ଲକ୍ଷ୍ନୌ: ସୁପରଷ୍ଟାର ରଜନୀକାନ୍ତଙ୍କ ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ଜେଲର' ନେଇ ଏବେ ବେଶ ଚର୍ଚ୍ଚାରେ । ଏହି ବ୍ଲକବଷ୍ଟର ହିଟ୍ ଫିଲ୍ମ ଏବେ 200 କୋଟି କ୍ଲବରେ ମଧ୍ୟ ସାମିଲ ହୋଇସାରିଲାଣି । ଏହାରି ମଧ୍ୟରେ ରଜନୀକାନ୍ତ ଏବେ ଫିଲ୍ମର ପ୍ରମୋସନ ପାଇଁ ଉତ୍ତର ପ୍ରଦେଶ ଗସ୍ତରେ ଅଛନ୍ତି । ଗତକାଲି ସେ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ କରିଥିବା ବେଳେ ଆଜି ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମିରେ ନିର୍ମାଣାଧୀନ ରାମ ମନ୍ଦିର ପରିଦର୍ଶନ କରିଛନ୍ତି । ସେଠାରେ ସେ ପୂଜାର୍ଚ୍ଚନା କରିବା ସହ ମନ୍ଦିର ପରିସର ପରିଦର୍ଶନ ମଧ୍ୟ କରିଛନ୍ତି । ସାଙ୍ଗରେ ତାଙ୍କର ପତ୍ନୀ ମଧ୍ୟ ଉପସ୍ଥିତ ଥିଲେ । ଏହାପୂର୍ବରୁ ସେ ଆଜି ପୂର୍ବାହ୍ନରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ।
ରଜନୀ ଆଜି(ରବିବାର) ଅପରାହ୍ନରେ ଅଯୋଧ୍ୟାରେ ପହଞ୍ଚିଥିଲେ । ସେ ପ୍ରଥମେ ହନୁମାନଗଡିରେ ବଜରଙ୍ଗବାଲିଙ୍କୁ ପୂଜା କରିଥିଲେ । ସେ ଆରତୀ ମଧ୍ୟ କରିଥିଲେ । ଏହା ପରେ ସେ ରାମଲାଲଙ୍କ ଦର୍ଶନ ପାଇଁ ଯାଇଥିଲେ । ପୂଜାର୍ଚ୍ଚନା ଓ ନିର୍ମାଣାଧୀନ ମନ୍ଦିର ପରିଦର୍ଶନ କରିବା ପରେ ସେ ଅତ୍ୟନ୍ତ ଖୁସିବ୍ୟକ୍ତ କରିଥିଲେ । ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଥିଲେ, ରାମଲାଲାଙ୍କ ଦର୍ଶନ ପାଇଁ ତାଙ୍କର ବର୍ଷରୁ ଇଚ୍ଛା ଥିଲା । ତାହା ଆଜି ପୂରଣ ହୋଇଛି । ଅଯୋଧ୍ୟାରେ ଐତିହାସିକ ରାମ ମନ୍ଦିର ନିର୍ମାଣ ଜାରି ରହିଛି । ସେ ଖୁବ ଅନନ୍ଦିତ । ଆଜି ଅପରାହ୍ନରେ ଅଯୋଧ୍ୟା ପହଞ୍ଚିଥିବା ରଜନୀ ସଂଧ୍ୟାରେ ରାଜଧାନୀ ଲକ୍ଷ୍ନୌ ଅଭିମୁଖେ ଫେରିବେ ।
ଏହା ମଧ୍ୟ ପଢନ୍ତୁ:-ଯୋଗୀଙ୍କୁ ଭେଟିଲେ ରଜନୀ, ପାଦ ସ୍ପର୍ଶ କରି କଲେ ପ୍ରଣାମ
ଗତକାଲି ସଂଧ୍ୟାରେ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ଯନାଥଙ୍କୁ ସାକ୍ଷାତ କରିଥିଲେ ରଜନୀକାନ୍ତ । ଯୋଗୀଙ୍କ ସରକାରୀ ବାସଭବନରେ ରଜନୀକାନ୍ତ ଓ ତାଙ୍କ ସ୍ତ୍ରୀ ଯୋଗୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଯୋଗୀଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରିଥିଲେ ରଜନୀକାନ୍ତ । ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କୁ ମଧ୍ୟ ସେ ଗତକାଲି ପୂର୍ବାହ୍ନରେ ସାକ୍ଷାତ କରିଥିଲେ । ଏହାପରେ ଲକ୍ଷ୍ନୌରେ ସେ ତାଙ୍କ ଅଭିନୀତ ଫିଲ୍ମ ‘ଜେଲର’ର ଏକ ସ୍ପେସାଲ ସ୍କ୍ରିନିଂରେ ମଧ୍ୟ ସାମିଲ ହୋଇଥିଲେ । ଏଥିରେ ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ରଜନୀଙ୍କ ସହ ଫିଲ୍ମ ଦେଖିଥିଲେ । ସୁପରଷ୍ଟାର ରଜନୀକନ୍ତଙ୍କ ଅଭିନୀତ ଏହି ବ୍ଲକବଷ୍ଟର ହିଟ୍ ଫିଲ୍ମ ‘ଜେଲର’ ବକ୍ସ ଅଫିସରେ ଏବେ ସୁଦ୍ଧା 200 କୋଟି କ୍ଲବରେ ସାମିଲ ହୋଇସାରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ