ରାୟପୁର: କୋରୋନା ମହାମାରୀ କବଳରୁ ବର୍ତ୍ତିବା ପାଇଁ ଟିକା ନେବା ଆବଶ୍ୟକ ବୋଲି ସରକାର ଘୋଷଣା କରିଛନ୍ତି । କିନ୍ତୁ କୋରୋନା ଟିକା ନେବା ଦ୍ବାରା ଉଭୟ ମହିଳା ଓ ପୁରୁଷଙ୍କ କ୍ଷେତ୍ରରେ ବନ୍ଧ୍ୟାତ୍ବ ଓ ନପୁଂସକତା ଦେଖାଦେବ ବୋଲି ଚର୍ଚ୍ଚା ହେଉଛି । ତେବେ ଏଭଳି ଅନ୍ଧବିଶ୍ବାସ ଛତିଶଗଡ଼ର କୋରବା ଅଞ୍ଚଳରେ ଦେଖିବାକୁ ମିଳିଛି ।
ବର୍ତ୍ତମାନ ଦେଶରେ ଯୁବପିଢୀଙ୍କ ସମେତ ବୟସ୍କ ବ୍ୟକ୍ତିଙ୍କୁ ଦ୍ବିତୀୟ ଡୋଜ ଟିକା ଦିଆଯାଉଛି । ଟିକା ନେବା ଦ୍ବାରା କୋରୋନାରେ ଆକ୍ରାନ୍ତ ହେବାର ସମ୍ଭାବନ କମ ରହିଛି କିମ୍ବା ଆକ୍ରାନ୍ତ ହେବା ପରେ ମଧ୍ୟ ସଂକ୍ରମଣର ପ୍ରବଣତା କମ ରହିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି । କିନ୍ତୁ ଛତିଶଗଡ଼ର କୋରବା ଅଞ୍ଚଳରେ କୋରୋନା ଟିକା ନେବା ଫଳରେ ପ୍ରଜନନ କ୍ଷମତା ଲୋକମାନଙ୍କ ହ୍ରାସ ପାଇବ ବୋଲି ଏକ ଅନ୍ଧବିଶ୍ବାସ ଉଠିଥିବା ଦେଖିବାକୁ ମିଳିଛି । ପୁରୁଷମାନେ ନପୁଂସକ ହୋଇଯାଉଥିବା ବେଳେ ମହିଳାମାନଙ୍କର ବନ୍ଧ୍ୟା ଦୋଷ ଦେଖାଯିବ ବୋଲି ଭାବି ଲୋକମାନେ କୋରୋନା ଟିକା ନେଉନଥିବା ଦେଖିବାକୁ ମିଳିଛି ।
ଏହି କାରଣରୁ ଗ୍ରାମର 18ରୁ 44 ବର୍ଷ ମଧ୍ୟରେ ମାତ୍ର 5 ଜଣ ଲୋକଙ୍କର ଟୀକାକରଣ ହୋଇଛି । ସେହିପରି ରାଜ୍ୟର ସୋନପୁରୀ ଗ୍ରାମରେ ମୋଟ ଜନସଂଖ୍ୟା 951 ହୋଇଥିବା ବେଳେ ସେଥିରେ 18 ବର୍ଷରୁ ଅଧିକ ଓ 45 ବର୍ଷରୁ କମ ବୟସ ଥିବା 394 ରହିଛନ୍ତି । ସେମାନଙ୍କ ମଧ୍ୟରୁ ମାତ୍ର 5 ଜଣ ପ୍ରଥମ ଡୋଜ ଟିକା ନେଇଛନ୍ତି । ଗ୍ରାମର ଆଗଧାଡିର ଯୋଦ୍ଧାମାନେ ମଧ୍ୟ ବିଭିନ୍ନ ବାହାନା କରି ଟିକା ନେଉନଥିବା ଦେଖିବାକୁ ମିଳିଛି । 45 ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତିମାନେ ଟିକା ଲଗାଉଥିବା ବେଳେ କମ ବୟସ୍କ ହିତାଧିକାରୀମାନେ ଟିକା ନେଉନାହାନ୍ତି ।
ଗ୍ରାମରେ କେହି ଟିକା ନ ନେବା ପରେ ଟିକାକେନ୍ଦ୍ରକୁ ଅନ୍ୟ ଏକ ଗ୍ରାମକୁ ଉଠାଇ ଦିଆଯାଇଛି । ଟିକା କେନ୍ଦ୍ରରେ ଟିକା ଦେଉଥିବା କର୍ମଚାରୀମାନେ ଦିନସାରା ଯୁବବର୍ଗଙ୍କୁ ଟିକା ଦେବା ପାଇଁ ଅପେକ୍ଷା କରୁଥିବା ବେଳେ କେହି ଆସୁନଥିବା ସେମାନେ କହିଛନ୍ତି । ଲୋକମାନଙ୍କ ଏହି ଅନ୍ଧବିଶ୍ବାସ ଦୂର କରିବା ପାଇଁ ରାଷ୍ଟ୍ରୀୟ ସେବା ଯୋଜନା ଦ୍ବାରା ସଚେତନତା ବାର୍ତ୍ତା ଦିଆଯିବା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଲୋକମାନେ ଟିକା ନେବା ପାଇଁ କେନ୍ଦ୍ରକୁ ଆସିବେ ବୋଲି କହୁଥିବା ବେଳେ ପରବର୍ତ୍ତୀ ସମୟରେ ଆସୁନଥିବା ସୂଚନା ମିଳିଛି ।
ଟିକା ନେବା ଦ୍ବାରା ପ୍ରଜନନ କ୍ଷମତା ହ୍ରାସ ପାଉଥିବାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । ତେବେ ଏ ସମ୍ପର୍କରେ ଯୁବବର୍ଗଙ୍କୁ ମେଡିକାଲ ଅଫିସର ମାନେ ପୁଣି ବୁଝାଇବେ ବୋଲି ଜଣାପଡିଛି । ଟିକା ନେଇନଥିବା ଲୋକମାନେ କୋରୋନାରେ ଆକ୍ରାନ୍ତ ହେଉଛନ୍ତି । ରାଷ୍ଟ୍ରୀୟ ସେବା ଯୋଜନା ସହିତ ମିଶି ମେଡିକାଲ ଅଫିସର ପୁଣି ଯୁବବର୍ଗ ମଧ୍ୟରେ ସଚେତନତା ସୃଷ୍ଟି କରି ଯେକୌଣସି ପରିସ୍ଥିତିରେ ଟୀକାକରଣ କରାଇବେ ବୋଲି ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ