ଚଣ୍ଡିଗଡ: ଖଲିସ୍ତାନୀ ଗୋଷ୍ଠୀ ନେତା ଅମ୍ରିତପାଲଙ୍କୁ ଗିରଫ କରିବାରେ ବିଫଳ ପୋଲିସ । ଏବେ ବି ପୋଲିସର ହାତ ଖାଲି । ତାକୁ ଗିରଫ କରିବା ପଞ୍ଜାବ ପୋଲିସ ପାଇଁ ଏକ ବଡ ଚାଲେଞ୍ଜ ସୃଷ୍ଟି କରିଛି । ପଞ୍ଜାବରେ ହାଇଆଲର୍ଟ ଜାରି ହୋଇଥିବା ବେଳେ ପଳାତକ ଘୋଷଣା କରି ଖୋଜୁଛି ପୋଲିସ । ଏହାରି ଭିତରେ ଅମ୍ରିତପାଲଙ୍କ ଦାଦା ଏବଂ ଡ୍ରାଇଭର ଜଳନ୍ଧରରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆଜି(ସୋମବାର) ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଜଳନ୍ଧରର ବରିଷ୍ଠ ପୋଲିସ ଅଧୀକ୍ଷକ ସ୍ବର୍ଣ୍ଣଦୀପ ସିଂହ କହିଛନ୍ତି, "ଗତକାଲି(ରବିବାର) ବିଳମ୍ବିତ ରାତିରେ ଅମ୍ରିତପାଲଙ୍କ ଦାଦା ହରଜିତ ସିଂ ଏବଂ ଡ୍ରାଇଭର ହରପ୍ରୀତ ସିଂ ଜଳନ୍ଧରର ମେହତପୁର ଅଞ୍ଚଳର ଏକ ଗୁରୁଦ୍ବାର ନିକଟରେ ଆତ୍ମସମର୍ପଣ କରିଥିଲେ ।" ଅନ୍ୟଜଣ ପୋଲିସ ଅଧୀକ୍ଷକ କହିଛନ୍ତି," ଅମ୍ରିତପାଲ ସିଂଙ୍କୁ ଖୋଜା ଚାଲିଛି । ପୋଲିସ ବର୍ତ୍ତମାନ ସୁଦ୍ଧା ଅମ୍ରିତପାଲର ୧୧୨ଜଣ ସମର୍ଥକଙ୍କୁ ଗିରଫ କରିଛି । ତାର ସନ୍ଧାନରେ ପୋଲିସ ରବିବାର ଫ୍ଲାଗମାର୍ଚ୍ଚ ଜାରି କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ପଞ୍ଜାବ ସରକାର ମଧ୍ୟ ଅମ୍ରିତପାଲ ଏବଂ ତାର ସଙ୍ଗଠନ 'ଓ୍ବାରିସ ପଞ୍ଜାବ ଦେ' ବିରୋଧରେ କଟକଣା ଜାରି କରିଛନ୍ତି । ପୋଲିସ ସଙ୍ଗଠନର ୭୮ ଜଣଙ୍କୁ ଗିରଫ କରିଛି ।"
ଏହା ମଧ୍ୟ ପଢନ୍ତୁ: ପଞ୍ଜାବରେ ଇଣ୍ଟରେନେଟ ସେବା ବନ୍ଦ ଅବଧି ବଢିଲା, ଅମ୍ରିତପାଲ ସିଂ ଏବେ ବି ଫେରାର
ମିଡିଆ ରିପୋର୍ଟ ଅନୁସାରେ, ପୋଲିସ ବର୍ତ୍ତମାନ ସୁଦ୍ଧା ୭ଟି ବେଆଇନ ଅସ୍ତ୍ରଶସ୍ତ୍ର, ୩୦୦ରୁ ଅଧିକ ଗୁଳି ଏବଂ ୩ଟି ଗାଡି ଜବତ କରାଯାଇଛି । ଏହାସହ ଜବତ ହୋଇଥିବା ଫୋନକୁ ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଛି । ଅମ୍ରିତପାଲ ସିଂଙ୍କ ଗିରଫଦାରୀକୁ ନେଇ ପଞ୍ଜାବରେ ହାଇଆଲର୍ଟ ଜାରି ହୋଇଛି । ଅମ୍ରିତଙ୍କ ଆର୍ଥିକ କାରବାର ବୁଝୁଥିବା ଦଲଜିତ ସିଂ କଲସିଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । କଲସିଙ୍କ ଫୋନରୁ କଛି ପାକିସ୍ତାନ ନମ୍ବର ମିଳିଥିଲା ପୋଲିସ ତରଫରୁ ସୂଚନା ଦିଆଯାଇଛି ।
ଏହା ମଧ୍ୟ ପଢନ୍ତୁ: ଅମ୍ରିତପାଲ ସିଂହଙ୍କୁ ପଳାତକ ଘୋଷିତ କଲା ପୋଲିସ, ପଞ୍ଜାବରେ ସୁରକ୍ଷା କଡାକଡି
ପ୍ରକାଶଥାଉକି, ଫେବୃଆରୀ 23 ତାରିଖରେ ପଞ୍ଜାବ ଅମୃତସରର ଏକ ଥାନା ଭିତରେ ପଶି ଅମ୍ରିତପାଲ ସିଂ ଓ ତାର ଶତାଧିକ ସହଯୋଗୀ ପୋଲିସକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏକାଧିକ ପୋଲିସ ଅଧିକାରୀ ଆକ୍ରମଣରେ ଗୁରୁତର ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ