ମୁମ୍ବାଇ: ମହାରାଷ୍ଟ୍ରର ପୁଣେ-ନାଶିକ ହାଇୱେରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ରାସ୍ତାପାର୍ ହେଉଥିବା ବେଳେ ଏକ ଅଜଣା ଗାଡି ଧକ୍କାରେ ୫ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି । ଏଥିରେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୋମବାର ବିଳମ୍ବିତ ରାତିରେ ରାଜଗୁରୁ ନଗର ଅନ୍ତର୍ଗତ ପୁଣେ-ନାଶିକ ୱାଇୱେର ଶିରୋଲି ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଗାଡି ଚାଳକ କୁଆଡେ ଫେରାର ହୋଇଯାଇଥିବା ବେଳେ ପୋଲିସ ତାକୁ ଧରିବାକୁ ଛାନଭିନ୍ ଚଳାଇଛି ।
ସୂଚନା ମୁତାବକ, ଏକ ବିବାହ ସମାରୋହରେ ରୋଷେଇ କରିବା ପାଇଁ ପ୍ରାୟ ୧୮ ଜଣ ମହିଳାମାନେ ପୁଣେର ଭରପୁଡି ଅଞ୍ଚଳରେ ଥିବା ମଙ୍ଗଲ ଅଫିସକୁ ଆସୁଥିଲେ । ରାତିର ୧୧ଟା ସମୟରେ ମହିଳାମାନେ ଏକ ବସ୍ରୁ ଓହ୍ଲାଇ ରାସ୍ତା ପାର୍ ହେଉଥିଲେ । ଏତିକି ବେଳେ ପୁଣେ ଆଡୁ ଦ୍ରୁତଗତିରେ ଆସୁଥିବା ଏକ ଚାରି ଚକିଆ ଯାନ ସେମାନଙ୍କୁ ଧକ୍କା ଦେଇ ପଳାଇଥିଲା । ଫଳରେ ଏହି ଦୁର୍ଘଟଣାରେ ୫ ଜଣ ମହିଳା ପ୍ରାଣ ହରାଇଥିବା ବେଳେ ୧୩ ଜଣ ଗୁରୁତର ଆହତ ହୋଇଥିଲେ ।
ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା । କିଛି ଆହତ ମହିଳାଙ୍କୁ ସ୍ଥାନୀୟ ଗ୍ରାମୀଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୪ରୁ ୫ ଜଣ ରାଜଗୁରୁ ନଗର ଅଞ୍ଚଳର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସମସ୍ତ ମୃତାହତ ପୁଣେର ବିଭିନ୍ନ ଅଞ୍ଚଳର ହୋଇଥିବା ଜଣାପଡିଛି । ଅନ୍ୟପଟେ ଦୁର୍ଘଟଣା ଘଟାଇବା ପରେ ଉକ୍ତ ଅଜଣା ଗାଡି ଚାଳକ ଫେରାର୍ ହୋଇଯାଇଛି । ଏଯାଏଁ ଅଭିଯୁକ୍ତ ଚାଳକର ପରିଚୟ ମିଳିପାରିନଥିବା ବେଳେ ପୋଲିସ ତାଙ୍କୁ ଧରିବାକୁ ଖୋଜାଖୋଜି ଆରମ୍ଭ କରିଛି ।
ଏହାମଧ୍ୟ ପଢନ୍ତୁ: ଚାକିରି ଦେବା ଆଳରେ ଇଣ୍ଟରଭ୍ୟୁ ପାଇଁ ଡକାଇ ମହିଳାଙ୍କୁ ଦୁଷ୍କର୍ମ
ରବିବାର ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶ ପରତାପୁର ଅଞ୍ଚଳରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଟ୍ରକ ଗୋଟିଏ କାରକୁ ଧକ୍କା ଦେବା ପରେ ପ୍ରାୟ ୩ କିଲୋମିଟର ଘୋଷାଡି ନେଇଛି । ଘୋଷାଡି ନେଉଥିବାର ଭିଡିଓ ମଧ୍ୟ କ୍ୟାମେରାରେ କଏଦ ହୋଇଛି । ଦୁର୍ଘଟଣାସ୍ଥଳରୁ ପ୍ରାୟ ୩ କି.ମି ଦୂରରେ ଟ୍ରକଟି ଅଟକିଥିଲା । କାରରେ ଥିବା ସମସ୍ତ ୪ ଯାତ୍ରୀ ଗାଡିରୁ ଡେଇଁପଡି ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ । ତେବେ ଟ୍ରକ ଚାଳକ ନିଶାସକ୍ତ ଅବସ୍ଥାରେ କାରକୁ ଘୋଷାଡିବା ପରେ ପରେ ଫେରାର୍ ହୋଇଯାଇଥିଲା ।