ନୂଆଦିଲ୍ଲୀ: ସ୍ପାଇସଜେଟ ଅଧ୍ୟକ୍ଷ ତଥା ଏମଡି ଅଜୟ ସିଂହ(Chairman Ajay Singh)ଙ୍କ ବିରୁଦ୍ଧରେ ଏକ ଠକେଇ ମାମଲା ରୁଜୁ ହୋଇଛି । କମ୍ପାନୀର ସେୟାର ଆବଣ୍ଟନ କରିବା ବାହାନାରେ ଜଣେ ବ୍ୟବସାୟୀଙ୍କ ଠାରୁ ସେ ଲକ୍ଷାଧିକ ଟଙ୍କା ଠକି ନେଇଥିବାର ଅଭିଯୋଗ ହୋଇଛି । ଅମିତ ଅରୋରା ନାମକ ବ୍ୟବସାୟୀ ଗୁରୁଗ୍ରାମ ଥାନାରେ ଏହି ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ଗତକାଲି(ସୋମବାର) ଗୁରୁଗ୍ରାମ ପୋଲିସ ସୂଚନା ଦେଇଥିବା ବେଳେ ଆଜି(ମଙ୍ଗଳବାର) ଏହାକୁ ଖଣ୍ଡନ କରିଛି ସ୍ପାଇସଜେଟ୍ । ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ ବୋଲି କମ୍ପାନୀ କହିଛି ।
କମ୍ପାନୀ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ''ଅଧ୍ୟକ୍ଷ ଅଜୟ ସିଂହଙ୍କ ବିରୁଦ୍ଧରେ ଗୁରୁଗ୍ରାମ ଥାନାରେ ମଦ ବ୍ୟବସାୟୀ ଅମିତ ଅରୋରା ଦାଏର କରିଥିବା ଠକେଇ ଅଭିଯୋଗ ପୁରାପୁରି ମିଛ । ଏହା କେବଳ ସ୍ପାଇସଜେଟ ଏବଂ ଅଜୟ ସିଂହଙ୍କ ଭାବମୂର୍ତ୍ତି ଖରାପ କରିବା ଉଦ୍ଦେଶ୍ୟରେ କରାଯାଇଛି । ଏନେଇ ଅଭିଯୋଗକାରୀଙ୍କ ବିରୁଦ୍ଧରେ ମାନହାନି ମୋକଦ୍ଦମା ଦାୟର କରାଯିବ ।''
ଅମିତ ଅରୋରା ଅଭିଯୋଗ କରିଛନ୍ତି ଯେ, ''ଅଜୟ ସିଂହ ତାଙ୍କୁ ସ୍ପାଇସଜେଟର ୧୦ ଲକ୍ଷ ସେୟାର ଆବଣ୍ଟନ କରିବା ପାଇଁ ଏକ ଜାଲ୍ ଡିପୋଜିଟାରୀ ଇନଷ୍ଟ୍ରକସନ ସ୍ଲିପ୍(fake depository instruction) ଦେଇଥିଲେ ।'' କିନ୍ତୁ କମ୍ପାନୀର ମୁଖପାତ୍ର କହିଛନ୍ତି, ''ଏୟାରଲାଇନର କୌଣସି ଅଧିକାରୀ କିମ୍ବା ଅଜୟ ସିଂହ ଅମିତ୍ଙ୍କୁ କେବେ ଭେଟି କରିନାହାନ୍ତି । ଏଥିସହ ସେମାନଙ୍କ ମଧ୍ୟରେ କୌଣସି ପ୍ରକାର ଲିଖିତ ଚୁକ୍ତିନାମା ମଧ୍ୟ ହୋଇନାହିଁ । ପୋଲିସ ତଦନ୍ତରୁ ଏହା ପ୍ରମାଣିତ ହେବ ଏବଂ FIRକୁ ରଦ୍ଦ କରାଯିବ ।''