ହାଇଦ୍ରାବାଦ: ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସି ଦ୍ବାରା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ପ୍ରସ୍ତୁତ ବିବାଦୀୟ ଡକ୍ୟୁମେଣ୍ଟାରୀ ପ୍ରଦର୍ଶନ ଉତ୍ତେଜନା କ୍ରମଶଃ ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନକୁ ବ୍ୟାପିବାରେ ଲାଗିଛି । ପୁଡୁଚେରୀ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ୍ଷ ନିୟନ୍ତ୍ରଣରେ ଥିବା ଏହି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଏହି ଡକ୍ୟୁମେଣ୍ଟାରୀର ପ୍ରଦର୍ଶନ ଉପରେ କଟକଣା ଜାରି କରାଯାଇଛି । ଏହାରି ମଧ୍ୟରେ କିଛି ଛାତ୍ର ସଂଗଠନ ଏହାକୁ ପ୍ରଦର୍ଶିତ କରିବା ନେଇ ଘୋଷଣା କରିବା ପରେ ଅନ୍ୟ କିଛି ଛାତ୍ର ସଂଗଠନ ଏହାକୁ ବିରୋଧ କରିଛନ୍ତି । ଫଳରେ କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଛି ।
କିଛି ଛାତ୍ର ସଂଗଠନର ଏପରି ଘୋଷଣା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏହାର ପ୍ରଦର୍ଶନ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛନ୍ତି । କ୍ୟାମ୍ପସରେ ଏହାକୁ ବ୍ୟାନ କରାଯିବା ପରେ କଲେଜ ହଷ୍ଟେଲରେ ଏହାକୁ ପ୍ରଦର୍ଶନ କରିବା ପାଇଁ ଛାତ୍ରଗୋଷ୍ଠୀ ପୁନଃ ଘୋଷଣା କରିଥିଲେ । ଯାହାକୁ ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପୋଲିସକୁ ଅବଗତ କରିଥିଲେ । କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ଉତ୍ତେଜନା ମଧ୍ୟରେ ପୋଲିସ ଫୋର୍ସ ମୁତୟନ ହୋଇଛି । ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଶତାଧିକ ଛାତ୍ରଛାତ୍ରୀ ନିଜ ଫୋନ୍ ଏବଂ ଲାପଟପରେ ଏହି ବିବାଦୀୟ ଡକ୍ୟୁମେଣ୍ଟାରୀକୁ ଦେଖିସାରିଥିବା ଦାବି କରିଥିଲେ । ଏହି ଡକ୍ୟୁମେଣ୍ଟାରୀକୁ ପଣ୍ଡିଚେରୀ ଡେମୋକ୍ରାଟିକ୍ ୟୁଥ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (DYFI) ଦ୍ୱାରା ପ୍ରଦର୍ଶିତ କରାଯାଇଥିଲା । ପରେ ବିଶ୍ବବିଦ୍ୟାଳୟ କ୍ୟମ୍ପସରେ ଇଣ୍ଟରନେଟ ସେବା ମଧ୍ୟ ସାମୟିକ ବନ୍ଦ କରାଯାଇଛି ।
ବିବିସି ପ୍ରସ୍ତୁତ ଏହି ଡକ୍ୟୁମେଣ୍ଟାରୀକୁ ପ୍ରୋପାଗାଣ୍ଡା ଦର୍ଶାଇ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ବଳରେ କେନ୍ଦ୍ର ସରକାର ବ୍ୟାନ ଘୋଷଣା କରିଛି । କୌଣସି ବି ଦୂରସଞ୍ଚାର ମାଧ୍ୟମରେ ଏହାକୁ ପ୍ରସାରିତ କରିବା ଉପରେ କେନ୍ଦ୍ର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ହେଲେ କିଛି ଅଣବିଜେପି ଶାସିତ ରାଜ୍ୟରେ ଏହାକୁ ପ୍ରଦର୍ଶିତ କରାଯାଉଛି । ପ୍ରଥମେ କେରଳରୁ ଆରମ୍ଭ ହୋଇଥିବା ଏହି ଧାରା ଏବେ ଦେଶର ବିଭିନ୍ନ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟରେ ଦେଖିବାକୁ ମିଳିଲାଣି । କିଛି ବାମପନ୍ଥୀ ଛାତ୍ର ସଂଗଠନ ଏହାକୁ ପ୍ରଦର୍ଶିତ କରିବା ପାଇଁ ଦାବି କରୁଥିବା ବେଳେ ଏହାକୁ ଅପରପକ୍ଷର ଛାତ୍ର ସଂଗଠନ ବିରୋଧ କରୁଛନ୍ତି । ରାଜଧାନୀ ଦିଲ୍ଲୀର ଜବାହାରଲାଲ ନେହୁରୁ ବିଶ୍ବବିଦ୍ୟାଳୟ, ଜାମିଆ ମିଲିଆ ଇସଲାମୀୟା ଓ ହାଇଦ୍ରାବାଦ ବିଶ୍ବବିଦ୍ୟାଳୟ ପରେ ଏବେ ଏହାକୁ ନେଇ ପଣ୍ଡିଚେରୀ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ମଧ୍ୟ ଉତ୍ତେଜନା ଲାଗିରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ