ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନୋଏଡାର ନିଠାରୀ ହତ୍ୟାକାଣ୍ଡ ମାମଲାରେ ରାୟ ପ୍ରକାଶ ପାଇଛି । ମୋଟ ପଞ୍ଜୀକୃତ ହୋଇଥିବା 16ଟି ମାମଲା ମଧ୍ୟରୁ 14ତମ ମାମଲାରେ ଗାଜିଆବାଦର ସ୍ୱତନ୍ତ୍ର CBI କୋର୍ଟ ଆଜି (ଗୁରୁବାର) ମୁଖ୍ୟ ଅଭିଯୁକ୍ତ ତଥା ଚାକର ସୁରେନ୍ଦ୍ର କୋଲିକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ସେହିପରି ଅନ୍ୟତମ ଅଭିଯୁକ୍ତ ତଥା ଘର ମାଲିକ ମହିନ୍ଦର ସିଂ ପାନ୍ଧେରକୁ ମଧ୍ୟ 7ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ ।
ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲିକୁ ଧାରା 364 ଓ ଧାରା 376 ଅନୁଯାୟୀ ମଧ୍ୟ ଆଜୀବନ କାରାଦଣ୍ଡ ଓ ଧାରା 302ରେ ମୃତ୍ୟୁଦଣ୍ଡ ଏବଂ ଅନ୍ୟାନ୍ୟ ମାମଲାରେ ମଧ୍ୟ ଦଣ୍ଡିତ କରାଯାଇଛି । ଏହା ବ୍ୟତୀତ ଘଟଣାର ଦ୍ୱିତୀୟ ଦୋଷୀ ମହିନ୍ଦର ସିଂ ପାନ୍ଧେରକୁ ଅନୈତିକ କାର୍ଯ୍ୟରେ ପାଇଁ 7 ବର୍ଷ ଦଣ୍ଡିତ କରାଯାଇଛି ।
ନିଠାରୀ ମାମଲାରେ ତଦନ୍ତକାରୀ CBI ମୋଟ 17ଟି ମାମଲା ରୁଜୁ କରିଥିଲା । ସେଥିମଧ୍ୟରୁ କେବଳ 16 ଟି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । 12 ଟି ମାମଲାରେ ସୁରେନ୍ଦ୍ର କୋଲିକୁ ମୃତ୍ୟୁଦଣ୍ଡ ଦିଆଯାଇଛି । 13 ଫେବୃଆରୀ 2009 ରେ ପ୍ରଥମ ଥର ପାଇଁ ସୁରେନ୍ଦ୍ର କୋଲିକୁ ମୃତ୍ୟୁଦଣ୍ଡ ଶୁଣାଇଥିଲେ କୋର୍ଟ । ଆଜି 14ତମ ମାମଲାରେ ରାୟ ପ୍ରକାଶ କରିଛନ୍ତି କୋର୍ଟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ