ଲକ୍ଷ୍ନୌ: ୧୯୪୮ ଶିଖ୍ ବିରୋଧି ଦଙ୍ଗା ଘଟଣାରେ ଗିରଫ ହେଲେ ୪ ଅଭିଯୁକ୍ତ । ଏହି ଦଙ୍ଗା ଘଟଣାର ଯାଞ୍ଚ କରୁଥିବା ଏସଆଇଟି ବୁଧବାର ବଡ କାର୍ଯ୍ୟାନୁଷ୍ଠାନ ନେବା ସହ ଆଉ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସମସ୍ତଙ୍କୁ ଉତ୍ତରପ୍ରଦେଶ ରାଜ୍ୟ କାନପୁରର ଘାଟମପୁରରୁ ଗିରଫ କରାଯାଇଛି । ଗିରଫ ହୋଇଥିବା ସମସ୍ତଙ୍କର ବୟସ ୬୦ ରୁ ୬୫ ବର୍ଷ ବୟସର ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ମାମଲାର ତଦନ୍ତ ପାଇଁ ୩ ବର୍ଷ ପୂର୍ବେ ଗଠିତ ହୋଇଥିବା ଏସଆଇଟି(Special Investigation Team) ଏବେସୁଦ୍ଧା ୯୪ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିସାରିଛି । ଯାହା ମଧ୍ୟରୁ ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେସୁଦ୍ଧା ୭୦ରୁ ଅଧିକ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏନେଇ DIG ବଲେନ୍ଦୁ ଭୂଷଣ ସିଂହ(Balendu Bhushan Singh) ସୂଚନା ଦେଇଛନ୍ତି ।
୧୯୪୮ ମସିହା ନଭେମ୍ବର ୧ରେ ଏହି ଚାରି ଅଭିଯୁକ୍ତ କିଛି ଲୋକଙ୍କ ସହ ଏକ ଟ୍ରକ ଯୋଗେ ଆସି କାନପୁର ନିରଳା ନଗର ଅଞ୍ଚଳର ଏକ ବିଲ୍ଡିଂରେ ନିଆଁ ଲଗାଇ ଦେଇଥିଲେ । ଯେଉଁଥିରେ ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ଏବଂ ସେମାନେ ଜଣଙ୍କୁ ଛାତ ଉପରୁ ତଳକୁ ଫିଙ୍ଗି ଦେଇଥିଲେ । ଶିଖ୍ ବିରୋଧି ହିଂସା ଘଟଣାର ମୋଟ ୧୪ଟି ମାମଲାରେ ପ୍ରମାଣ ମିଳିଥିବା ବେଳେ ୧୪୭ ଜଣଙ୍କ ବୟାନ ରେକର୍ଡ ହୋଇଛି । ୨୦୧୮ରେ ଅଖିଳ ଭାରତୀୟ ପୀଡିତ ରିଲିଫ କମିଟି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲା । ଯାହାପରେ ଏହି ଘଟଣାକୁ ଗୁରୁତର ସହ ନିଆଯାଇ ଯାଞ୍ଚ ପ୍ରକ୍ରିୟା ଚାଲିଛି ।
1984 ଶିଖ୍ ବିରୋଧି ଦଙ୍ଗା ମାମଲାରେ ପୀଡିତଙ୍କ ପରିବାର ଠିକ୍ ସମୟରେ ଅଭିଯୁକ୍ତଙ୍କ ଗିରଫଦାରୀ ନ ହେବାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ପୋଲିସ ଏହି ମାମଲାରେ କୋହଳ ମନୋଭାବ ପୋଷଣ କରୁଥିବାର ସେମାନେ ଅଭିଯୋଗ କରିଥିଲେ । ଯାହାକୁ ନେଇ ପରବର୍ତ୍ତୀ ସମୟରେ ଶିଖ୍ ସଙ୍ଗଠନ କାନପୁର ସହରରେ ଧାରଣା ପ୍ରଦର୍ଶନ କରିଥିଲେ । ଉଲ୍ଲେଖଯୋଗ୍ୟ, ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ଦୁଇ ସୁରକ୍ଷାକର୍ମୀ 31 ଅକ୍ଟୋବର 1984ରେ ଗୁଳି କରି ହତ୍ୟା କରିବା ପରେ ଦିଲ୍ଲୀ ସମେତ ଦେଶର ଅନେକ ସ୍ଥାନରେ ଶିଖ୍ ବିରୋଧି ଦଙ୍ଗା ଦେଖିବାକୁ ମିଳିଥିଲା ।