ମୁମ୍ବାଇ: ମହାରାଷ୍ଟ୍ରରେ ଲଜ୍ଜା । ସ୍ବାମୀକୁ ଗୋଟିଏ ଘରେ ବନ୍ଦ କରି ସ୍ତ୍ରୀକୁ ଗଣଦୁଷ୍କର୍ମ । ଫ୍ୟାକ୍ଟ୍ରିରେ କାର୍ଯ୍ୟରତ ମହିଳା ଶ୍ରମିକଙ୍କୁ ମାଲିକଙ୍କ ସହ 11 ଜଣ ସାଥି ଶ୍ରମିକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସତରା ଜିଲ୍ଲାର ଫାଲଟାନରେ ଏହି ଲଜ୍ଜାଜନକ ଘଟିଥିବା ସୂଚନା ମିଳିଛି । ଥାନାରେ ଅଭିଯୋଗ ପରେ ପୋଲିସ କୋଇଲା ଫ୍ୟାକ୍ଟ୍ରିର ମାଲିକକୁ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରିଛି । ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ।
ପୀଡିତା ମହିଳା ରାୟଗଡ ଅଞ୍ଚଳର ହୋଇଥିବା ବେଳେ କୋଇଲା ଫ୍ୟାକ୍ଟ୍ରିରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିଲେ । ସେହି ସ୍ଥାନରେ ସେ ଏକ କୁଡିଆ ଘର କରି ରହୁଥିଲେ । ପୀଡିତା ସତରା ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ଯେ, ଦିନବେଳା ସେ ଘରେ ଥିବା ସମୟରେ ଫ୍ୟାକ୍ଟ୍ରି ମାଲିକ ତାଙ୍କ ଘର ଭିତରେ ପ୍ରବେଶ କରିଥିଲେ । ଏହାପରେ ସେ ଆଉ ତାଙ୍କର 10 ଜଣ ସହଯୋଗୀ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏହି ସମୟରେ ସେମାନେ ତାଙ୍କ ସ୍ବାମୀଙ୍କୁ ଏକ ଘରେ ବନ୍ଦ କରିଦେଇଥିଲେ । ଘଟଣାସ୍ଥଳରୁ ଅଭିଯୁକ୍ତମାନେ ପଳାଇବା ପରେ ପୀଡିତା ନିଜ ସ୍ବାମୀ ଓ ଝିଅକୁ ନେଇ ଗାଁକୁ ପଳାଇ ଆସିଥିଲେ । ପୋଲିସ ନିକଟରେ ପ୍ରଥମେ ଅଭିଯୋଗ କରିବାକୁ ସେ ସାହସ ଜୁଟାଇ ପାରିନଥିଲେ । ପରମୁହୁର୍ତ୍ତରେ ଗ୍ରାମର ମହିଳା ଶ୍ରମିକ ସଂଗଠନକୁ ଏ ବିଷୟରେ ଅବଗତ କରାଇବା ପରେ ସୋମାନେ ତାଙ୍କୁ ଥାନାରେ ଅଭିଯୋଗ କରିବାକୁ କହିଥିଲେ ।
ଏହାପରେ ପୀଡିତା ଜଣକ ସତରା ପୋଲିସ ଷ୍ଟେସନରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଥିଲେ । ଏନେଇ ପୋଲିସ କହିଛି ଯେ, ମହିଳାଙ୍କ ଅଭିଯୋଗ ପରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା । ଘଟଣାର ମୁଖ୍ୟ ଅଭିଯୁକ୍ତ ବାଲୁ ଶେଖଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି । ଅଭିଯୁକ୍ତକୁ ପଚରାଉଚରା କରାଯାଉଛି । ଆଜି ଏହି ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଉପସ୍ଥାପନା କରିବାକୁ ସତରା ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ ।
ଏହା ମଧ୍ଯ ପଢନ୍ତୁ-କୋଚିଂ ଯିବା ବାଟରେ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା
ଗତ ଜୁନ 22 ତାରିଖରେ ରାଜସ୍ଥାନରୁ ଏକ ଦୁଷ୍କର୍ମ ଖବର ସାମ୍ନାକୁ ଆସିଥିଲା । ୨୦ ବର୍ଷୀୟା ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ପୀଡିତା କୋଚିଂ କ୍ଲାସ ଯିବା ବାଟରେ ଦୁଷ୍କର୍ମର ଶିକାର ହୋଇଥିଲେ । ଏହି କୁକର୍ମରେ ଦୁଇ ଜଣ ପୋଲିସ କର୍ମୀଙ୍କ ସମେତ ୩ ଜଣ ସାମିଲ ଥିବା ସନ୍ଦେହ କରାଯାଉଥିଲା । ଯୁବତୀ କୋଚିଂ ଯିବା ବାଟରେ ସେହି ୩ ଜଣ ପ୍ରତିଦିନ ତାଙ୍କର ପିଛା କରୁଥିଲେ । ଏନେଇ ପୀଡିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା ।