ଚେନ୍ନାଇ: ଅସହାୟ ବୃଦ୍ଧାଙ୍କ ପାଖକୁ ଆସିଲା କୋଟି କୋଟି ଟଙ୍କାର ଟ୍ୟାକ୍ସ ଫାଙ୍କିବା ନୋଟିସ୍ । ନିଜ ନାଁରେ ୮ କୋଟି ଟଙ୍କାର ବକେୟା ଟ୍ୟାକ୍ସ ଦେଖି ତାଜୁବ ହୋଇଗଲେ ବୃଦ୍ଧା (Old widow given Rs 8 Cr tax evasion notice) । ମୁଣ୍ଡ ଗୁଞ୍ଜିବାକୁ ନିଜର ଘରଟିଏ ନଥିବାବେଳେ ଏତେ ଟଙ୍କା କେଉଁଠୁ ଆଣିବେ ସେନେଇ ଚିନ୍ତାରେ ପଡିଗଲେ । ଶେଷରେ ବାଧ୍ୟହୋଇ ସେ ଜୀବନ ହାରିବାକୁ ଉଦ୍ୟମ କଲେ । ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ତାମିଲନାଡୁ ତିରୁପାଥୁର ଜିଲ୍ଲା ଅମ୍ବୁର ଅଞ୍ଚଳରୁ ।
ଅମ୍ବୁର ଅଞ୍ଚଳରେ ଗୁଲଜାର ନାମକ ଜଣେ ୬୦ ବର୍ଷୀୟା ବିଧବା ବୃଦ୍ଧା ବସବାସ କରନ୍ତି । ତାଙ୍କର ଗୋଟିଏ ପୁଅ ଓ ଝିଅଟିଏ ଅଛି । କିନ୍ତୁ ପୁଅଟି ଶାରିରୀକ ଭିନ୍ନକ୍ଷମ ହୋଇଥିବା ବେଳେ ଝିଅ ଜଣେ ହୃଦରୋଗୀ । ଦୁଇ ପିଲାଙ୍କୁ ନେଇ ଖୁବ୍ ଦୁଃଖକଷ୍ଟରେ ବୃଦ୍ଧା ଜଣକ ଭଡା ଘରେ ରୁହନ୍ତି । ଏପରି ସ୍ଥିତିରେ ଡିସେମ୍ବର ୧୯ ତାରିଖ ଦିନ ଦୁଇ ମହିଳା ସରକାରୀ ଅଧିକାରୀ ବୃଦ୍ଧା ଗୁଲଜାରଙ୍କ ଘରେ ପହଞ୍ଚିଥିଲେ । ଗୁଲଜାର I.S. ଏଣ୍ଟରପ୍ରାଇଜ ନାମରେ ଏକ କମ୍ପାନୀ ଚଳାଉଛନ୍ତି ଏବଂ ତାଙ୍କ ଉପରେ ୮ କୋଟିର ବକେୟା ଟ୍ୟାକ୍ସ ରହିଛି ବୋଲି ସେମାନେ ଜଣାଇଥିଲେ ।
ଏହାମଧ୍ୟ ପଢନ୍ତୁ: ପିଲାଙ୍କ ପେଟରେ ଦାନା ଦେବାକୁ ନଥିଲା ସାମର୍ଥ୍ୟ, ମାଗିଥିଲେ ୫୦୦ ମିଳିଲା ୫୧ ଲକ୍ଷ
ଟ୍ୟାକ୍ସ ପୈଠ ପାଇଁ ଅଧିକାରୀମାନେ ବୃଦ୍ଧାଙ୍କୁ ଏକ ନୋଟିସ୍ ପଠାଇଲେ । ଯଦି ସେ ଟ୍ୟାକ୍ସ ନଭରନ୍ତି ତେବେ ତାଙ୍କୁ ଦୈନିକ ୫୦୦ ଟଙ୍କା ଫାଇନ୍ ଦେବାକୁ ନିର୍ଦ୍ଦେଶ ଦେଲେ । ଏତେ ଟଙ୍କା କେଉଁଠୁ ଆଣିବେ ସେକଥା ଭାବି ହତାଶ ହୋଇଗଲେ ବୃଦ୍ଧା । ତେଣୁ ବାଧ୍ୟ ହୋଇ ଆତ୍ମହତ୍ୟା ଉଦ୍ୟମ କଲେ । ଏତିକି ବେଳେ ଜଣେ ଯୁବକ ଆସି ତାଙ୍କ ଜୀବନ ବଞ୍ଚାଇଲେ । ବୃଦ୍ଧାଙ୍କ ଠାରୁ ସବୁ କଥା ଶୁଣିବା ପରେ ଯୁବକ ଜଣକ ତାଙ୍କୁ ନେଇ ଅମ୍ବୁର ଥାନାରେ ଅଭିଯୋଗ କରିଛନ୍ତି । ଘଟଣାର ଛାନଭିନରୁ ଅନ୍ୟ କୌଣସି ବ୍ୟକ୍ତି ବୃଦ୍ଧାଙ୍କ ଡକ୍ୟୁମେଣ୍ଟ ବ୍ୟବହାର କରି ଫେକ୍ କମ୍ପାନୀ ଚଳାଉଥିବା ଜଣାପଡିଛି । ସେହିପରି ଗୁଲଜାରଙ୍କ ବ୍ୟତୀତ ଆହୁରି ଲୋକଙ୍କୁ ମଧ୍ୟ GST ଟ୍ୟାକ୍ସ ପୈଠ ପାଇଁ ନୋଟିସ୍ ଆସିଛି । ଏପରି ଠକେଇ ଘଟଣା ପଦାକୁ ଆସିବା ପରେ ଏ ଦିଗରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଲୋକମାନେ ଦାବି କରିଛନ୍ତି ।