ଶ୍ରୀନଗର: ଜମ୍ମୁ-କାଶ୍ମୀରର କାଠୁଆ ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଠାରେ ୨୦ରୁ ଅଧିକ ଯାତ୍ରୀଙ୍କ ନେଇ ଯାଉଥିବା ଏକ ମିନି ବସ୍ ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସିପଡିଛି । ଫଳରେ ଏଥିରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶୁକ୍ରବାର ରାତିରେ କାଠୁଆ ଜିଲ୍ଲାର ବିଲ୍ଲାୱାର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି ।
ସୂଚନା ଅନୁଯାୟୀ, ବସ୍ରେ ୨୦ରୁ ଅଧିକ ଯାତ୍ରୀ ଥିଲେ । ବିଲ୍ଲାୱର ଅନ୍ତର୍ଗତ ସିଲା ଗ୍ରାମ ନିକଟରେ ବସ୍ ଭାରସାମ୍ୟ ହରାଇ ଏକ ଖାଇ ମଧ୍ୟକୁ ଖସି ପଡିଥିଲା । ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣେ ୬୦ ବର୍ଷୀୟ ବ୍ୟକ୍ତିଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ୧୬ ଜଣ ଗୁରୁତର ଆହତ ହୋଇଥିଲେ । ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଆଉ ଜଣେ ଆଖି ବୁଜିଥିଲେ । ମୃତକମାନେ ବଣ୍ଟୁ, ହଂସ ରାଜ, ଅଜିତ ସିଂହ, ଆମରୁ ଓ କକୁ ରାମ ବୋଲି ପରିଚୟ ମିଳିଛି । ସେହିପରି ଚିକିତ୍ସାଧୀନ ଥିବା ଆହତଙ୍କ ମଧ୍ୟରୁ ଅନେକଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ଥିବାରୁ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଇଛି । ଏହି ଘଟଣାରେ ବିଲ୍ଲାୱର ପୋଲିସ ତଦନ୍ତ ଆରମ୍ଭ କରିଛି ।
ଏହାମଧ୍ୟ ପଢନ୍ତୁ: ଛତିଶଗଡ଼ ରାଜ୍ୟ ବିଜେପି ସଭାପତିଙ୍କ ଓଲଟିଲା ଏସକଟ ଗାଡ଼ି, ହେଡ୍ କନଷ୍ଟେବଳ ମୃତ ୩ ଆହତ
ପ୍ରକାଶଥାଉ କି, ଦୁଇ ଦିନ ତଳେ ମହାରାଷ୍ଟ୍ର ରାଇଗଡ ଜିଲ୍ଲା ଅନ୍ତର୍ଗତ ଗୋଆ ମୁମ୍ବାଇ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ଏଠାରେ ଟ୍ରକ ଓ କାର୍ ମୁହାଁମୁହିଁ ଧକ୍କା ହେବାରୁ ୯ ଜଣଙ୍କର ମୃତ୍ୟୁ ହୋଇଥବା ବେଳେ ଜଣେ ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରେ ୫ ଜଣ ପୁରୁଷ, ତିନି ଜଣ ମହିଳା ଓ ଜଣେ ଶିଶୁ ରହିଥିଲେ । ସେହିପରି ଏହି ଦୁର୍ଘଟଣାରୁ ଗୋଟିଏ ଶିଶୁ ଅଳ୍ପକେ ବର୍ତ୍ତି ଯାଇଥିଲା ।