ନୂଆଦିଲ୍ଲୀ: ଚଳିତ ମାସ 21 ତାରିଖରେ ବହୁଚର୍ଚ୍ଚିତ ଜ୍ଞାନବ୍ୟାପୀ ମସଜିଦ ମାମଲାର ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ । ହିନ୍ଦୁ ଶ୍ରଦ୍ଧାଳୁଙ୍କ ଦ୍ବାରା ମସଜିଦରେ ପୂଜାପାଠ ପାଇଁ ଅନୁମତି ପ୍ରଦାନ କରାଯିବା ନେଇ ହୋଇଥିବା ମାମଲାର ଶୁଣାଣି ସର୍ବୋଚ୍ଚ କୋର୍ଟରେ ହେବାକୁ ଯାଉଛି । ବାରାଣାସୀ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭିଡିଓଗ୍ରାଫି ସର୍ଭେ ପରେ ମସଜିଦ ପରିସରରେ ଏକ ବିଶାଳ ଶିବଲିଙ୍ଗ ମିଳିଥିବା ନେଇ ହିନ୍ଦୁ ପକ୍ଷ ଦାବି କରିଥିଲେ ।
ତେବେ ଉକ୍ତ ସ୍ଥାନରେ ଶିବଲିଙ୍ଗ ମିଳିବା ଦାବି କରି ହିନ୍ଦୁଙ୍କ ପ୍ରବେଶ ପୂଜାର୍ଚ୍ଚନା ପାଇଁ ଦାବି ମଧ୍ୟ ଜୋର ଧରିଥିଲା । ମୁସଲିମ ପକ୍ଷ ତାହା ଶିବଲିଙ୍ଗ ନୁହେଁ ବରଂ ଏକ ଓ୍ବାଟର ଫାଉଣ୍ଟେନ ବୋଲି କହିଥିଲେ । ତେବେ ମାମଲା କୋର୍ଟରେ ବିଚାରାଧୀନ ଥିବାରୁ କୌଣସି ପକ୍ଷକୁ ଅନୁମତି ପ୍ରବେଶ ମିଳିନଥିଲା । ପରେ ଉଭୟ ପକ୍ଷ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲା ।
ଏହି ମାମଲାର ତ୍ବରିତ ଶୁଣାଣି, ପ୍ରଧାନ ବିଚାରପତିଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଦ୍ବାରା କରାଇବା ପାଇଁ ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଶଙ୍କର ଜୈନ ଆବେଦନରେ ଦର୍ଶାଇଥିଲେ । ତେବେ ଚଳିତ ମାସ 21 ତାରିଖରେ ଏହି ମାମଲା ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମଣା, ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ କ୍ରିଷ୍ଣା ମୁରାରୀଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ଦ୍ବାରା ହେବା ନେଇ ସ୍ଥିର ହୋଇଛି । ତେବେ ଏହି ଶୁଣାଣି ସହିତ ମୁସଲିମ ପକ୍ଷ ମଧ୍ୟ କରିଥିବା ମାମଲାର ଶୁଣାଣି ହେବ । ବାରାଣାସୀ କୋର୍ଟଙ୍କ ପ୍ରଦତ୍ତ ନିର୍ଦ୍ଦେଶରେ ହୋଇଥିବା ଭିଡିଓଗ୍ରାଫି ସର୍ଭେର ରିପୋର୍ଟକୁ ନେଇ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଇନ୍ତିଜାମିଆ ମସଜିଦ କମିଟି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ