ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ବେଳେ ପରସ୍ପର ମଧ୍ୟରେ ଧକ୍କା ହେଲା ଦୁଇଟି କାର । ବୁଧବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଥିବା ବେଳେ ଏଥିରେ ୫ଜଣ ପ୍ରାଣ ହରାଇଥିବା ବେଳେ ୬ଜଣ ଆହତ ହୋଇଛନ୍ତି । ବୁଧବାର ରାତିରେ ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାର ପପରେନ୍ଦ୍ର ଅଞ୍ଚଳରେ ଏହି ଦୁର୍ଘଟଣା ହୋଇଥିବା ନେଇ ସ୍ଥାନୀୟ ପୋଲିସ ତରଫରୁ ସୂଚନା ଦିଆଯାଇଛି ।
ଏନେଇ ପୋଲିସ କହିଛି, " ଚିତ୍ରକୁଟର ରାଜପୁରରୁ ଏକ ବାହାଘର କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ଦୁଇଟି ଏସୟୁଭି କାର ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୬ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆହତ ଏବଂ ମୃତକ ସମସ୍ତେ ପାଇଲନି ପୋଲିସ କ୍ଷେତ୍ର ଅନ୍ତର୍ଗତ ନିଓ୍ବାଇଚ ଏବଂ ପିପରହରି ଗ୍ରାମର ବାସିନ୍ଦା ଥିଲେ । "
ଏନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ସମସ୍ତ ମୃତକଙ୍କୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପୋଲିସ ସ୍ଥାନୀୟ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନର କରାଯିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପୋଲିସ ଘଟଣାସ୍ଥଳରୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଆହତମାନଙ୍କୁ ପଚରାଉଚରା କରି ତଦନ୍ତ ଆରମ୍ଭ କରିଛି ।
ଏହା ମଧ୍ୟ ପଢନ୍ତୁ: Tripura Assembly Election: ଭୋଟ ଦେଉଛି ତ୍ରିପୁରା, ମଇଦାନରେ ତ୍ରିମୁଖୀ ଲଢେଇ
ତେବେ ପ୍ରକାଶଥାଉକି, ବୁଧବାର ଗୁଜୁରାଟର ପଟାନ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିଲା । ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ଜିପ । ଏହି ଭୟଙ୍କର ସଡକ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ଜଣ ଆହତ ହୋଇଥିଲେ । ପଟାନ ଜିଲ୍ଲାର ରାଧାନପୁର ଏକ ଜିପ ଦ୍ରୁତଗତିରେ ଆସି ଟେସନାରୀ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୬ଜଣଙ୍କ ମଧ୍ୟରେ ଦୁଇଜଣ ମହିଳାଙ୍କ ସମେତ ଦୁଇଜଣ ଛୋଟ ଝିଅ ରହିଥିଲେ ।
ତେବେ ଜିପଟି ୧୫ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ବେଳେ ରାସ୍ତାରେ ଗାଡିର ଟାୟାର ଫାଟି ଯାଇଥିଲା । ଫଳରେ ଭାରସାମ୍ୟ ହରାଇ ଜିପଟି ଟ୍ରକକୁ ପଛରୁ ଧକ୍କା ଦେଇଥିଲା । ସମସ୍ତ ମୃତକ ଏବଂ ଆହତ ଭରାଇ ଗ୍ରାମର ହୋଇଥିବା ନେଇ ପୋଲିସ ତରଫରୁ ସୂଚନା ଦିଆଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ