ରାଞ୍ଚି: ନିଜର ଜନ୍ମକଲା ମାକୁ ହତ୍ୟା କରି ତା ଜଳୁଥିବା ଜୁଇରେ କୁକୁଡା ମାଂସ ରୋଷେଇ କରି ଖାଇଲା ପୁଅ । ଏ ଘଟଣା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଝାଡଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାରେ ।
ସୂଚନାଅନୁଯାୟୀ ପଶ୍ଚିମ ସିଂହଭୂମ ଜିଲ୍ଲାର ମନୋହରପୁର ଥାନା ଅନ୍ତର୍ଗତ ଜୋଜଗୁଟ ଗ୍ରାମର 35 ବର୍ଷିୟ ପ୍ରଧାନ ସୋୟା ନାମକ ଯୁବକ ଶୁକ୍ରବାର ରାତିରେ ନିଜ 60 ବର୍ଷୀୟ ମା’ ସିମୀ ସୋୟାକୁ ହତ୍ୟା କରିଥିଲା । ଏହାପରେ ଘର ଭିତରେ ହିଁ ତାଙ୍କ ମୃତଦେହକୁ ପୋଡିଦେଇଛି । ଘର ଭିତରେ ହିଁ ମୃତଦେହ ଦାହ କରି ସେହି ସ୍ଥାନରେ କୁକୁଡା ମାଂସ ରୋଷେଇ କରି ଖାଇଛି । ଗତ 4 ବର୍ଷ ପୂର୍ବରୁ ନିଜ ବାପାଙ୍କୁ ମଧ୍ୟ ସେ ହତ୍ୟା କରି ଜେଲ ଯାଇଥିଲା । କିନ୍ତୁ ସେ ଜେଲରୁ ଫେରାର ହୋଇ ଆସିଥିଲା । ଏ ନେଇ ଶନିବାର ସକାଳେ ଅଭିଯୁକ୍ତଙ୍କ ଭାଉଜ ଗ୍ରାମବାସୀଙ୍କୁ ଜଣାଇଥିଲେ । ଏହାପରେ ଗ୍ରାମବାସୀ ଅଭିଯୁକ୍ତର ହାତ ଗୋଡ ବାନ୍ଧି ପୋଲିସକୁ ଖବର ଦେଇଥିଲେ ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ମୃତଦେହ ଜବତ କରିଥିଲା । କେଉଁ କାରଣରୁ ସେ ଏଭଳି ଅମାନବୀୟ ଘଟଣା ଘଟାଇଛି ସେନେଇ ତଦନ୍ତ ଆରମ୍ଭ ହୋଇଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ