ମୁମ୍ବାଇ: ପୁଣି ରେଳ ଧାରଣାରୁ ନିଶ୍ଚିତ ମୃତ୍ୟୁରୁ ବଞ୍ଚିଯାଇଛନ୍ତି ମହିଳା । ଏହିଭଳି ଘଟଣା ବାରମ୍ବାର ସାମନାକୁ ଆସୁଥିବା ଦେଖିବାକୁ ମିଳୁଛି । ଶନିବାର ଜଣେ ମହିଳା ଚଳନ୍ତା ଟ୍ରେନ ତଳକୁ ଖସିଯାଉଥିବା ବେଳେ ସେଠାରେ ଥିବା 2 ଜଣ ସୁରକ୍ଷାକର୍ମୀ ତାଙ୍କୁ ବଞ୍ଚାଇଛନ୍ତି । ତେବେ ଏହି ଘଟଣା ମହାରାଷ୍ଟ୍ରର ଥାନେ ରେଳ ଷ୍ଟେସନରେ ଘଟିଥିବା ଦେଖିବାକୁ ମିଳିଛି ।
ଉତ୍ତରପ୍ରଦେଶର ଧାନପତ୍ତି ରାଜୁ ଭରଦ୍ବାଜ ନାମକ ଜଣେ ମହିଳା ଯାତ୍ରୀ ମହାନଗ୍ରି ଏକ୍ସପ୍ରେସରେ ଚଢୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ମିଳିଥିବା ସୂଚନା ଅନୁସାରେ ଟ୍ରେନଟି ଷ୍ଟେସନରେ ରହିବା ପୂର୍ବରୁ ମହିଳା ଜଣକ ଚଢିବାକୁ ଉଦ୍ୟମ କରୁଥିଲେ । ତେବେ ଏହି ସମୟରେ ତାଙ୍କ ଗୋଡ଼ ଖସିଯିବାରୁ ସେ ରେଳ ଟ୍ରାକ୍ ମଧ୍ୟକୁ ପଡିଯାଉଥିବା ବେଳେ ସେଠାରେ ଉପସ୍ଥିତ ଥିବା 2 ଜଣ ସୁରକ୍ଷା କର୍ମୀ ତାଙ୍କୁ ଟାଣି ମୃତ୍ୟୁମୁଖରୁ ରକ୍ଷା କରିଥିଲେ ।
ଏହି ସମୟର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ବେଳେ ଭିଡ଼ିଓଟି ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓରେ ମହିଳା ରେଳ ଧାରଣାକୁ ତଳକୁ ଖସି ପଡୁଥିବା ବେଳେ ସେଠାରେ ଉପସ୍ଥିତ ଥିବା ପୋଲିସ ସବ-ଇନସପେକ୍ଟର ନିତିନ ପତି ଓ ସହକାରୀ ସବ-ଇନସପେକ୍ଟର ସତ୍ତର ଶେଖ ଦୌଡି ଆସି ତାଙ୍କୁ ରକ୍ଷା କରିଥିଲେ । ତେବେ ଗତ କିଛି ସମୟ ଧରି ଏଭଳି ଘଟଣା ବାରମ୍ବାର ସାମନାକୁ ଆସୁଛି । ଯାତ୍ରୀମାନେ ଅସାବଧାନତା ବଶତଃ କିମ୍ବା ଚଳନ୍ତା ଟ୍ରେନରେ ଚଢିବାକୁ ଉଦ୍ୟମ କରୁଥିବା ଯୋଗୁଁ ଦୁର୍ଘଟଣାର ଶିକାର ହେଉଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ