ପରିସଂଖ୍ୟନ କହୁଛି ଯେ, କୋଭିଡ ଟୀକାକରଣରେ ଆମେରିକା ଓ ବ୍ରିଟେନ ପରେ ତୃତୀୟ ସ୍ଥାନରେ ରହିଛି ଭାରତ । କିନ୍ତୁ ଟିକେ ତଳ ପଟୁ ଯଦି ଦେଖିବା, ତାହା ହେଲେ ଏ କ୍ଷେତ୍ରରେ ଆମର ଅଗ୍ରଗତି ମାନ୍ଦା ରହିଛି ବୋଲି କୁହାଯାଇପାରିବ । ଆମେରିକାରେ କୋଭିଡ ଟିକାର ସାଢେ ୫ କୋଟି ଡୋଜ ଦିଆସରିଛି । ବ୍ରିଟେନରେ ୧ ଦଶମିକ ୬ କୋଟି ଡୋଜ ଲୋକଙ୍କୁ ଦିଆଯାଇଛି । ଭାରତରେ ଟୀକାକରଣ ଆରମ୍ଭ ହେବାର ମାସେ ବିତିଯାଇଥିଲେ ମଧ୍ୟ ୯୦ ଲକ୍ଷ ଡୋଜ ଦିଆଯାଇଛି । ଆମେରିକା ୧୨ଟି ବିଭିନ୍ନ ପ୍ରକାର ଟିକାର ୪୮୦ କୋଟି ଡୋଜ ପ୍ରସ୍ତୁତ କରିବାକୁ ଯାଉଛି । ଭାରତରେ ଆନୁମାନିକ ୩୬୦ କୋଟି ଡୋଜ ପ୍ରସ୍ତୁତ ହେବାକୁ ଯାଉଛି । ଉତ୍ପାଦନ କ୍ଷମତା ଓ ବ୍ୟବହାର ସ୍ତରରେ ବଡ ବ୍ୟବଧାନ ଉଦବେଗର ବିଷୟ ନିଶ୍ଚିତ । ଏ ଦୃଷ୍ଟିରୁ ନୀତିଗତ ନିଷ୍ପତ୍ତି ନିଆଯିବାର ଆବଶ୍ୟକତା ଅନୁଭୂତ ହେଉଛି ।
କେନ୍ଦ୍ର ସରକାର ପର୍ଯ୍ୟାୟକ୍ରମେ ଟୀକାକରଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏଥିରେ ସମ୍ମୁଖଭାଗ କୋରୋନା ଯୋଦ୍ଧାଙ୍କୁ ପ୍ରାଥମିକତା ଦିଆଯାଇଛି । ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଆସନ୍ତାମାସରୁ ଆରମ୍ଭ ହେବାକୁ ଥିବା ପରବର୍ତ୍ତୀ ପର୍ଯ୍ୟାୟରେ ଟିକା ପ୍ରଦାନ କରାଯିବ । ଯଦି ବର୍ତ୍ତମାନର ଗତିରେ ଟୀକାକରଣ ଚାଲେ,ତାହା ହେଲେ ଟିକା ଗ୍ରାମାଞ୍ଚଳର ଲୋକଙ୍କ ପାଖରେ ପହଞ୍ଚିବାକୁ ଅନ୍ତତଃ ୫ ବର୍ଷ ଲାଗିବ । ଉତ୍ପାଦନର ୬ ମାସ ମଧ୍ୟରେ ଯଦି ଦିଆ ନ ଯାଏ, ତାହା ହେଲେ କୋଭିଡ ଟିକାର ପ୍ରଭାବ ଆଉ ରହିବ ନାହିଁ । ବିଭିନ୍ନ ଆଶଙ୍କା ପ୍ରାଥମିକତା ଗୋଷ୍ଠୀରେ ଥିବା ଅନେକ ଲୋକ ଟିକା ନେବା ପାଇଁ କୁଣ୍ଠା ପ୍ରକାଶ କରୁଛନ୍ତି । ତେଣୁ ସାଧାରଣ ଲୋକଙ୍କ ମଧ୍ୟରେ ବି ଟିକା ନେଇ ସନ୍ଦେହ ଉପୁଜିବା ସ୍ବାଭାବିକ । ଟିକା ନେଇଥିବା ଆଶଙ୍କା ଓ ସନ୍ଦେହ ଦୂର ପାଇଁ ସରକାର ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରିବା ଦରକାର । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଲୋକେ ବି କୋଭିଡ ଟିକା ନେଇପାରିବେ ବୋଲି ସରକାର ଲୋକଙ୍କୁ ବୁଝାଇବା ଦରକାର । ଟିକା ନେବା ସାମାଜିକ କର୍ତ୍ତବ୍ୟ ବୋଲି ଲୋକଙ୍କୁ ସଚେତନ କରିବା ଜରୁରୀ ହୋଇପଡିଛି ।
ସୁସ୍ଥ ହୋଇସାରିଥିବା ଲୋକଙ୍କ ମଧ୍ୟରେ ପୁଣି ଥରେ କୋଭିଡ ଲକ୍ଷଣ ପ୍ରକାଶ ପାଉଥିବାର ମାମଲା ସାମନାକୁ ଆସିଛି । ଯେଉଁ ମାନଙ୍କର ଦୁର୍ବଳ ପ୍ରତିରୋଧକ ଶକ୍ତି ରହିଛି, ସେମାନେ ପୁଣି କୋଭିଡ ସଂକ୍ରମଣର ସାମନା କରୁଛନ୍ତି । ସେଣ୍ଟର ଫର୍ ସେଲୁଲାର ଆଣ୍ଡ୍ ମୋଲ୍କ୍ୟୁଲାର ବାୟୋଲୋଜି ପକ୍ଷରୁ କରାଯାଇଥିବା ଅଧ୍ୟୟନ ଅନୁସାରେ କୋଭିର ପୁନଃ ସଂକ୍ରମଣ ହେଉଥିବା କୁହାଯାଇଛି । ଏହି କାରଣରୁ ଜର୍ମାନୀ, ଫ୍ରାନ୍ସ, ନେଦରଲାଣ୍ଡ ଓ ପର୍ତ୍ତୃଗାଲ ପୁଣି ଲକଡାଉନ ଜାରି କରିବାକୁ ବିଚାର କରୁଛନ୍ତି । ମହାରାଷ୍ଟ୍ର, କେରଳ ଓ କର୍ଣ୍ଣାଟକରେ ରୋଗର ତୀବ୍ରତା ବି ଉଦବେଗଜନକ । ମୁମ୍ବାଇ ଭଳି କିଛି ଜାଗାରେ ଲକଡାଉନ ଜାରି କରିବା ପାଇଁ ପ୍ରସ୍ତାବ ଆସିଛି ।
କୋଭିଡ ଟିକା ଉପଲବ୍ଧ ହେବା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଏକ ପ୍ରକାର ବିପଜ୍ଜନକ ଆତ୍ମ ପ୍ରତ୍ୟୟ ସୃଷ୍ଟି ହୋଇଛି । ଟିକା ଆସିବା ପରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ଭଳି କୋଭିଡ ନିୟମକୁ ଉପେକ୍ଷା କରୁଛନ୍ତି ଲୋକେ । ସମସ୍ତେ ସୁରକ୍ଷିତ ମନେ ନ କଲା ଯାଏଁ କେହି ବି ନିଜକୁ ସୁରକ୍ଷିତ ମନେ କରିପାରିବେ ନାହିଁ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ବାରମ୍ବାର କହିଆସୁଛି । ସାଧାରଣ ଲୋକଙ୍କ ମଧ୍ୟରେ ଟିକା ନେଇ ଥିବା ଆଶଙ୍କା, ସଂଶୟ ଓ କୁଣ୍ଠା ଦୂର କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେବା ଜରୁରୀ ବୋଲି ମନେ ହୁଏ । ଆଉ କିଛି ସମୟ ପାଇଁ ବି କଡାକଡି ଭାବେ କୋଭିଡ ନିୟମ ପାଳନ କରିବା ଦରକାର ବୋଲି ସରକାର ଲୋକଙ୍କୁ ପ୍ରବର୍ତ୍ତାଇବା ଜରୁରୀ ।
ଉଭୟ ସେରମ ଓ ଭାରତ ବାୟୋଟେକ ଟିକା ଆମ ଦେଶର ପ୍ରସ୍ତୁତ ହୋଇଥିବାରୁ ସବୁ ଭାରତୀୟଙ୍କ ପାଇଁ ଏହା ଗର୍ବର ବିଷୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ନିଶ୍ଚିତ ଭାବେ ଏହା ସମସ୍ତଙ୍କ ପାଇଁ ଗର୍ବର ବିଷୟ । ଆଉ କିଛି କୋଭିଡ ଟିକା ବି ଆସିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବେଶ ଭଲ କଥା । କିନ୍ତୁ ବର୍ତ୍ତମାନ ଉତ୍ପାଦନ କ୍ଷମତା ଅନୁସାରେ ଟିକାକରଣ ପାଇଁ ସଠିକ ଯୋଜନା ପ୍ରସ୍ତୁତ ହେବା ଦରକାର । ପ୍ରାଥମିକ ତାଲିକାରେ ଥିବା ଲେକଙ୍କୁ ଛାଡିଦେଲେ ସାଧାରଣ ଲୋକଙ୍କୁ ଟିକା ବିକ୍ରି କରିବାକୁ ଫାର୍ମା କମ୍ପାନୀଗୁଡିକୁ ଅନୁମତି ଦେବା ଆବଶ୍ୟକ ।
୨୦୧୩ କମ୍ପାନୀ ଆକ୍ଟ ଅନୁସାରେ ଲାଭକାରୀ କମ୍ପାନୀଗୁଡିକ ସେମାନଙ୍କ ଲାଭର ଅନ୍ତତଃ ଦୁଇ ପ୍ରତିଶତ କୋର୍ପୋରେଟ ସୋସିଆଲ ରେସପନ୍ସିବିଲିଟି ବିଭାଗ ଅଧୀନରେ ଖର୍ଚ୍ଚ କରିବା ଦରକାର । ଭାରତୀୟ ବାଣିଜ୍ୟ ମହାସଂଘ ସେମାନଙ୍କ ସିଏସଆର ପାଣ୍ଠିକୁ ବ୍ୟବହାର କରିବା ପାଇଁ ଅନୁମତି ଦେବାକୁ କେନ୍ଦ୍ରକୁ ଅନୁରୋଧ କରିସାରିଛି । ଯଦି ଘରୋଇ ହସପିଟାଲଗୁଡିକୁ ମଧ୍ୟ ଟୀକାକରଣ ଅଭିଯାନରେ ସାମିଲ କରାଯାଏ, ତାହାହେଲେ ଏହା ଅଧିକ ବ୍ୟାପକ ହୋଇପାରିବ ।