ଭୋପାଳ: ବିଜ୍ଞାନ ଯୁଗରେ ଭୂତ ବା କୌଣସି ଅଦୃଶ୍ୟ ଶକ୍ତି ଭିତ୍ତିହୀନ ପରି ମନେ ହୁଏ । ମାତ୍ର ଆମ ଚାରିପାଖରେ ବେଳେ ବେଳେ ଏପରି କିଛି ଘଟଣା ଘଟେ ଯାହାକି ବୈଜ୍ଞାନିକଙ୍କୁ ମଧ୍ୟ ଚିନ୍ତାରେ ପକାଏ । କେହି କେହି ଏହାକୁ ମନର ଭ୍ରମ ବୋଲି ବିଶ୍ବାସ କରନ୍ତି । ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ମଧ୍ୟପ୍ରଦେଶ ଶହଡୋଲ ଜିଲ୍ଲାରେ ଘଟିଛି । ଜିଲ୍ଲାର ବିଲଟିକୁରିରେ ଏପରି ଏକ ସ୍କୁଲ ଅଛି ଯେଉଁଠି ପଢୁଥିବା ଛାତ୍ରୀମାନେ ଅଜବ ଆଚରଣ କରନ୍ତି (Ghost in Shahdol School) । ନବମ ଓ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରୀ ଚଟାଣରେ ପଡି କାନ୍ଦିବା ସହିତ ଅଜବ ଶବ୍ଦ କରନ୍ତି । ଏମାନଙ୍କୁ ହସ୍ପିଟାଲ ନିଆଯିବା ପରେ ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି ।
ସ୍କୁଲରେ ଭୂତ ଥିବା ନେଇ ଚର୍ଚ୍ଚା: -
ଏଭଳି ଅଜବ ଘଟଣା ଜିଲ୍ଲାର ଶହଡୋଲ ଜିଲ୍ଲା ବିଲଟିକୁରି ହାଇସ୍କୁଲରେ ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟରେ ପାଠ ପଢୁଥିବା ନବମ ଓ ଦଶମ ଶ୍ରେଣୀର ଛାତ୍ରୀମାନେ ଚଟାଣରେ ପଡି କାନ୍ଦିବା ସହିତ ଚିତ୍କାର ମଧ୍ୟ କରନ୍ତି । ହସ୍ପିଟାଲରେ ଡାକ୍ତରଙ୍କୁ ଦେଖାଇବା ପରେ କୌଣସି ସମସ୍ୟା ନଥିବା ମଧ୍ୟ ଡାକ୍ତର କହିଛନ୍ତି । ତେବେ ପରିବାର ଏହି ଛାତ୍ରୀଙ୍କୁ ଝଡାଫୁଙ୍କା କରିବା ପରେ ସେମାନେ ବାସ୍ତବ ଅବସ୍ଥାକୁ ଫେରୁଥିବା ଦେଖିବାକୁ ମିଳିଥିଲା । ଛାତ୍ରୀଙ୍କ ଏଭଳି ଆଚରଣ ଦେଖି ପରିବାର ସ୍କୁଲରେ ଅଦୃଶ୍ୟ ଶକ୍ତି ରହୁଥିବା ନେଇ କହୁଛନ୍ତି । ମାତ୍ର ଇଟିଭି ଭାରତ ଏଭଳି ଅନ୍ଧବିଶ୍ବାସକୁ ସମର୍ଥନ କରେ ନାହିଁ ।
ଛାତ୍ରୀଙ୍କ ଅଜବ ଆଚରଣ:-
ଏହି ଘଟଣାରେ ଆଦିବାସୀ ବିକାଶ ବିଭାଗର ସହକାରୀ କମିଶନର ଆନନ୍ଦ ରାୟ ସିହ୍ନା କହିଛନ୍ତି, " ଏହି ଘଟଣା ସମ୍ପର୍କରେ ଯାଞ୍ଚ କରିବା ଲାଗି ବିଇଓଙ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା । ମାତ୍ର ଛାତ୍ରୀଙ୍କ ଆଚରଣର କାରଣ ଜଣାପଡିନାହିଁ । ଏହି ଛାତ୍ରୀଙ୍କୁ ମନସ୍ତତ୍ତ୍ବବିତଙ୍କ ନିକଟକୁ ପରୀକ୍ଷା ଲାଗି ପଠାଯିବ । ଏବେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନିକଟ ଏକ ସ୍କୁଲରେ ପାଠ ପଢାଯାଉଛି ।"
ପରୀକ୍ଷଣ କରୁଛି ସ୍ବାସ୍ଥ୍ୟ ବିଭାଗ:-
ଏହି ଘଟଣା ନେଇ ଝିଙ୍କାବିଜୁରୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଭୂପେନ୍ଦ୍ର ସିଂହ କହିଛନ୍ତି, " ୧୫ରୁ ୧୬ ବର୍ଷର ଛାତ୍ରୀଙ୍କ ମଧ୍ୟରେ ଏପରି ସମସ୍ୟା ଦେଖିବାକୁ ମିଳୁଛି । ଏଥିଲାଗି ସେମାନଙ୍କ ରକ୍ତ ପରୀକ୍ଷା ମଧ୍ୟ କରାଯାଇଛି । କାହାଠାରେ କୌଣସି ପ୍ରକାର ସମସ୍ୟା ଦେଖିବାକୁ ମିଳିନାହିଁ । ମାତ୍ର ସେମାନେ କାହିଁକି ଏପରି ଆଚରଣ କରୁଛନ୍ତି ସେ ନେଇ ସ୍ବାସ୍ଥ୍ୟ ବିଭାଗ ଲଗାତାର ଯାଞ୍ଚ କରୁଛି ।"