ନୂଆଦିଲ୍ଲୀ: ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଅତିରିକ୍ତ 60 ଲକ୍ଷ ଡୋଜ୍ କୋଭିଡ୍ ଟୀକା ଆସନ୍ତା ତିନି ଦିନ ମଧ୍ୟରେ ଯୋଗାଇ ଦିଆଯିବ ବୋଲି ସୋମବାର କେନ୍ଦ୍ର ସରକାର କହିଛନ୍ତି ।
ଏକ ପ୍ରେସ ବିଜ୍ଞପ୍ତିରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ବର୍ତ୍ତମାନ ସୁଦ୍ଧା ଭାରତ ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକୁ ମାଗଣାରେ 16.54 (16,54,93,410) କୋଟି ଟୀକା ଯୋଗାଇ ଦେଇଛନ୍ତି । ସେଥିମଧ୍ୟରେ ନଷ୍ଟ ହୋଇଥିବା ଟୀକାକୁ ମିଶାଇ ଏପର୍ଯ୍ୟନ୍ତ 15,79,21,537 ଟି ଡୋଜ୍ ଟୀକା ଦିଆଯାଇଥିବା ସୋମବାର ସକାଳ 8 ସୁଦ୍ଧା ମିଳିଥିବା ରିପୋର୍ଟରେ ପ୍ରକାଶ ପାଇଛି ।
‘‘ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକରେ ଏବେ ମଧ୍ୟ 75 ଲକ୍ଷରୁ ଅଧିକ କୋଭିଡ ଟୀକା ଡୋଜ୍ ମହଜୁଦ୍ ରହିଛି । ଏହାସହ ଆସନ୍ତା ତିନି ଦିନ ମଧ୍ୟରେ 59 ଲକ୍ଷରୁ ଅଧିକ (59,70,670) କୋଭିଡ ଟୀକା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକୁ ଯୋଗାଇ ଦିଆଯିବ’’ ବୋଲି ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆ ଯାଇଛି ।
ସୂଚନା ଯୋଗ୍ୟ ଯେ, ଗତ ଏପ୍ରିଲ 19 ତାରିଖରେ 18 ବର୍ଷରୁ ଅଧକ ସମସ୍ତ ବ୍ୟକ୍ତି ମେ 1 ତାରିଖରୁ ଟୀକା ନେଇ ପାରିବେ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଟୀକା ଉତ୍ପାଦନକାରୀ ସଂସ୍ଥା ଠାରୁ ସିଧାସଳଖ ରାଜ୍ୟ ସରକାର ମାନେ ଟୀକା କିଣିପାରିବେ ବୋଲି ମଧ୍ୟ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ନୂଆ ନିୟମ ଅନୁସାରେ ଉପଲବ୍ଧ ଟୀକାର 50 ପ୍ରତିଶତ କେନ୍ଦ୍ର ପାଖରେ ରହିବ, ବଳକା ଟୀକା ରାଜ୍ୟ ଓ ଘରୋଇ ହସ୍ପିଟାଲ ମାନେ ପାଇବେ ।
ଗତ ଜାନୁଆରୀ ମାସ 16 ତାରିଖରୁ କୋଭାକ୍ସିନ ଓ କୋଭିଶିଲ୍ଡ ଏହି ଦୁଇଟି ଟୀକାକୁ ନେଇ ସାରା ଦେଶରେ ଟୀକାକରଣ ଅଭିଯାନ ଆରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ କୋରୋନା ଯୋଦ୍ଧା, ସମ୍ମୁଖ ଯୋଦ୍ଧାଙ୍କୁ ଟୀକା ଦିଆଯାଇଥିବା ବେଳେ, ଦ୍ବିତୀୟ ପର୍ଯ୍ୟାୟରେ 60ରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଓ ତୃତୀୟ ପର୍ଯ୍ୟାୟରେ 45 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟୀକାକରଣ ପାଇଁ ଅନୁମତି ଦିଆଯାଇଛି ।
@ANI