ସିମଲା: 8 ମାସରେ ହିମାଚଳପ୍ରଦେଶରେ ଯାହା ହୋଇ ନଥିଲା ମାତ୍ର 22 ଦିନରେ ତାହା ହୋଇଛି । ହିମାଚଳପ୍ରଦେଶ ରାଜ୍ୟରେ ରେକର୍ଡ ସଂଖ୍ୟକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 22ଦିନରେ 12 ହଜାର268 ମାମାଲା ସାମ୍ନାକୁ ଆସିଛି । ଯାହା ଅତ୍ୟନ୍ତ ଚିନ୍ତାର ବିଷୟ । କାରଣ 31 ଅକ୍ଟୋବର ଯାଏଁ ପ୍ରଦେଶରେ ସର୍ବମୋଟ 22,059 ମାମଲା ଥିଲା । ମାତ୍ର 3 ସପ୍ତାହରେ ହିମାଚଳରେ ସର୍ବମୋଟ ପଜିଟିଭ କେସ୍ 34,327ରେ ପହଞ୍ଚିଛି ।
ମାମଲାକୁ ଦେଖିଲେ ବିଗତ 3 ସପ୍ତାହରେ ପ୍ରତିଦିନ ରାଜ୍ୟରେ ପ୍ରାୟ 500ରୁ ଅଧିକ ସଂକ୍ରମଣ ଚିହ୍ନଟ ହେଉଛନ୍ତି । ଆଉ ମୃତକଙ୍କ ସଂଖ୍ୟାକୁ ଦେଖିଲେ 1 ନଭେମ୍ବରରୁ 22 ନଭେମ୍ବର ମଧ୍ୟରେ 216 ଲୋକ କୋରୋନାରେ ପ୍ରାଣ ହରାଇଛନ୍ତି । ଫଳରେ ହିମାଚଳପ୍ରଦେଶରେ ସର୍ବମୋଟ ମୃତକଙ୍କ ସଂଖ୍ୟା 312ରୁ ଆସି 528ରେ ପହଞ୍ଚିଛି ।
ପାର୍ବଣ ଋତୁ ହୋଇଥିବାରୁ ମାମଲା ବଢୁଥିବାର ଅନୁମାନ କରାଯାଉଛି । ଏଥିସହ ନଭେମ୍ବର ମାସରୁ ସରକାର ରାଜ୍ୟରେ ସ୍କୁଲ ଖୋଲିବାର ଅନୁମତି ଦେଇଥିଲେ । ଫଳରେ 100ରୁ ଉର୍ଦ୍ଧ୍ବ ମାମଲା ସ୍କୁଲରୁ ଆସିଛି । ସେମାନଙ୍କ ମଧ୍ୟରେ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ରହିଛନ୍ତି । ତେବେ ସ୍କୁଲ ମାନଙ୍କରେ କେସ୍ ଆସିବା ପରେ ସମସ୍ତ ଶିକ୍ଷା ସଂସ୍ଥାନକୁ 11 ନଭେମ୍ବରରୁ 25 ନଭେମ୍ବର ଯାଏଁ ବନ୍ଦ କରାଯାଇଥିଲା । ପରେ ସ୍କୁଲ ବନ୍ଦ ଅବଧିକୁ ବୃଦ୍ଧି କରାଯାଇ 31 ଡିସେମ୍ବର କରାଯାଇଛି ।
କିଛି ମାସ ତଳେ ହିମାଚଳ ସରକାର କୋରୋନା ମାମାଲାରେ ବ୍ରେକ୍ ଲଗାଇବା ପାଇଁ 'ଆକ୍ଟିଭ କେସ ଫାଇଣ୍ଡିଂ'ଅଭିଯାନ ଆରମ୍ଭ କରିଥିଲେ । ଏହି ଅଭିଯାନର ପ୍ରଶଂସା ପିଏମ ମୋଦି ମଧ୍ୟ କରିଛନ୍ତି । ସେହିପରି ଏବେ କୋରୋନା ସଂକ୍ରମଣ ବଢୁଥିବାର ଦେଖି ରାଜ୍ୟ ସରକାର' ହିମ ସୁରକ୍ଷା ଅଭିଯାନ' ଆରମ୍ଭ କରିବେ । ଏହି ଅଭିଯାନରେ ସ୍ବାସ୍ଥ୍ୟକର୍ମୀମାନେ ଘର ଘର ବୁଲି କୋରୋନା ସମେତ ବିଭିନ୍ନ ରୋଗର ଲକ୍ଷଣ ବିଷୟରେ ପଚାରି ବୁଝିବେ । ଏହି ଅଭିଯାନ 25 ନଭେମ୍ବରରୁ 27ଡିସେମ୍ବର ଯାଏଁ ଚାଲିବ । ଏଥିଲାଗି 8000ଟିମର ଗଠନ କରାଯାଇଛି । ଟିମରେ 2ଜଣ ସଦସ୍ୟ ରହିବେ ଯେଉଁମାନେ ଘର ଘର ବୁଲି କୋରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବେ ।
ଅନ୍ୟପଟେ ଡାକ୍ତରଖାନାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଅନ୍ୟ ରୋଗରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ସଠିକ୍ ଭାବେ ହୋଇ ପାରୁ ନାହିଁ । ଏହାକୁ ନଜରରେ ରଖି ହାଇକୋର୍ଟ ସରକାରଙ୍କୁ କୋଭିଡ କେୟାର ସେଣ୍ଟରର ସୁବିଧା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ କେନ୍ଦ୍ର ସରକାର ସଂକ୍ରମଣର ବୃଦ୍ଧିର ଯାଞ୍ଚ ପାଇଁ ଏକ 3ଜଣିଆ ଟିମକୁ ହିମାଚଳ ପ୍ରଦେଶକୁ ପଠାଇଛି । ଯାଞ୍ଚ କରି କେନ୍ଦ୍ର ସରକାରଙ୍କୁ ସେମାନେ ରିପୋର୍ଟ ପ୍ରଦାନ କରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ