ହାଇଦ୍ରାବାଦ: ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁ ବିବାଦ ପରିସରକୁ ଆସିଲେ ଜିଲ୍ଲାପାଳ । ଏପରି କିଛି ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାରେ । ସିଦ୍ଧିପେଟ ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବିଲ୍ଡିଂ ଉଦ୍ଘାଟନରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେ୍ଖର ରାଓ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ଭେଙ୍କଟରାମ ରେଡ୍ଡୀ ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେବା ପରେ ବିବାଦରେ ଛନ୍ଦି ହୋଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଗତକାଲି (ରବିବାର) ମୁଖ୍ୟମନ୍ତ୍ରୀ କେସିଆର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମ ମଧ୍ୟରେ ସିଦ୍ଧିପେଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନୂତନ ସୌଧ ଉଦ୍ଘାଟନ କରିବା ପାଇଁ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ଏହି ଏବସରରେ ଜିଲ୍ଲାପାଳ ଭେଙ୍କଟରାମ ରେଡ୍ଡୀ ସେଠାରେ ଉପସ୍ଥିତ ଥିବାବେଳେ ନିଜ ଆସନରୁ ଉଠି ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁ ପ୍ରଣାମ କରିଥିବା ଦେଖିବାକୁ ମିଳିଥିଲା । ଅବଶ୍ୟ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ ଏଥିରୁ ନିବୃତ ରହିବା ପାଇଁ ବାରଣ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଜିଲ୍ଲାପାଳଙ୍କ ଏପରି ଆଚରଣର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓ ଭାଇରାଲ ହେବା ପରେ ରାଜ୍ୟ ରାଜନୀତିରେ ଏହାକୁ ନେଇ ବିବାଦ ଦେଖାଯିବା ସହ ରାଜନୈତିକ ବୟାନବାଜୀ ମଧ୍ୟ ଆରମ୍ଭ ହୋଇଯାଇଛି ।
ଏପରି ଆଚରଣ ପାଇଁ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ କାରଣ ଦର୍ଶାଓ ନୋଟିସ ମଧ୍ୟ ଜାରି କରାଯାଇଛି । ତେବେ ଜିଲ୍ଲାପାଳ କାରଣ ଦର୍ଶାଅ ନୋଟିସର ଉତ୍ତରରେ କହିଛନ୍ତି ଯେ, ଗତକାଲି ପିତୃ ଦିବସ ଥିଲା, ମୁଖ୍ୟମନ୍ତ୍ରୀ ତାଙ୍କ ପିତା ସମାନ ବୟସର ବ୍ୟକ୍ତି ଅଟନ୍ତି ଓ ଗୁରୁଜନଙ୍କ ପାଦ ଛୁଇଁ ଆର୍ଶୀବାଦ ନେବା ତେଲେଙ୍ଗାନାର ପାରମ୍ପରିକ ସଂସ୍କୃତି ବୋଲି ମଧ୍ୟ ସେ ଦର୍ଶାଇଥିବା ଜଣାପଡିଛି । ଏହାସହ ସେ ଏହି ଘଟଣାକୁ ବିବାଦୀୟ ମୋଡ ନ ଦେବାକୁ ମଧ୍ୟ ନିବେଦନ କରିଛନ୍ତି ।
ଘଟଣାକୁ ନେଇ ରାଜ୍ୟ ବିଜେପି କିନ୍ତୁ ପ୍ରତିକ୍ରିୟାଶୀଳ ହୋଇଥିବା ଦେଖିବାକୁ ମିଳିଛି । ଦଳ କହିଛି ସମ୍ପୃକ୍ତ ଜିଲ୍ଲାପାଳ ଜଣେ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ । ତେଣୁ ସରକାରୀ କାର୍ଯ୍ୟକ୍ରମରେ ଅମଲାତନ୍ତ୍ରର ମର୍ଯ୍ୟାଦା ରକ୍ଷା କରିବା ଉଚିତ ଥିଲା । ଗଣତନ୍ତ୍ରରେ ଅଧିକାରୀମାନଙ୍କ ଏପରି ଆଚରଣ ଅଶୋଭନୀୟ । ଏପରି ଆଚରଣ ଗଣତନ୍ତ୍ରରେ ଅମଲାତନ୍ତ୍ରର ଭୂମିକା, ସାର୍ବଭୌମତା ଓ ସ୍ବାଧୀନତା କ୍ଷୁର୍ଣ୍ଣ କରୁଥିବା କହିଛି ବିଜେପି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ