟ କରି ସଫଳ ହୋଇନଥିଲା । ଯୁବକ 19 ବର୍ଷୀୟ କାନ୍ଦୁଲା ସାଇ ଭର୍ଶିତ ଓ ସେ ଜଣେ ତେଲଗୁ ସମ୍ପ୍ରଦାୟର ପ୍ରବାସୀ ଭାରତୀୟ ହୋଇଥିବା ଜେରା ପରେ ଆମେରିକା ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଆମେରିକୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସୋମବାର ରାତିରେ ଏହି ଘଟଣା ଘଟିଥିଲା । ଜଣେ ଯୁବକ ଏକ ଟ୍ରକରେ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ‘ହ୍ବାଇଟ ହାଉସ’କୁ ଧକ୍କା ଦେଇଥିଲା । ସେଠାରେ ଥିବା ସୁରକ୍ଷାକର୍ମୀ ତାଙ୍କୁ ତୁରନ୍ତ କାବୁ କରିବା ପରେ ଗିରଫ କରି ନେଇଥିଲେ । ପ୍ରାଥମିକ ସୂଚନା ଅନୁସାରେ, ଏହା ସ୍ପଷ୍ଟ ହୋଇଥିଲା ଯେ, ଏହା ରାଷ୍ଟ୍ରପତି ବାଇଡେନଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ କରାଯାଇଥିବା ଏକ ଆକ୍ରମଣ ।
ଏକଥା ଆକ୍ରମଣ କରିଥିବା ଅଭିଯୁକ୍ତ ନିଜେ ପୋଲିସ ନିକଟରେ ସ୍ବୀକାର କରିଥିଲା । ଅଭିଯୁକ୍ତ ସେଷ୍ଟ-ଲୁଇସିରୁ ବିମାନରେ ଓ୍ବାଶିଂଟନ ପହଞ୍ଚିଥିଲା । ପରେ ସେ ସହରରୁ ଏକ ଟ୍ରକ ଭଡାରେ ନେଇଥିଲା । ସେ ନିଜେ ଟ୍ରକ ଚଳାଇବା ସହ ହ୍ବାଇଟ ହାଉସ ପାଚେରୀ ଭାଙ୍ଗି ଏହା ମଧ୍ୟକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲା ।
ପ୍ରଥମ ଉଦ୍ୟମରେ ସେ ପୋଲିସ ବାରିକେଡକୁ ଧକ୍କା ଦେବା ଦେଇଥିଲା । ପରେ ଟ୍ରକକୁ ରିଭର୍ସ କରି ବାରମ୍ବାର ହ୍ବାଇଟ ହାଉସ୍ ପାଚେରୀକୁ ଧକ୍କା ଦେଇ ଭାଙ୍ଗିବା ପାଇଁ ପ୍ରୟାସ କରିଥିଲା । ହେଲେ ସେଠାରେ ଥିବା ପୋଲିସ ଓ ହ୍ବାଇଟ ହାଉସ ସୁରକ୍ଷାକର୍ମୀ ତାଙ୍କୁ ତୁରନ୍ତ କାବୁ କରିବାରେ ସଫଳ ହୋଇଥିଲେ । ତାକୁ ତୁରନ୍ତ ପୋଲିସ ଏକ ଅଜ୍ଞାତ ସ୍ଥାନକୁ ନେଇ ଜେରା କରିବା ପରେ ଏହା ରାଷ୍ଟ୍ରପତିଙ୍କ ହତ୍ୟା ଉଦ୍ୟମରେ ଆକ୍ରମଣ ଥିଲା ବୋଲି ଅଭିଯୁକ୍ତ ନିଜେ ସ୍ବୀକାର କରିଛି ।
ଅଭିଯୁକ୍ତ ସ୍ବୀକାର କରିଛି ଯେ, ସେ ହ୍ବାଇଟ ହାଉସ ମଧ୍ୟରେ ପ୍ରବେଶ କରି କ୍ଷମତା ଛଡାଇବା ଉଦ୍ୟମରେ ଥିଲା । ଆବଶ୍ୟକ ହୋଇଥିଲେ ସେ ରାଷ୍ଟ୍ରପତି ବାଇଡେନଙ୍କୁ ମଧ୍ୟ ହତ୍ୟା କରିଥାଆନ୍ତା । ସେ ଗତ 6 ମାସ ହେବ ଯୋଜନାରେ ଥିଲା । ସେ ଏନେଇ ସମସ୍ତ ଉଦ୍ୟମ ସମ୍ପର୍କରେ ଏକ ଗ୍ରୀନ ବୁକରେ ମଧ୍ୟ ରେକର୍ଡ କରୁଥିଲା । ହେଲେ ହ୍ବାଇଟ୍ ହାଉସ୍ ମଧ୍ୟକୁ ପ୍ରବେଶ କରିପାରୁନଥିଲା । ଫଳରେ ସେ ଟ୍ରକ ସାହାଯ୍ୟରେ ହ୍ୱାଇଟ୍ ହାଉସ ପାଚେରୀ ଭାଙ୍ଗି ଭିତରେ ପ୍ରବେଶ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ