ନୂଆଦିଲ୍ଲୀ: ବେଆଇନ ଭାବେ ମାଛ ଧରାକୁ କେନ୍ଦ୍ର କରି 43 ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା(Sri Lankan Navy) । ଏହା ସହିତ ଶ୍ରୀଲଙ୍କା, ଭାରତୀୟ ମତ୍ସ୍ୟଜୀବୀଙ୍କ(Indian Fishermen) 6ଟି ଡଙ୍ଗା ଜବତ କରିଛି । ଏନେଇ ରବିବାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଶ୍ରୀଲଙ୍କା ନୌସେନା(Sri Lankan Navy) ଶନିବାର ଦିନ ଜାଫନାର ଡେଲଫ୍ଟ ଦ୍ବୀପର(Delft Island In Jaffna) ଦକ୍ଷିଣ-ପୂର୍ବ ସମୁଦ୍ର ଅଞ୍ଚଳରେ ଏହି ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ।
ଶ୍ରୀଲଙ୍କା ନୌସେନା ଏକ ବିବୃତ୍ତିରେ କହିଛି ଯେ, 18 ଡିସେମ୍ବର 2021 ରାତିରେ ଡେଲଫ୍ଟ ଦ୍ବୀପର ଦକ୍ଷିଣ-ପୂର୍ବ ସମୁଦ୍ର ଅଞ୍ଚଳରେ(Southeast Seas) ନୌସେନା ଦ୍ବାରା କରାଯାଇଥିବା ଏକ ସ୍ବତନ୍ତ୍ର ଅପରେସନରେ, ଶ୍ରୀଲଙ୍କା ସମୁଦ୍ର ସୀମାରେ ମାଛ ଧରିବା ପାଇଁ ଆସିଥିବା ୬ଟି ଭାରତୀୟ ଡଙ୍ଗା ସହ ୪୩ ଜଣ ମତ୍ସ୍ୟଜୀବୀଙ୍କୁ କାବୁ କରାଯାଇଥିଲା । ଉତ୍ତର ନୌସେନା କମାଣ୍ଡ ସହିତ ଜଡ଼ିତ ଫାଷ୍ଟ ଆଟାକ କ୍ରାଫ୍ଟ ଫ୍ଲୋଟିଲା (4 FAF) ଦ୍ବାରା ଏହି ଗିରଫଦାରୀ କରାଯାଇଥିଲା । ଗିରଫ କରିବାପରେ କୋଭିଡ ନିୟମ ଅନୁଯାୟୀ ସେମାନଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯାଇଛି । ଏହାପରେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନଙ୍କୁ ସମ୍ପୃକ୍ତ ଅଧିକାରୀଙ୍କୁ ହସ୍ତାନ୍ତର କରିବାର ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀଲଙ୍କା ନୌସେନା କହିଛି ।
ଉଲ୍ଲେଖନୀୟ ବିଷୟ ଯେ, ଉଭୟ ଦେଶର ମତ୍ସ୍ୟଜୀବୀମାନେ ଅଜାଣତରେ ପରସ୍ପରର ଜଳ କ୍ଷେତ୍ରରେ ପ୍ରବେଶ କରି ଗିରଫ ହୁଅନ୍ତି । ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ଅନେକ ଘଟିଛି । ତେବେ ଦ୍ବିପାକ୍ଷିକ ସଂପର୍କରେ ମତ୍ସ୍ୟଜୀବୀଙ୍କ ଏହି ସମସ୍ୟା ଏକ ମୁଖ୍ୟ ପାଚେରୀ ହୋଇ ଠିଆ ହୋଇଛି ।