ନୂଆଦିଲ୍ଲୀ: ଅଫତାବର ଆଜି ପଲିଗ୍ରାଫ୍ ଟେଷ୍ଟ ଶେଷ । ବହୁ ଚର୍ଚ୍ଚିତ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫତାବର ଆଜି ପଲିଗ୍ରାଫ୍ ଟେଷ୍ଟ ଶେଷ ହୋଇଛି । ୪ ଦିନ ଧରି ତାର ପଲିଗ୍ରାଫ୍ ଟେଷ୍ଟ କରାଯାଇଥିଲା । ଏହାଦ୍ବାରା ପୋଲିସକୁ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଛି । ବୁଧବାର ପଲିଗ୍ରାଫ୍ ଟେଷ୍ଟ ଶେଷ ହେବାପରେ ତାର ନାର୍କୋ ଟେଷ୍ଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଡିସେମ୍ବର ୧ ତାରିଖରେ ଅଫତାବ୍ର ନାର୍କୋ ଟେଷ୍ଟ କରାଯିବ । ଦିଲ୍ଲୀର ଅମ୍ବେଦକର ହସ୍ପିଟାଲ୍ରେ ତାର ନାର୍କୋ ଟେଷ୍ଟ କରାଯାଇ ପାରେ । ଚଳିତ ବର୍ଷ ମେ ମାସରେ ନିଜ ଲିଭ୍ ଇନ୍ ପାର୍ଟନର୍ ଶ୍ରଦ୍ଧା ୱାକରକୁ ନିର୍ମମ ଭାବରେ ହତ୍ୟା କରିଥିଲା ଅଫତାବ୍ । ହତ୍ୟା କରିବା ପରେ ମୃତଦେହକୁ ୩୫ ଖଣ୍ଡ କରି ଫ୍ରିଜ୍ରେ ରଖିଥିଲା ଅଫତାବ୍ । ପରବର୍ତ୍ତୀ ସମୟରେ ମୃତଦେହର ବିଭିନ୍ନ ଅଂଶ ଭିନ୍ନଭିନ୍ନ ସ୍ଥାନରେ ଫୋପାଡ଼ିଥିଲା ଅଫ୍ତାବ୍ । ତେବେ ଅଭିଯୁକ୍ତ ଅଫତାବ ତଦନ୍ତକାରୀ ଅଧିକାରୀଙ୍କ ଆଗରେ ବାରମ୍ବାର ବୟାନ ବଦଳାଉଥିଲା ।
ପଲିଗ୍ରାଫ୍ ଟେଷ୍ଟରୁ ଜଣା ପଡ଼ିଛି ଯେ, ଅଭିଯୁକ୍ତ ଆନେକ ଯୁବତୀଙ୍କ ସହ ସମ୍ପର୍କରେ ଥିଲା । ଧୀରଧୀରେ ଶ୍ରଦ୍ଧାକୁ ଏହାକୁ ନେଇ ଖବର ମିଳିବାକୁ ଲାଗିଲା । ସେପଟେ ଶ୍ରଦ୍ଧାର ମଧ୍ୟ ଅନ୍ୟ ସହ ସମ୍ପର୍କ ରହିଥିବା ନେଇ ଅଭିଯୋଗ କରିଛି ଅଫତାବ୍ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟ କଳହ ଲାଗି ରହୁଥିଲା । କିନ୍ତୁ ଅଫତାବ ଶ୍ରଦ୍ଧାଙ୍କୁ ଛାଡ଼ିବାକୁ ଚାହୁଁନଥିଲା । ଏଥିପାଇଁ ତାକୁ ହତ୍ୟା କରିବାକୁ ଚିନ୍ତା କରିଥିଲା ।
ଲିଭ୍ ଇନ୍ରେ ରହିବା ସମୟରେ ଶ୍ରଦ୍ଧା ବିବାହ ପାଇଁ ଚାପ ପକାଉଥିଲା । ଏହି ଜିଦ୍ ପାଇଁ ଅଫତାବ୍ ଚିନ୍ତିତ ହୋଇ ପଡ଼ିଥିଲା । ଏହାପରେ ସେ ଶ୍ରଦ୍ଧାକୁ ରାସ୍ତାରୁ ହଟାଇବାକୁ ଚାହୁଁଥିଲା । ଏହାପରେ ଯୋଜନା ମୁତାବକ ଶ୍ରଦ୍ଧାକୁ ହତ୍ୟା କିରଥିଲା ଅଫତାବ । ବିଶେଷଜ୍ଞଙ୍କ ମତରେ ଏଭଳି ଅପରାଧ ପଛରେ ଅଧିକ କ୍ରୋଧ କିମ୍ବା ହିଂସକ ଅପରାଧର କାହାଣୀ ରହିଥାଏ । ଏହାପୂର୍ବରୁ ୨୦୨୦ରେ ଶ୍ରଦ୍ଧା ମହାରାଷ୍ଟ୍ରର ପାଲଘର ଥାନାରେ ଅଫତାବ ଜୀବନରେ ମାରିବାକୁ ଧମକ ଦେଉଥିବା ଅଭିଯୋଗ କରିଥିଲେ ।