ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ବୁଧବାର) ହିମାଚଳ ପ୍ରଦେଶ ଗସ୍ତ କରିବେ । ଯେଉଁଠାରେ 3 ହଜାର 650 କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ କରିବେ । ପୂର୍ବାହ୍ନ 11:30 ସମୟରେ ପ୍ରଧାନମନ୍ତ୍ରୀ ଏମସ ବିଲାଶପୁରର ଉଦଘାଟନ କରିବେ । ଏହାପରେ ପ୍ରାୟ 12:45ରେ ବିଲାଶପୁରର ଲୁହନୁ ଗ୍ରାଉଣ୍ଡରେ ପହଞ୍ଚିବେ । ଯେଉଁଠାରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଭିତ୍ତିଭୂମି ସହ ଉଦ୍ଘାଟନ କରିବେ । ଏହା ସହିତ ଏକ ସାଧାରଣ ସଭାରେ ଉଦବୋଧନ ଦେବେ । ପ୍ରଧାନମନ୍ତ୍ରୀ ପ୍ରାୟ 3:15ରେ କୁଲୁର ଧଲପୁର ଗ୍ରାଉଣ୍ଡରେ ପହଞ୍ଚିବେ । ଯେଉଁଠାରେ ସେ କୁଲୁ ଦଶହରା ଉତ୍ସବରେ ସାମିଲ ହେବେ ।
ଅକ୍ଟୋବର 2017ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଶିଳାନ୍ୟାସ କରାଯାଇଥିବା ବିଳାଶପୁର ଏମସ ସେଣ୍ଟ୍ରାଲ ସେକ୍ଟର ସ୍କିମ ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା ଅଧୀନରେ ପ୍ରତିଷ୍ଠା ହୋଇଛି । 1470 କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏମସ ବିଲାଶପୁର ହେଉଛି ଏକ ଅତ୍ୟାଧୁନିକ ଡାକ୍ତରଖାନା ଯାହାକି 18 ଟି ସ୍ପେସିଆଲିଟି ଏବଂ 17 ଟି ସୁପର ସ୍ପେସିଆଲିଟି ବିଭାଗ ରହିଛି । 18ଟି ମଡ୍ୟୁଲାର ଅପରେସନ ଥିଏଟର, 64 ଟି ଆଇସିୟୁ ବେଡ ସହିତ 750 ଶଯ୍ୟା ବିଶିଷ୍ଟ ରହିଛି । 247 ଏକରରୁ ଅଧିକ ସ୍ଥାନରେ ପରିବ୍ୟାପ୍ତ ଏହି ହସ୍ପିଟାଲରେ 24 ଘଣ୍ଟା ଜରୁରୀକାଳୀନ ଏବଂ ଡାଏଲିସିସ ସୁବିଧା ରହିବ । ଅଲଟ୍ରାସୋନୋଗ୍ରାଫି, ସିଟି ସ୍କାନ, ଏମଆରଆଇ ଇତ୍ୟାଦି ଆଧୁନିକ ଡାଇଗ୍ନୋଷ୍ଟିକ ମେସିନ, ଅମୃତ ଫାର୍ମାସି ଏବଂ ଜନ ଔଷଧୀ କେନ୍ଦ୍ର ଏବଂ 30 ଶଯ୍ୟା ବିଶିଷ୍ଟ ଆୟୁଷ ବ୍ଲକ ସହିତ ରହିଛି।
ହିମାଚଳ ପ୍ରଦେଶର ଆଦିବାସୀ ତଥା ଅପହଞ୍ଚ ଆଦିବାସୀ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ହସପିଟାଲ ଡିଜିଟାଲ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟ ସ୍ଥାପନ କରିଛି । ଏଥିସହ କାଜା, ସାଲୁନି, ଏବଂ କେଲଙ୍ଗ ଭଳି ଦୁର୍ଗମ ଆଦିବାସୀ ତଥା ଉଚ୍ଚ ହିମାଳୟ ଅଞ୍ଚଳରେ ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ହସପିଟାଲ ଦ୍ୱାରା ବିଶେଷଜ୍ଞ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ହସପିଟାଲ ପ୍ରତିବର୍ଷ ଏମବିବିଏସ ପାଠ୍ୟକ୍ରମ ପାଇଁ 100 ଛାତ୍ର ଏବଂ ନର୍ସିଂ ପାଠ୍ୟକ୍ରମ ପାଇଁ 60 ଜଣ ଛାତ୍ରଙ୍କୁ ସୁଯୋଗ ମିଳିବ ।