ଜୟପୁର: ରାଜସ୍ଥାନର ମଥୁରାଦାସ ମାଥୁର ହସ୍ପିଟାଲକୁ ଅସ୍ତ୍ରୋପଚାରରେ ସଫଳତା । ହସ୍ପିଟାଲର କାର୍ଡିଓଥୋରେସିକ ଭାସ୍କୁଲାର ସର୍ଜରୀ ବିଭାଗର ଡାକ୍ତର ଜଣେ ଗର୍ଭବତୀଙ୍କ ହାର୍ଟ ସର୍ଜରୀ (Open Heart Surgery of Pregnant woman in Jodhpur) କରିବାରେ ସଫଳତା ହାସଲ କରିଛନ୍ତି । ଅସ୍ତ୍ରୋପଚାର ପରେ ୨୨ ବର୍ଷୀୟ ଗର୍ଭବତୀ ମହିଳା ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି ।
କାର୍ଡିଓ ସର୍ଜନ ଡକ୍ଟର ସୁଭାଷ ବଲାରାଙ୍କ କହିବାନୁସାରେ ୨୨ ବର୍ଷୀୟ ଗର୍ଭବତୀ ଗତ ୩ ମାସ ଧରି ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରୁଥିଲେ । ଏଥିଲାଗି ତାଙ୍କୁ ଛାତିରେ ଯନ୍ତ୍ରଣା ହୋଇଥିଲା । ସେ ୫ ମାସର ଗର୍ଭବତୀ ଥିବା ଜଣାପଡ଼ିଛି । ଡାକ୍ତର ମହିଳାଙ୍କୁ ପରୀକ୍ଷା କରିବା ପରେ ଜାଣିବାକୁ ପାଇଥିଲେ ଯେ ତାଙ୍କ ହାର୍ଟର ୱାଲ ଖରାପ ରହିଛି । ତାଙ୍କ ହାର୍ଟ ୱାଲରେ ଲିକେଜ ପାଇଁ ତାଙ୍କୁ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହେଉଛି । ଅନେକ ସ୍ଥାନରେ ଡାକ୍ତରଙ୍କୁ ଦେଖାଇବା ପରେ ମହିଳାଙ୍କୁ ଏମଡିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଏହା ବି ପଢନ୍ତୁ- VIRAL VIDEO: ତେଜପୁରୀ ଷ୍ଟ୍ରିଟରେ ଗୁପଚୁପ ଖାଇଲା ହାତୀ
ଏହାପରେ ଗର୍ଭବତୀଙ୍କ ଅସ୍ତ୍ରୋପଚାର ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ଅସ୍ତ୍ରୋପଚାର ଚିରଞ୍ଜିବୀ ଯୋଜନାରେ ବିନା ଅର୍ଥରେ ହୋଇଛି । ଅସ୍ତ୍ରୋପଚାର ପୂର୍ବରୁ ମହିଳାଙ୍କୁ ଶ୍ବାସକ୍ରିୟାରେ ଲଗାତାର ଭାବେ କଷ୍ଟ ଅନୁଭବ ହେଉଥିଲା । ଏହି ଯନ୍ତ୍ରଣା ଦିନକୁ ଦିନ ବୃଦ୍ଧି ପାଉଥିଲା । ଏଭଳି ସ୍ଥିତିରେ ଉଭୟ ମା' ଓ ଶିଶୁ ପ୍ରତି ବିପଦ ମଧ୍ୟ ଥିଲା । ଉଭୟଙ୍କୁ ରକ୍ଷା କରିବା ଲାଗି ହାର୍ଟ ସର୍ଜରୀ ଏକମାତ୍ର ଉପାୟ ଥିଲା । ଡକ୍ଟର ଅଭିନବ ସିଂଙ୍କ କହିବାନୁସାରେ ମହିଳା ଗର୍ଭବତୀ ଥିବା ବେଳେ ଏପରି ସର୍ଜରୀ କରିବା ମହିଳାଙ୍କ ପ୍ରତି ୪ ଗୁଣା ଅଧିକ ବିପଦ ରହିଥାଏ ।
ମାତ୍ର ଡାକ୍ତରୀ ଟିମ ସଫଳତାର ସହିତ ଗର୍ଭବତୀଙ୍କ ଅସ୍ତ୍ରୋପଚାର କରିଛନ୍ତି । ଏହି ଅସ୍ତ୍ରୋପଚାର ବେଳେ ଡାକ୍ତରୀ ଟିମରେ ସହକାରୀ ପ୍ରଫେସର ଡକ୍ଟର ସୁଭାଷ ୱଲାରା, ସହକାରୀ ପ୍ରଫେସର ଡକ୍ଟର ଅଭିନବ ସିଂ, ସିନିୟର ପ୍ରଫେସର ଡକ୍ଟର ରାକେଶ କର୍ଣ୍ଣାବତ, ଡକ୍ଟର ଶିଖା ସୋନି ପ୍ରମୁଖ ସାମିଲ ଥିଲେ ।